Latest Odisha News

BREAKING NEWS

ବାକି ଛୁଟି ବାତିଲ୍‍ ହେଉ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

କରୋନା ମହାମାରୀ ଆତଙ୍କ ଏବେ ତ ଥମିବାର ସଂଭାବନା ଆଦୌ ନାହିଁ । ସେହି ଅନୁସାରେ ଦେଶରେ ଲକଡାଉନ ବଢିବାରେ ଲାଗିଛି । ଅନେକ ସ୍ଥାନରେ ଅନେକ କଟକଣା ଲାଗୁ ହୋଇଛି । କ୍ରମଶଃ ଦେଶର ଜିଲ୍ଲାଗୁଡ଼ିକୁ ବିଭିନ୍ନ ରଂଗର ଜୋନରେ ବିଭକ୍ତ କରାଯାଉଛି । ସେହି ଅନୁସାରେ, ସେଠାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଏହି ବର୍ଷ ମାର୍ଚ୍ଚ ୨୨ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଜନତା କର୍ଫ୍ୟୁ ଦେଶ ଦେଖି ସାରିଛି । ତାପରେ ଲକଡାଉନ ଆରମ୍ଭ ହୋଇ ତୃତୀୟ ପର୍ଯ୍ୟାୟ ଲକଡାଉନରେ ଦେଶ ପହଞ୍ଚିଛି । ଅନେକ ରାଜ୍ୟରେ ସ୍ଥିତି ବେଶ ଗମ୍ଭୀର ରହିଛି । ଲକଡାଉନ, ସଟଡାଉନ ପ୍ରକ୍ରିୟା ଭିତରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ପ୍ରାୟତଃ ବନ୍ଦ ରହିଛି । ରାଜ୍ୟରେ ସ୍କୁଲ ଗୁଡ଼ିକୁ ମାର୍ଚ୍ଚ ୧୬ ତାରିଖରୁ ବନ୍ଦ କରି ଦିଆଯାଇଥିଲା । କଲେଜ, ବିଶ୍ୱବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନ ଆଦି ବନ୍ଦ ରହିଛି ।

କିନ୍ତୁ କରୋନା ଲଢେଇରେ ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ, ମତ୍ସ୍ୟ ଓ ପଶୁ ସଂପଦ, ସାଧାରଣ ପ୍ରଶାସନ, ଗଣଶିକ୍ଷା ଆଦି ଅନେକ ବିଭାଗର କର୍ମଚାରୀମାନେ ସାମିଲ ହୋଇଛନ୍ତି । ଜୀବନକୁ ବାଜି ଲଗେଇ ଲୋକଙ୍କ ପାଇଁ ସେମାନେ ଲଢିଛନ୍ତି । ସେମାନେ ଗଲା ଦୁଇ ମାସ ମଧ୍ୟରେ ମୁହୂର୍ତ୍ତେ ବି ଛୁଟି ପାଇ ନାହାନ୍ତି ।

ହେଲେ ସବୁଆଡ଼େ ତ ଅବସ୍ଥା ସମାନ ନୁହେଁ । ଅନେକ ଜିଲ୍ଲାରେ ଅ୍ରପଲ ୧୪ ପରେ ସକାଳୁଆ ଅଫିସ ଆରମ୍ଭ ହୋଇ ଯାଇଛି । ଏହା ଜୁନ ୧୪ ଯାକେ ପୁଣି ଚାଲିବ । ସକାଳୁଆ ଅଫିସ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲେ । ମୋଟ ଉପରେ କହିବାକୁ ଗଲେ- ଏଇ ଗଲା ଦୁଇ ମାସ ମଧ୍ୟରେ ଲୋକଙ୍କ କାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି ।

ଅଧିକ ପଢନ୍ତୁ: ରୂପ, ଭେକ ସବୁ ବଦଳିବ…

ଅନେକ ସରକାରୀ ଅଫିସରେ ସେମାନଙ୍କ କାମ ଝୁଲି ରହିଛି । ସେମାନେ ଚାହିଁଲେ ବି ସେ ଅଫିସ ଯାଇପାରି ନାହାନ୍ତି । ପୁଣି ଅଧିକାଂଶ ଅଫିସ ରୋଷ୍ଟର ଡ୍ୟୁଟି କିମ୍ବା ଅଳ୍ପ କର୍ମଚାରୀଙ୍କୁ ନେଇ ଚାଲିଥିଲା । ସେହିପରି ସ୍କୁଲ ଗୁଡ଼ିକ ଶିକ୍ଷାବର୍ଷ ଅଧାରୁ ବନ୍ଦ ହୋଇଗଲା । ପରୀକ୍ଷା ହୋଇପାରିଲା ନାହିଁ । ଯୁକ୍ତ ଦୁଇ ପରୀକ୍ଷା ବି ବାକି ରହିଛି । ମାଟ୍ରିକ ଖାତା ଦେଖା ହୋଇପାରି ନାହିଁ । ନୂଆ ଶିକ୍ଷାବର୍ଷ କେବେ ଆରମ୍ଭ ହେବ, ତାକୁ ନେଇ ଅନିଶ୍ଚିତତା ଜାରି ରହିଛି । କଲେଜ ଓ ବିଶ୍ୱବିଦ୍ୟାଳୟରେ ଅବସ୍ଥା ତା’ଠାରୁ ଆହୁରି ଖରାପ ।

 

୨୦୨୦ ସତରେ ଆମ ପାଇଁ କୌଣସି ଶୁଭ ଖବର ନେଇ ଆସିଲା ନାହିଁ ।
ଏମିତି ଅବସ୍ଥାରେ ବର୍ଷକର ବାକିତକ ଛୁଟି ବାତିଲ ହୋଇଯିବା ଦରକାର । ରବିବାର ଗୁଡ଼ିକୁ ହୁଏତ ଛୁଟି ଦିଆଯାଇପାରେ । ଯେଉଁମାନେ କରୋନା ଲଢେଇରେ ସାମିଲ ହୋଇଛନ୍ତି- ସେମାନଙ୍କୁ ପର୍ଯ୍ୟାୟକ୍ରମେ ଦୁଇମାସ ଛୁଟି ଦିଆଯାଇପାରେ । ଏହା ଦରକାର । କିନ୍ତୁ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନରେ ବର୍ଷକର ବାକି ଛୁଟି ବାତିଲ ହେଉ । ଏହା ଜନସାଧାରଣଙ୍କ ହିତ ଦୃଷ୍ଟିରୁ ନିହାତି ଜରୁରୀ । ମୁଁ ଜାଣିଛି-ଅନେକ ଏହାକୁ ବିରୋଧ କରିବେ । ଛୁଟି ସଂପର୍କରେ ମୁଁ ଓକିଲାତି କରିବାକୁ କିଏ ବୋଲି ପଚାରିବେ । କିନ୍ତୁ ସେମାନେ ଜାଣି ରଖିବା ଉଚିତ୍‍- ଯଦି ସେମାନେ ସରକାରୀ ଚାକିରି କରୁଛନ୍ତି, ତେବେ ସେମାନେ ଲୋକମାନଙ୍କ ଚାକର । ବା ପବ୍ଲିକ ସର୍ଭ୍ୟାଣ୍ଟ । ସେମିତି ଲୋକମାନଙ୍କ ଟିକସ ପଇସାରେ ସେମାନେ ଦରମା ଓ ଡିଏ, ସପ୍ତମ ବେତନ କମିଶନ ବକେୟା ରାଶି ଆଦି ପାଉଛନ୍ତି । ଲୋକଙ୍କ କାମ କରିବାକୁ ସେମାନେ ଚାକିରି କରିଛନ୍ତି । ଛୁଟି କାଟିବାକୁ ଆଦୌ ନୁହେଁ ।

ସେହିପରି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଯେଉଁ ଲମ୍ବା ଛୁଟି ଆଗକୁ ରହିବ ଯେମିତି ଦୂର୍ଗାପୂଜା ଛୁଟି ତାହାକୁ ବନ୍ଦ କରିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ । ସେହିପରି ବିଦ୍ୟାଳୟଗୁଡ଼ିକରେ ଏବେ ବି ଏକ୍ସ ମାସ ଛୁଟି ବ୍ୟବସ୍ଥା ଚାଲୁ ରହିଛି । ତାହା ବି ଏ ବର୍ଷ ପାଇଁ ସରକାର ବନ୍ଦ କରି ଦିଅନ୍ତୁ । ଫଳରେ ପିଲାଙ୍କ ପଢାପଢି ଯେମିତି ସୁରୁଖୁର ଓ ବିନା ବାଧାରେ ହୋଇପାରିବ ।

 

ଜନସାଧାରଣ ଓ ଆମ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ଆମକୁ ତ ଏତିକି କରିବାକୁ ପଡ଼ିବ ନିଶ୍ଚିତ । ଆଉ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ବିଜ୍ଞପ୍ତି ପ୍ରକାଶ କରିବା ଉଚିତ୍‍ । ତାହା ଯେତେ ଶୀଘ୍ର ହେବ, ସେତେ ଭଲ । ସେତେ ବେହେତ୍ତର ।

ଇମେଲ୍‌: jpm.iimc@gmail.com

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.