Latest Odisha News

BREAKING NEWS

ମଦର ଗୃହପ୍ରବେଶ…

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ

କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୫ରୁ ସାରାଦେଶରେ ଲାଗୁ ହୋଇଥିଲା ଲକ୍ ଡାଉନ୍| ଜନସାଧାରଣଙ୍କ ଯାତାୟତ, ସମସ୍ତପ୍ରକାର ବାହ୍ୟ କାର୍ଯ୍ୟକଳାପ, ଦୋକାନବଜାର, ଶିଳ୍ପୋଦ୍ୟୋଗ, ବାଣିଜ୍ୟବ୍ୟବସାୟ ଆଦି ଉପରେ ଜାରିକରାଯାଇଥିଲା କଠୋର ନିଷେଧାଦେଶ| ଏହି କଟକଣା ଯୋଗୁ ମାର୍ଚ୍ଚ ଶେଷ ସପ୍ତାହରୁ ସ୍ପଷ୍ଟ ସରକାରୀ ନିର୍ଦ୍ଦେଶନାମା ଅନୁସାରେ କାଉଣ୍ଟରରେ ମଦବିକ୍ରି ମଧ୍ୟ ବନ୍ଦଥିଲା| ସ୍ବାସ୍ଥ୍ୟଗତ ଓ ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି ଏହା ଅନିବାର୍ଯ୍ୟ ଥିଲା| ମାତ୍ର ବିଭିନ୍ନ ବର୍ଗର ଲୋକଙ୍କ ଜୀବିକା ତଥା ଦେଶର ଆର୍ଥିକ କ୍ରିୟାକଳାପକୁ ପୁନଃ ସଂଚାଳିତ କରିବାର ଆବଶ୍ୟକତା ଦେଖାଦେବାରୁ ସରକାର ସେମାନଙ୍କ ଚଳପ୍ରଚଳ ଓ କାରବାରକୁ ପର୍ଯ୍ୟାୟକ୍ରମେ ମୁକ୍ତକରିବାକୁ ଏକ ମାର୍ଗଦର୍ଶିକା ପ୍ରସ୍ତୁତକରି ସବୁ ରାଜ୍ୟ ସରକାରଙ୍କୁ ମେ ୪ ତାରିଖରୁ ପ୍ରଦାନକରିଥିଲେ| ଏହି ନୀତିକୁ ଆଧାରକରି ବିଭିନ୍ନରାଜ୍ୟ ଶାସନ ସମେତ ଓଡ଼ିଶା ସରକାର ମଧ୍ୟ ବିଭିନ୍ନ କ୍ଷେତ୍ରକୁ କାର୍ଯ୍ୟକଳାପ ଲାଗି ଅନୁମତିଦେବା ସହିତ ମଦବିକ୍ରି ଉପରୁ ମଧ୍ୟ କଟକଣା ହଟାଇଦେଇଥିଲେ| ମଦିରା-ଉପଭୋକ୍ତାମାନେ ଯେପରି ନିୟମନିଷ୍ଠା ସହିତ ଶାରୀରିକ ଦୂରତା ରକ୍ଷାକରି କାଉଣ୍ଟରରୁ ବୋତଲ କିଣିନେଲେ ତାହା ନାଗରିକର ଦାୟିତ୍ବପରାୟଣତାକୁ ପ୍ରତିପାଦିତ କରିଥିଲା|

ଅଧିକ ପଢନ୍ତୁ: ବଞ୍ଚିବାକୁ ହେବ ଭୂତାଣୁ ସହ…

ଅବଶ୍ୟ ପ୍ରତି ବିକ୍ରୟ କେନ୍ଦ୍ରରେ ପୋଲିସ ମୁତୟନ ବିପଣନକୁ ଆହୁରି ଶୃଙ୍ଖଳିତ କରିଦେଇଥିବା ଦେଖିବାକୁ ମିଳିଥିଲା| ଅନନ୍ୟ ଦୃଷ୍ଟାନ୍ତସ୍ବରୂପ ବିହାରରେ ଗ୍ରାହକଙ୍କୁ ଇଶ୍ବର ଜ୍ଞାନରେ ଗୋଲାପ ଫୁଲର ପାଖୁଡ଼ା ପକାଇ ସ୍ବାଗତ କରାଯାଇଥିଲା| କାରଣ ଦେଶର ଅଭିବୃଦ୍ଧି ପ୍ରତି ସମର୍ପିତ ଏହି କ୍ରେତାମାନଙ୍କ ଯୋଗୁ ସେମାନଙ୍କର ଭାଙ୍ଗିଯାଇଥିବା ବେପାର ପୁଣିଥରେ ଠିଆହେବାକୁ ଯାଉଥିଲା| କିଛିଦିନ ଏପରି ଚାଲିଲା| କିନ୍ତୁ ଅଚାନକ୍ ଓଡ଼ିଶା ସରକାର କାଉଣ୍ଟର ସେଲ୍ ବନ୍ଦକରିଦେଇ ଶନିବାର ଇ-କମର୍ସ ପ୍ରତିଷ୍ଠାନ ଜରିଆରେ ପାନୀୟକୁ ଘରେ ପହଞ୍ଚାଇଦେବାକୁ ବା ହୋମ୍ ଡେଲିଭରୀ ଲାଗି ଅନୁମତି ପ୍ରଦାନ କରିଛନ୍ତି| ଫଳରେ ଲାଇସେନ୍ସପ୍ରାପ୍ତ ମଦଦୋକାନୀମାନେ ଏଣିକି କେବଳ ଭାରତରେ ପ୍ରସ୍ତୁତ ବିଦେଶୀ ପାନୀୟ ଇଛୁକ ବ୍ୟକ୍ତିଙ୍କୁ ଯୋଗାଇଦେବେ| ତେବେ ସରକାର ସବୁପ୍ରକାର ବିଦେଶୀ ମଦ ତଥା ବିଅର୍ ପାଇଁ ଥିବା ୨୦୧୯-୨୦ର ଖୁଚୁରା ମୂଲ୍ୟ ଉପରେ ୫୦ ପ୍ରତିଶତ ସ୍ବତନ୍ତ୍ର କୋଭିଡ ଫି’ ଲାଗୁକରିଛନ୍ତି, ଯାହା କୋଭିଡ ନିୟନ୍ତ୍ରଣରେ ବ୍ୟୟ ଲାଗି ହେବ ଏକ ଜରୁରୀ ପାଣ୍ଠି|

ପିଉଥିବା ବ୍ୟକ୍ତିମାନେ ଏବେ ରବିବାର ଠାରୁ ଘରେବସି ଇଣ୍ଟରନେଟରେ ଆବଶ୍ୟକ ବ୍ରାଣ୍ଡର ଅର୍ଡର କରିପାରିବେ| ଏଥିପାଇଁ ଘରେ ଖାଦ୍ୟ ଯୋଗାଇଦେଉଥିବା ଜୋମାଟୋ, ସ୍ବିଗି ପରି ସଂସ୍ଥାମାନଙ୍କର ସହାୟତା ନିଆଯାଇପାରିବ ବୋଲି ଚର୍ଚ୍ଚା ହେଉଛି| ଅବଶ୍ୟ ମଦର ହୋମ୍ ଡେଲିଭରୀ କଥାଟି କିଛି ନୂଆ ନୁହେଁ| ସରକାରଙ୍କ ବଜାର ଖୋଲିବା ନିଷ୍ପତ୍ତି ସମୟରୁ ଭାରତର ମଦିରା ମହାସଙ୍ଘ ଇ-କମର୍ସ ଫାର୍ମଗୁଡ଼ିକ ଜରିଆରେ ନିଶା-ପାନୀୟର ହୋମ୍ ଡେଲିଭରୀ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ| କେନ୍ଦ୍ର ରାଜ୍ୟକୁ ଏପ୍ରସଙ୍ଗରେ ନିଷ୍ପତ୍ତି ନେବା ସକାଶେ ଛାଡ଼ିଦେଇଥିଲେ| ତାହା ଏବେ କାର୍ଯ୍ୟରେ ପରିଣତ ହୋଇଛି|

ତେବେ ଏହି ହୋମ୍ ଡେଲିଭରୀ ନିଷ୍ପତ୍ତି ଗରିବ ଶ୍ରେଣୀର ନିଶାଡ଼ିଙ୍କ ସୁରକ୍ଷାକୁ ନଜରରେ ରଖି ହୋଇଥିବା ମନେହେଉଛି| କାରଣ ଅଳପଧନ ଥିବା ସୁରାପ୍ରେମୀ ଲୋକେ ଯେପରି କୁଆଡୁକେମିତି ଟଙ୍କା ଯୋଗାଡ଼କରି ଝଟକିନା ଯାଇ କାଉଣ୍ଟରରୁ କିଣିଆଣୁଥିଲେ, ଏବେ ତାହା ହୋଇପାରିବ ନାହିଁ| ପୁଣି ୧୦୦ଟଙ୍କା ଉପରେ ଅଧିକ ୫୦ଟଙ୍କା କୋଭିଡ ଦେୟ ସହିତ ଘରେ ପହଞ୍ଚକରିବା କମ୍ପାନୀମାନଙ୍କ ଚାର୍ଜ ଲାଗୁହୋଇଗଲେ ମଦ ଖୁବ୍ ମହର୍ଗ ହେବ| ସରକାରଙ୍କ ବିଚାର ପଛରେ ଯଦି ଏହି ମହତ ଉଦ୍ଦେଶ୍ୟଟି ରହିଥାଏ ତେବେ ଘରଚଳାଇବାକୁ ନିଅଣ୍ଟିଆ ସଂସାରରେ ମଦପିଆ ଯୋଗୁ ଯେଉଁ ଚଡ଼କ ପଡୁଥିଲା ସେଥିରେ ନିଶ୍ଚୟ ରୋକ ଲାଗିବ|

ଅଧିକ ପଢନ୍ତୁ: ପ୍ରବାସୀ ଶ୍ରମିକ ସମସ୍ୟାର ପରିଚାଳନା ଏକ ଆହ୍ୱାନ

କିନ୍ତୁ ମହାତ୍ମା ଗାନ୍ଧିଙ୍କ ସ୍ବପ୍ନର ଭାରତରେ ସମ୍ପୂର୍ଣ୍ଣ ନିଶା ନିବାରଣ କାର୍ଯ୍ୟକାରୀ କରିବା ଲାଗି ଲୋକେ କିମ୍ବା ରାଜ୍ୟସରକାର କେହି ଆଗ୍ରହୀ ନୁହଁନ୍ତି| ଲୋକେ ନିଶାରୁ ମିଳୁଥିବା ଉତ୍ତେଜନାକୁ ତେଜିପାରୁନଥିବା ବେଳେ ଏହାର ବିକ୍ରିବଟାରୁ ସରକାରଙ୍କୁ ମିଳିଯାଉଛି ବିପୁଳ ପରିମାଣର ସହଜ ରାଜସ୍ବ| ତେଣୁ ନିଶାପାନୀୟ ବନ୍ଦକରିବା ଶାସନର ମୌଳିକ ଦାୟିତ୍ବ ନହୋଇ ଡାରେକ୍ଟେଟିଭ୍ ପ୍ରିନନ୍ସପୁଲସ୍ ରେ ଏହାକୁ ଆଦର୍ଶ ସମାଜ ବ୍ୟବସ୍ଥାର ଏକ ଅଙ୍ଗ ଭାବେ ତାଲିକାଭୂକ୍ତ କରାଯାଇଛି| ଏହା ହାସଲ କରିବା ଲାଗି ସରକାରମାନେ ଉଦ୍ୟମକରିବେ ବୋଲି ବଡ଼ ଆଶ୍ବାସନା ଦିଆଯାଇଛି| ଏ ନିମ୍ନସ୍ତରର ଅର୍ଥନୀତି ଏପରି ବିଚିତ୍ର ଯେ, ସରକାର ଏହି ରୋଜଗାରରୁ ସ୍ବାସ୍ଥ୍ୟ, ଶିକ୍ଷା ଆଦି ମାନବୀୟ କାର୍ଯ୍ୟ ଲାଗି ଖର୍ଚ୍ଚକରୁଛନ୍ତି ଏବଂ କଲ୍ୟାଣମୂଳକ ଅର୍ଥନୀତିର ବ୍ୟୟଭାର ସମ୍ଭାଳିବା ନିମନ୍ତେ ଏହି ଅର୍ଥର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ନେଇ ଛାତିବାଡ଼େଇ ଯୁକ୍ତି କରୁଛନ୍ତି|

ସରକାର ହିସାବ କରିଛନ୍ତି, କୋଭିଡ ଚଡ଼କ ବେଳେ ସାରାଦେଶରେ ମଦବିକ୍ରି ବନ୍ଦହେବାରୁ ଦୈନିକ ୭୦୦କୋଟି ଟଙ୍କାର ରାଜସ୍ବ ହାନିହେଉଛି ଅର୍ଥାତ୍ ବର୍ଷକୁ ରାଜ୍ୟମାନେ ସହୁଛନ୍ତି ୨.୫ଲକ୍ଷ କୋଟିର କ୍ଷତି| ଅଥଚ ଏହି ମଦ ଯୋଗୁ କେତେ ପରିବାର ଉଚ୍ଛନ୍ନ ହେଉଛନ୍ତି, ରୋଗ ଓ ଦୁର୍ଘଟଣାର ଶୀକାର ହେଉଛନ୍ତି ଏବଂ ସେମାନଙ୍କ ଚିକିତ୍ସାରେ ବିପୁଳ ଖର୍ଚ୍ଚହେଉଛି ତାହାର ହିସାବ କ’ଣ ଏମାନେ କରୁନାହାଁନ୍ତି? ଅନ୍ୟଭାବରେ କହିଲେ, ସରକାରଙ୍କୁ ଯେତିକି ରାଜସ୍ବ ମିଳୁଛି ତାହାର ବହୁଗୁଣ ଏହି ଦୁର୍ଭାଗ୍ୟ ଯୋଗୁ ନାଳକୁ ବୋହିଯାଉଛି| ପୁଣି ନିଶାକାରବାରକୁ ଶୃଙ୍ଖଳିତକରିବା ପାଇଁ ସରକାରଙ୍କୁ ଏକ ଅବକାରୀ ବିଭାଗ ଖୋଲିବାକୁ ପଡ଼ିଛି, ଯେଉଁଥିରେ ନିଯୁକ୍ତ କର୍ମଚାରୀମାନଙ୍କ ଦରମା, ଭତ୍ତା, ପେନ୍ସନ ବାବଦକୁ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଛି| ସରକାରମାନେ ଏହି ଭ୍ରଷ୍ଟ ବା ପାପଚକ୍ରରେ ପଡ଼ିଯାଇଛନ୍ତି| ଲାଗୁଛି, ଏପରି ବିରୋଧାଭାସରୁ ଯେମିତି ଏଦେଶର ମୁକ୍ତିନାହିଁ|

ବର୍ତ୍ତମାନର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପିତା ଶ୍ରଦ୍ଧେୟ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ରାଜ୍ୟରେ ବିଶେଷତଃ ଆଦିବାସୀ ଜିଲ୍ଲାମାନଙ୍କରେ ମଦ ବ୍ୟବହାରକୁ ବନ୍ଦକରିବା ପାଇଁ ସରକାରୀ ବ୍ୟବସ୍ଥା ଉପରୁ ଆସ୍ଥାହରାଇ ଏକ ଅଭିନବ ଉପାୟର ଘୋଷଣା କରିଥିଲେ| ତାହା ଥିଲା ମହିଳାମାନଙ୍କୁ ମଦଭାଟି ଭାଙ୍ଗିବା ଲାଗି ପରାମର୍ଶ| ଫଳରେ ଗାଁଗଣ୍ଡାରେ ନିରଙ୍କୁଶ ଭାବେ ଭାଟି ଓ ଦୋକାନ ଖୋଲିପକାଉଥିବା ଦେଶୀମଦଭାଟି ମାଲିକମାନେ ତ୍ରାହିତ୍ରାହି ଡାକିଲେ|

ଅଧିକ ପଢନ୍ତୁ: ସୁରା ପାଣ୍ଠିରେ କରୋନା ଲଢ଼େଇ !

ଏପରିକି ମଦର ସୁରକ୍ଷା ଲାଗି ରହିଥିବା ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ପ୍ରଶାସନ ଆଇନର ଦ୍ବାହିଦେଇ ମହିଳାଙ୍କ ନାମରେ କରୁଥିବା ମକଦ୍ଦମାକୁ ଉଠାଇଦେବା ତଥା କାର୍ଯ୍ୟାନୁଷ୍ଠାନ ବନ୍ଦକରିବା ସକାଶେ ମଧ୍ୟ ବିଜୁବାବୁ ତତ୍କାଳୀନ ପୋଲିସ ମହାନିର୍ଦ୍ଦେଶକ ପ୍ରଫୁଲ୍ଲ ରଥଙ୍କୁ ତାଗିଦ କରୁଥିଲେ| ମାତ୍ର ଏସବୁ ଚକ୍ରବ୍ୟୁହ ଭଳି| ଅବକାରୀ ନୀତି ଅନୁସାରେ ସରକାର ପ୍ରତିବର୍ଷ ଅଧିକରୁ ଅଧିକ ମଦଦୋକାନ ଖୋଲିବା ପାଇଁ ଲାଇସେନ୍ସଦେବା ଜାରି ରଖିଥିବା ବେଳେ ନିଶା ନିବାରଣ ଏକ ବିଡ଼ମ୍ବନା ହୋଇ ରହିଥିବ| ଅନ୍ତତଃ ସବୁକାଳ ପାଇଁ ଏହି ହୋମ୍ ଡେଲିଭରୀ ବ୍ୟବସ୍ଥା ଚାଲୁରହିଲେ ଅସ୍ବଛଳ ବର୍ଗ ନିଶାପାଣିର-ଭଉଁରୀ ଭିତରୁ ମୁକ୍ତି ପାଆନ୍ତେ| ଏହା ମଦମୁକ୍ତ ଓଡ଼ିଶା ନିର୍ମାଣ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ସୋପାନ ହୋଇପାରିବ|

( ସ୍ତମ୍ଭକାର ଜଣେ ବରିଷ୍ଠ ସାମ୍ବାଦିକ )

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.