Latest Odisha News

BREAKING NEWS

ଲକ୍‌ଡାଉନ ଡାଏରୀ: ନୃତ୍ୟ ଶିଳ୍ପୀ କବିତା ଦ୍ୱିବେଦୀ ପୁରୁଣା ଅନୁଭୂତିକୁ କଲମରେ ସାଁଉଟିବାରେ ବ୍ୟସ୍ତ

ଭୁବନେଶ୍ୱର: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁଁ ସାଧାରଣ ଜୀବନରେ ବ୍ୟସ୍ତତା ମଧ୍ୟରେ ରହୁଥିବା ଲୋକଙ୍କୁ ନିଜ ପାଇଁ ସମୟ ମିଳିଛି । ନିତିଦିନିଆଁ ଧାଁ ଦୌଡ ଭିତରୁ ବାହାରି ଆସି ସେମାନେ ଦୀର୍ଘଦିନରୁ ଅଟକି ରହିଥିବା ନିଜର ଇପ୍‌ସିତ କାର୍ଯ୍ୟରେ ଏବେ ନିଜକୁ ବ୍ୟସ୍ତ ରଖୁଛନ୍ତି ।

ଆଜି ଲକ୍ ଡାଉନ ଡାଏରୀରେ ଜାଣିବା କେମିତି ସମୟ କାଟୁଛନ୍ତି ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ କବିତା ଦ୍ୱିବେଦୀ । କବିତା କହିଛନ୍ତି, “ଏହି ଲକ୍ ଡାଉନ ଆମକୁ ପ୍ରତିଦିନ ଜୀବନକୁ ନେଇ କିଛି ନା କିଛି ନୂଆ ଶିକ୍ଷା ଦେଉଛି । କାର୍ଯ୍ୟବ୍ୟସ୍ତତା ଭିତରେ ଆମେ ଆମ ମୂଳଠାରୁ ଧୀରେ ଧୀରେ ଦୂରେଇ ଯାଉଥିଲେ । ଲକ୍‌ଡାଉନ ଆମକୁ ଏକପ୍ରକାର ଏକାଠି କରିଛି । ଆମେ ଆମ ଅତୀତ, ବର୍ତ୍ତମାନ ସହ ଯୋଡିହୋଇ ଭବିଷ୍ୟତର ପନ୍ଥା ନିର୍ଦ୍ଧାରଣ କରିପାରିବାର ସୁଯୋଗ ଆଣିଦେଇଛି ।”

ଏଥିସହିତ ନିଜ ଦୀର୍ଘ ଅନୁଭୁତିକୁ ମନଭିତରୁ ସାଁଉଟି ଏହାକୁ କଲମରେ ଉତାରିବାରେ ଏବେ ନିମଗ୍ନ ରହୁଛନ୍ତି ସେ । ବିଭିନ୍ନ ସମୟରେ ଖବରକାଗଜ ଓ ବିଭିନ୍ନ ମାଗାଜିନରେ କବିତାଙ୍କ ସମ୍ପର୍କରେ ଲେଖାମାନ ପ୍ରକାଶ ପାଉଥିଲେ ସୁଦ୍ଧା ଘର ସାରା ଏଠି ସେଠି ରହିଥିବା ଏସବୁକୁ ଏବେ ସୁନ୍ଦର ଭାବରେ କାଟି ଫାଇଲରେ ସଜାଡି ରଖୁଛନ୍ତି ସେ । ଏଥି ସହ ବିଭିନ୍ନ ଷ୍ଟେଜ୍ ସୋର ଫଟୋଗୁଡିକୁ ଆଲବମରେ ସଜାଇ ରଖୁଛନ୍ତି । ବହୁ ବର୍ଷ ତଳୁ ସାଇତା ହୋଇ ରଖାଯାଇଥିବା ଫଟୋକୁ ଦେଖିବାକୁ ଓ ପୁରୁଣା ସ୍ୱୃତି ତାଜା କରିବାର ସମୟ ପାଇଥିବାରୁ ସେ ଏବେ ବେଶ୍ ଖୁସି ।

ନୃତ୍ୟ ଜଗତରେ ମଜ୍ଜି ରହୁଥିବା ରହୁଥିବା କବିତା ଏବେ ଘରର ଅନେକ କାମ କରୁଛନ୍ତି ଯାହା ଦୀର୍ଘ ଦିନରୁ ସେ କରିବା ପାଇଁ ଚିନ୍ତା କରୁଥିଲେ ସୁଦ୍ଧା କରିପାରୁନଥିଲେ ।  କବିତା ଏବେ ସକାଳୁ ଉଠିବା ମାତ୍ର ଘର ଝାଡୁ କରିବା ସହ ପୋଛାପୋଛି କରିଦେଉଛନ୍ତି । ତାପରେ ଯୋଗାଭ୍ୟାସ ଏବଂ ଠାକୁର ପୂଜା କରୁଛନ୍ତି । ଏହା ପରେ ଆରମ୍ଭ ହେଉଛି ରୋଷେଇ କାମ ଓ ନିଜ ମନପସନ୍ଦର ବ୍ୟଞ୍ଜନ ପ୍ରସ୍ତୁତି ନେଇ ପରୀକ୍ଷା ନିରୀକ୍ଷା ।

ଦୀର୍ଘ ଦିନ ହେଲା ସଜଡା ହୋଇପାରୁ ନ ଥିବା ଆଲମିରା ଓ ବହି ଥାକ ସଫା ସୁତରା କରୁଛନ୍ତି କବିତା ।
ଏସବୁ ଭିତରେ ପ୍ରତିଦିନ ନିଜେ ନୃତ୍ୟ ଅଭ୍ୟାସ ଜାରି ରଖିବା ସହ ଏଦିଗରେ ପାଦ ଥାପିଥିବା କୁନି ଠାରୁ ବଡ ଛାତ୍ରଛାତ୍ରୀଙ୍କୁ ଅନଲାଇନ ନୃତ୍ୟ କ୍ଲାସରେ ଅଭ୍ୟାସ କରାଉଛନ୍ତି କବିତା ।

Leave A Reply

Your email address will not be published.