Latest Odisha News

BREAKING NEWS

ପ୍ରଭୁ ଅଲାରନାଥଙ୍କୁ ଦର୍ଶନ ଲାଗି ବ୍ରହ୍ମଗିରିରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ/ବ୍ରହ୍ମଗିରି : ପୁରୀ ଶ୍ରୀମନ୍ଦିରର ଅଣସର ଘରେ ଏବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ପୁରୀରୁ ୩୫ କିମି ଦୂର ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କୁ ଏବେ ଭକ୍ତମାନେ ଦର୍ଶନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରୁଛନ୍ତି ।

ହଜାର ହଜାର ଭକ୍ତମାନେ ଭିଡ଼ ଲାଗିଲାଣି ବ୍ରହ୍ମଗିରିରେ । ଭଗବାନ ବିଷ୍ଣୁ ପ୍ରଭୁ ଅଲାରନାଥ ରୂପେ ବ୍ରହ୍ମଗିରିରେ ବିରାଜମାନ କରିଛନ୍ତି । ବର୍ଷସାରା ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରୁଥିଲେ ମଧ୍ୟ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଅଣସର ଘରେ ୧୫ ଦିନ ରହିବା ସମୟରେ ହିଁ ଏଠାରେ ଅଲାରନାଥଙ୍କୁ ଦର୍ଶନ କରି ଶ୍ରୀଜଗନ୍ନାଥଙ୍କ କୃପା ଲାଭ କରିଥାନ୍ତି ।

ଶୁକ୍ରବାର ଦିନ ଅଲାରନାଥ ପୀଠରେ ଭୋର ୪:୩୦ରେ ସମସ୍ତ ନୀତିକାନ୍ତି ଆରମ୍ଭ ହେବା ପରେ ସକାଳ ୭ଟାରୁ ହିଁ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ପ୍ରଭୁ ଅଲାରନାଥ । ମନ୍ଦିର ସେବାୟତମାନଙ୍କ ଦ୍ୱାରା ପାରମ୍ପରିକ ବେଶ, ଚନ୍ଦନ ତୁଳସୀ ଲାଗି ଏବଂ ଗୋପାଳ ବଲ୍ଲଭ ନୀତି ସମ୍ପନ୍ନ ହେବା ପରେ ଭକ୍ତମାନେ ମନ୍ଦିର ମଧ୍ୟରେ ଦର୍ଶନ କରିଥିଲେ ।

ଠାକୁରଙ୍କର ସକାଳ ଧୂପ ମଧ୍ୟାହ୍ନ ୧୨ଟାରେ ସମ୍ପନ୍ନ ହେବା ପରେ ମଧ୍ୟାହ୍ନ ଧୂପ ଦିନ ୧ଟାରେ ପୂଜକ ମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ପହୁଡ଼ ପଡ଼ି ଠାକୁରଙ୍କ ପହୁଡ଼ ଖୋଲିବା ପରେ ଦିନ ୨ଟା ସମୟରୁ ହିଁ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ଠାକୁର ଅଲାରନାଥ ।

ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ଶୁକ୍ରବାର ଠାରୁ ସନ୍ଧ୍ୟା ଆଳତୀ ୭ଟା ରେ ହେବାର ସ୍ଥିର ହୋଇଛି । ସେହିପରି ମଇଲମ ଓ ସନ୍ଧ୍ୟାଧୂପ ବିଧି ଯଥାକ୍ରମେ ସନ୍ଧ୍ୟା ୭:୩୦ ଏବଂ ରାତ୍ର ୧୧ଟା ସମୟରେ ଯଥାବିଧି ଅନୁଷ୍ଠିତ ହେବ ।

ରାତିରେ ବଡ଼ସିଂହାର ବେଶ ସମ୍ପନ୍ନ ହେବାପରେ ମନ୍ଦିର ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ ରହିବ ।

ମନ୍ଦିର ସେବାୟତଙ୍କ କହିବାନୁଯାୟୀ “ଅଲାରନାଥଙ୍କ ନିକଟରେ ଏହି ପାରମ୍ପରିକ ନୀତିକାନ୍ତି ଆସନ୍ତା ୧୫ଦିନ ଧରି ସୂଚାରୁରୂପେ ସମ୍ପନ୍ନ ହେବାର ବିଧି ରହିଛି” ।

ହଜାର ହଜାର ଭକ୍ତଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.