Latest Odisha News

BREAKING NEWS

ମହାମାରୀ ତାଲାବନ୍ଦରେ ରାସ୍ତାକଡ଼ରେ ଜୀବିକା

ରାଜଧାନୀରେ ରାସ୍ତା କଡରେ ଖାଦ୍ୟ ବିକ୍ରି ବ୍ୟବସାୟ ଏକ ମାଧ୍ୟମ ବଞ୍ଚିବାର। ସାଧାରଣତଃ ଜଳଖିଆ ଖାଇବା ପାଇଁ ବହୁତ ଭିଡ ହୁଏ ଏଭଳି ଦୋକାନଗୁଡିକରେ । କିନ୍ତୁ କରୋନା ମାଡରେ ଆଜି ପରିସ୍ଥିତି ଭିନ୍ନ । ଆଉ ଗ୍ରାହକଙ୍କ ଭିଡ ଜମୁନି କି ଭଲ ଦି ପଇସା ରୋଜଗାର ହଉନି ।

ଫେଲୁ ମଉସା । ରାସ୍ତା କଡରେ ଜଳଖିଆ ଦୋକାନ କରି ଲୋକମାନଙ୍କୁ ବର୍ଷ ବର୍ଷ ଧରି ଖୁଆଇ ଆସିଛନ୍ତି ସ୍ୱାଦିଷ୍ଟ ପକଡି । ବର୍ତ୍ତମାନ କରୋନା ସଂକ୍ରମଣ ଭୟରେ ଅସ୍ଥାୟୀ ଖାଦ୍ୟସ୍ଥଳୀ ଭାଙ୍ଗି ଦେଇଛନ୍ତି, ହେଲେ ମାଟି ଚୁଲିରେ ନଡ଼ିଆ ଖୋଳପାରେ ନିଆଁ ଲଗେଇ ପ୍ରସ୍ତୁତ କରୁଛନ୍ତି ସାଧା ପକୁଡି । ବିଭିନ୍ନ ପ୍ରକାର ପରିବା ଓ ସାଗରୁ ପ୍ରସ୍ତୁତ କରୁଛନ୍ତି ଏହି ପକଡି । କିଛି ଦିନ ତଳେ ସାଇକେଲରେ ଫେରୁଥିବାବେଳେ ପ୍ରଥମ ଥର ଖାଇବାର ସୁଯୋଗ। ହୁଏତ ତାଲାବନ୍ଦ ପାଇଁ ଗାଡି ମଟର ଗହଳି ନ ଥିବାରୁ ବେଶ୍ ସ୍ପଷ୍ଟ ଦିଶିଗଲା ପକୁଡି । ଅଟକି ଗଲି ସେଠି ।

ଫେଲୁ ମଉସାଙ୍କୁ କିଛି ପକଡି ଆଣିବା ପାଇଁ ବରାଦ କରିବା ସହ କଥାବାର୍ତ୍ତା ଆରମ୍ଭ ହେଲା । ମଉସା କହିଲେ ଝଡ ଆସିଛି, ବାତ୍ୟା ଆସିଛି, ସହର ବୁଡିବା ଦେଖିଛି, ୧୯୮୫ ମସିହାରୁ, ହେଲେ ୟେ ମହାମାରି ଏବଂ କଟକଣା ଜୀବନସାରା ମନେ ରହିବ । ଯେତିକି କଷ୍ଟ ଦାୟକ ସେତିକି ଦୁଃଖ ମଧ୍ୟ। କେତେ ଦିନ ଏମିତି ଅନିଶ୍ଚିତତା ଲାଗି ରହିବ ତାର କିଛି ବାଟ ଦେଖାଯାଉନି । ଭବିଷ୍ୟତକୁ ନେଇ କିଛି ଯୋଜନା ବି କରିହେଉନି ବୋଲି ମଉସା ମନ ଉଣା କରିକହିଲେ । ଏଭିତରେ ଗୋଟେ କଥା ଲକ୍ଷ୍ୟ କଲି ମଉସାଙ୍କ ହସ ଓ ଅନ୍ୟକୁ ଆପଣାର କରିବାର କଳା ଟିକିଏ ବି କମ ହୋଇନି ।

ଏହା ଭିତରେ ପକୁଡି ପ୍ରସ୍ତୁତ ହୋଇଗଲାଣି । ମୁଁ ଆଣିବାକୁ ହାତ ବଢାଇଲା ବେଳେ ମଉସା କହିଲେ, ‘ବାବାୁ ହାତ ଧୋଇ ଆଗ ଚାଖ । ଭଲ ଲାଗିଲେ ନେବ ।’ ମୋତେ ଟିକେ ଆଶ୍ଚର୍ଯ୍ୟ ଲାଗିଲା ସ୍ମାର୍ଟ ସହରରେ ଏମିତି ମଧ୍ୟ ବେପାର ହୋଇ ପାରୁଛି । କାରଣ କିଛି ଦିନ ତଳେ ଏହି ତଲାବନ୍ଦ ସମୟରେ ଭୁବନେଶ୍ୱରର ଜଣେ ପ୍ରସିଦ୍ଧ ମିକ୍ସଚର ବ୍ୟବସାୟୀ କିପରି ଠକୁଥିଲେ ସେ କଥା ଆଗରୁ ଲେଖି ସାରିଛି । କିନ୍ତୁ ରାସ୍ତା କଡରେ ବିକୁଥିବା ବ୍ୟକ୍ତି କହୁଛନ୍ତି ଆଗ ଟିକେ ଚାଖନ୍ତୁ ତାପରେ ଭଲ ଲାଗିଲେ ନେବେ।

ମଉସାଙ୍କୁ କହିଲି ବହୁତ ଖୁସି ଲାଗାଲି ଆପଣଙ୍କ ସହ କଥାବାର୍ତ୍ତା ହୋଇ । ହଠାତ ସେ କହିଲେ ପୁଅ ମୁଁ ଜାଣିନି। କିନ୍ତୁ ବହୁତ ଲୋକ ମୋର ଭିଡ଼ିଓ କରି ୟୁଟ୍ୟୁବ ଏବଂ ଟିଭି ଚ୍ୟାନେଲରେ ଦେଖାଇଛନ୍ତି , ପେପରରେ ବି ମୋ ବିଷୟରେ ବାହାରିଛି । ଏହା ଶୁଣି ବହୁତ ଖୁସି ଲାଗିଲା । ପ୍ରଶ୍ନ ଆସେ ଦାମୀ ଦାମୀ ହୋଟେଲ ହଉ ଅବା ରେଷ୍ଟୁରାଣ୍ଟ ଞବଳର ଇଙ୍ଗବଚ୍ଚ ଏବଂ ଛୋଟ ଛୋଟ ରେଷ୍ଟୁରାଣ୍ଟ ଚବକ୍ସମରକ୍ଷ ନାମରେ ବେପାର କରୁଛନ୍ତି ଝଙ୍ଗସଶଶଚ୍ଚ ଓ ତକ୍ଟଜ୍ଞବଗ୍ଧଗ୍ଧକ୍ଟ ମାଧ୍ୟମରେ। ହେଲେ ଏମାନଙ୍କ କଥା ଚିନ୍ତା କରୁଛି କିଏ ।
ତାଲାବନ୍ଦ ଯୋଗୁଁ ଫେଲୁ ମଉସା ଜଳଖିଆ ଦୋକାନ ଛାଡି ପକୁଡି ବ୍ୟବସାୟରେ ପହଞ୍ଚିଛନ୍ତି । ତେବେ ରାସ୍ତା କଡରେ ଛୋଟଛୋଟ ଦୋକାନ କରି ଚଳୁ ଥିବା ଅନେକ ବ୍ୟବସାୟୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସହରାଞ୍ଚଳ ଉପରେ ଗବେଷଣା କରୁଛି, ତେଣୁ ମୋ ପାଇଁ ତାଲା ବନ୍ଦ ସମୟରେ ଏହି ଅଭିଜ୍ଞତା ମୋର ଗବେଷଣାରେ କାମ ଦେବ। ହୁଏତ ସହର ଯୋଜନା ହଉ ଅବା ଭବିଷ୍ୟତ ମହାମାରୀ ଅବା ବିପର୍ଯ୍ୟୟ ସମୟରେ ସହରକୁ ପ୍ରସ୍ତୁତ କରିବା ପାଇଁ ବହୁତ କିଛି କରିବା ଦରକାର।

Leave A Reply

Your email address will not be published.