Latest Odisha News

BREAKING NEWS

ଢେଙ୍କାନାଳରୁ ପୁରୀ ଶ୍ରୀକ୍ଷେତ୍ର; ବାଇକ୍‌ରେ ଭକ୍ତ ଆଣୁଛନ୍ତି ତୁଳସୀ !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ ଏକ ଅପରିହାର୍ଯ୍ୟ ଦ୍ରବ୍ୟ । ସମସ୍ତ ପୁଷ୍ପ ଅପେକ୍ଷା ତୁଳସୀ ପ୍ରତି ଶ୍ରୀଜଗନ୍ନାଥଙ୍କର ଶ୍ରଦ୍ଧା ଅଧିକ ମାତ୍ରାରେ ରହିଥାଏ । ଦୈନିକ ଭକ୍ତମାନେ ବିଭିନ୍ନ ସ୍ଥାନରୁ ତୁଳସୀ ଆଣି ଶ୍ରୀମନ୍ଦିରରେ ଯୋଗାଇଦେଇ ଥାଆନ୍ତି । ଏବେ ଲକ୍‌ଡାଉନ୍ ଯୋଗୁଁ ପୁରୀ ଶ୍ରୀମନ୍ଦିରକୁ ପୂର୍ବରୁ ଯେତେମାତ୍ରାରେ ତୁଳସୀ ଆସିବା କଥା ତାହା ହୋଇପାରୁନାହିଁ । ମାତ୍ର ଏହି ଲକ୍‌ଡ଼ାଉନରେ ମଧ୍ୟ ଶ୍ରୀକ୍ଷେତ୍ରକୁ ଆସୁଛି ତୁଳସୀ । ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲାଗି କରାଯାଉଛି ସୁଦୂର ଢେଙ୍କାନାଳରୁ ଆସୁଥିବା ପବିତ୍ର ତୁଳସୀ ।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବାଙ୍ଗୁରୁସିଂହ ପଞ୍ଚାୟତ ଅନ୍ତର୍ଗତ ଏକଘରିଆ ଗ୍ରାମରେ ରହିଛି ଭକ୍ତକବି ଦୀନକୃଷ୍ଣ ଦାସ ସାଧନା ପୀଠ । ଏହି ସାଧନାପୀଠଟି ଏବେ ଶରଣ ଶ୍ରୀକ୍ଷେତ୍ର ଭାବେ ପରିଚିତ । ଏହି ପୀଠରେ ରହିଛି ବିଶାଳ ତୁଳସୀ ଉଦ୍ୟାନ । ଏହି ତୁଳସୀ ଉଦ୍ୟାନରୁ ଶ୍ରୀକ୍ଷେତ୍ରକୁ ଆସୁଛି ତୁଳସୀ । ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲାଗି କରାଯାଉଛି ପବିତ୍ର ତୁଳସୀ । ସପ୍ତାହକୁ ୩ ଦିନ ଏହି ତୁଳସୀ ଏକଘରିଆ ଗ୍ରାମରୁ ପୁରୀକୁ ଆଣିଥାଆନ୍ତି ଭକ୍ତ ପ୍ରମୋଦ କୁମାର ପରିଡ଼ା । ଭକ୍ତ ପ୍ରମୋଦ ଏବେ ଚିଣ୍ଟୁବାବା ଭାବେ ପରିଚିତ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସେ ଜଣେ ପରମ ଭକ୍ତ ।

ଏବେ ଲକ୍‌ଡାଉନ୍ ସମୟରେ ମହାପ୍ରଭୁଙ୍କୁ ତୁଳସୀ ଯୋଗାଇବା ହ୍ରାସ ପାଉଥିବା ଜାଣି ଚିଣ୍ଟୁବାବା ନିଜେ ଦୀର୍ଘ ୧୧୦ କିଲୋମିଟର ବାଇକ୍ ଯୋଗେ ଆସି ଶ୍ରୀମନ୍ଦିରରେ ତୁଳସୀ ଯୋଗାଇ ଦେଇଥାଆନ୍ତି । ଭକ୍ତ ଚିଣ୍ଟୁ ବାବା ଯେ, ଏବେ ତୁଳସୀ ଦେଉଛନ୍ତି ତାହାନୁହେଁ ୨୦୧୬ ମସିହାରୁ ଚିଣ୍ଟୁବାବା ପ୍ରତି ସପ୍ତାହରେ ତିନିଦିନ ତୁଳସୀ ଆଣିଥାଆନ୍ତି ।

ଚିଣ୍ଟୁବାବାଙ୍କ କହିବାନୁଯାୟୀ ଏକଘରିଆରେ ଥିବା ଭକ୍ତକବି ଦୀନକୃଷ୍ଣ ଦାସ ସାଧନା ପୀଠର ତୁଳସୀ ଉଦ୍ୟାନର ତୁଳସୀ ଏବଂ ଆଖପାଖ ଗ୍ରାମବାସୀମାନେ ବିଭିନ୍ନ ସୁବାସିତ ଫୁଲ, ଫଳ, ପରିବା, ପଦ୍ମଫୁଲ ଏବଂ ଦୟାଣ ମାଳ ମଧ୍ୟ ସଂଗ୍ରହ କରି ଯୋଗାଇଦେଇ ଥାଆନ୍ତି । ଚିଣ୍ଟୁବାବା ତାଙ୍କ ବାଇକଟିକୁ ଏକ ରଥ ପରି ସଜ୍ଜିତ କରିଛନ୍ତି । ଏହି ବାଇକରେ ରହିଛି ତୁଳସୀ ହୁଣ୍ଡି । ପୁରୀ ଆସିବା ବାଟରେ ଭକ୍ତମାନେ ଭକ୍ତିସହକାରେ ତୁଳସୀ, ଫୁଲ, ଦୟାଣ ଏହି ହୁଣ୍ଡିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରଖିଦିଅନ୍ତି । ଏହାକୁ ପୁରୀ ଆଣି ଚିଣ୍ଟୁବାବା ଶ୍ରୀମନ୍ଦିରରେ ସେବକଙ୍କୁ ଯୋଗାଇଦିଅନ୍ତି ।

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ତୁଳସୀ ପ୍ରତି ଅହେତୁକ ଆକର୍ଷଣ ସାଙ୍ଗକୁ ଚିଣ୍ଟୁବାବାଙ୍କ ଏହି କଷ୍ଟସାଧ୍ୟ କାର୍ଯ୍ୟ ଏବେ ସବୁଆଡ଼େ ଚର୍ଚ୍ଚା । ଏତେଦିନ ଧରି ବାଇକରେ ଏତେବାଟ ଆସୁଥିଲେ ମଧ୍ୟ କେବେ ବି କୌଣସି ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି ବୋଲି କହନ୍ତି ଚିଣ୍ଟୁବାବା ।

Leave A Reply

Your email address will not be published.