Latest Odisha News

BREAKING NEWS

ଶୀତଦିନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ଏହିସବୁ ହ୍ରଦ !

ଭୁବନେଶ୍ୱର: ରାତି ପାହିଲେ ନୂଆବର୍ଷ । ନୂଆବର୍ଷକୁ ନୂଆ ଆଶା ତଥା ଉତ୍ସାହ ସହ ପାଳନ କରୁବାକୁ ପ୍ରାୟତଃ ସମସ୍ତେ ନୂଆ ନୂଆ ସ୍ଥାନକୁ ଯିବାକୁ ପସନ୍ଦ କରନ୍ତି ।

ଯଦି ଆପଣଙ୍କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଜଳାଶୟ ପସନ୍ଦ ହୋଇଥାଏ ତେବେ ଆପଣଙ୍କ ପାଇଁ ଓଡ଼ିଶାରେ ରହିଛି ସୌନ୍ଦର୍ଯ୍ୟରେ ଭରପୁର ହ୍ରଦ ସବୁ । ଏହି ହ୍ରଦ ଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ନିଜ ନିକଟକୁ ଆକୃଷ୍ଟ କରିଥାଏ ।

ଚିଲିକା:

ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଲବଣାକ୍ତ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ ।

ସୁନ୍ଦର ଜଳରାଶି ସହ ଏଠାରେ ଥିବା ନଳବଣ ବିଦେଶୀ ପକ୍ଷୀମାନଙ୍କ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ହଜାର ହଜାର ମାଇଲ ଉଡ଼ି ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ଆସନ୍ତି ।

ଏଠାକାର ପରିକୁଦ ଓ ମାଲୁଦ ଦ୍ୱୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।

ସାଧାରଣତଃ ହ୍ରଦ ଏକ ଜଳଭାଗ ଯାହାର ଚତୁଃପାର୍ଶ୍ୱ ସ୍ଥଳଭାଗଦ୍ୱାରା ପରିବେଷ୍ଟିତ । ମାତ୍ର ଚିଲିକା ହେଉଛି ଏକ “ଲବଣାକ୍ତ ହ୍ରଦ” ଯାହାର ପ୍ରାୟତଃ ତିନିପାର୍ଶ୍ୱ ସ୍ଥଳଭାଗଦ୍ୱାରା ପରିବେଷ୍ଟିତ ହୋଇଥିବା ବେଳେ ଏକ ପାର୍ଶ୍ୱ ସମୁଦ୍ର ସହ ସଂଯୁକ୍ତ।

ଅଂଶୁପା ହ୍ରଦ:

ଚିଲିକା ପରେ ଏହା ଓଡ଼ିଶାର ୨ୟ ସର୍ବବୃହତ ହ୍ରଦ ଅଟେ । ଏହା ମହାନଦୀ କୂଳରେ, ବାଙ୍କୀର ବିପରୀତ ଦିଗରେ ପାଖାପାଖି ୧୪୧ ହେକ୍ଟର ଜମିରେ ବ୍ୟାପିଅଛି । ବାଙ୍କୀରେ ଅବସ୍ଥିତ ଏହି ହ୍ରଦ କଟକ ସହର ଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ଯାହା ଶୀତଦିନରେ ବହିରାଗତ ଚଢ଼େଇମାନଙ୍କ ପାଇଁ ଏକ ବାସସ୍ଥାନ ଭଳି କାମକରିଥାଏ । ଏହାର ଜଳ ମଧୁର ଅଟେ।

ସରଣ୍ଡା ପାହାଡ଼ ପାଖରେ ଏହା ବାଉଁଶ ବଣ ଓ ଆମ୍ବ ତୋଟା ଭିତରେ ରହିଅଛି ଏହି ହ୍ରଦ । ଅଂଶୁପା ହ୍ରଦରେ ନୌକା ଚାଳନା ଓ ମାଛଧରାର ସୁବିଧା ମଧ୍ୟ ଅଛି । ଶୀତଦିନରେ ପର୍ଯ୍ୟଟକଙ୍କର ଏଠାରେ ବେଶ୍ ଭିଡ଼ ପରିଲିକ୍ଷିତ ହୋଇଥାଏ ।

କାଞ୍ଜିଆ ହ୍ରଦ:

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଉତ୍ତର ଦିଗରେ ନିକଟସ୍ଥ ସ୍ଥିତ କାଞ୍ଜିଆ ହ୍ରଦ । ଏହାର ଆୟତନ ପ୍ରାୟ ୭୫ହେକ୍ଟର ବା ୧୯୦ ଏକର ।

ଏହି ହ୍ରଦରେ ୩୭ ପ୍ରଜାତିର ପକ୍ଷୀ, ୨୦ ପ୍ରଜାତିର ସରୀସୃପ, ୪୬ ପ୍ରକାର ମାଛ ଓ ଚିଙ୍ଗୁଡି ସହ ଅନ୍ୟ ସବୁ ପ୍ରକାର ଜଳ ଜନ୍ତୁ ରହିଥାନ୍ତି । ଏହା ସହ ଏଠାରେ ୨୪ ପ୍ରକାରର ମାଇକ୍ରୋଫାଇଟ ଜାତୀୟ ପ୍ରାଣୀ ମଧ୍ୟ ରହନ୍ତି ।

ଏହି ହ୍ରଦ ସହରର ପରିବେଶ ସନ୍ତୁଳନ ପାଇଁ ବହୁତ ଅବଦାନ ଦେଇଥାଏ । ଏହି ହ୍ରଦ ନନ୍ଦନକାନନ ବନ୍ୟା ଜନ୍ତୁ ପାର୍କର ଏକ ଅଂଶ ଭାବରେ ପରିଚାଳିତ ହୁଏ ।

ଏଠାରେ ସ୍କୁବା-ଡାଇଭିଙ୍ଗର ମଧ୍ୟ ବ୍ୟବସ୍ଥା ରହିଛି ଓ ମୋଟର ବୋଟ ଯୋଗେ ପର୍ଯ୍ୟଟକମାନେ ଭ୍ରମଣ କରିବା ସୁବିଧା ଉପଲବ୍ଧ ।

Leave A Reply

Your email address will not be published.