ଲକ୍ ଡାଉନ୍ ଅନୁଚିନ୍ତା: ଆସ ଜୀବନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର

ଜଙ୍ଗଲ ଭିତରେ ପ୍ରତିଯୋଗିତା ଚାଲୁଥିବା ବେଳେ ଆମେ ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଭୂଲିଯାଉ । ଆମର ଲକ୍ଷ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ବିନ୍ଦୁରେ କେନ୍ଦ୍ରିତ ଥାଏ । କେମିତି ପ୍ରତିଯୋଗିତାରେ ବିଜୟୀ ହେବା । କିନ୍ତୁ ତା ବାହାରେ ଆହୁରି ବି ଜୀବନ ଅଛି, ଏକଥା କେହି ଭାବୁନା ।

ସେମିତି ଆଜି ପର୍ଯ୍ୟନ୍ତ ଆମ ଜୀବନରେ ଆମେ କେବଳ ଦୌଡ଼ି ଚାଲିଥିଲୁ । ଆଗକୁ ଆଗକୁ । ଯଦିଓ ତାହା ଆଗ କି ପଛ, ଆମେ ଜାଣିନେ । ଯଦି ତାହା ଆଗ ହୋଇଥାନ୍ତା, ତାହେଲେ ଆଜି କୋଭିଡ଼୍‌-୧୯ ବା କରୋନା କାହିଁକି ଆସିଥାନ୍ତା! ଆଜିର କରୋନା କ’ଣ ଆମ ପାଗଳ ଦୌଡ଼ର ପରିଣାମ ନୁହେଁ କି?

ସବୁବେଳେ ତ ଆମେ ଦୌଡ଼ି ଚାଲୁଛେ, ଚାକିରୀର କାମ ପାଇଁ, ଟଙ୍କା ପାଇଁ, ଉନ୍ନତି ପାଇଁ, କ୍ୟାରିଅର ପାଇଁ, ସଂସାର ପାଇଁ, ପରିବାର ପାଇଁ, ନିଜେ ସୁନ୍ଦର ହେବା ପାଇଁ, ଅନ୍ୟକୁ ନିଚ୍ଚା ଦେଖେଇବା ପାଇଁ, ପୁରସ୍କାର ପାଇଁ, ପ୍ରତିଷ୍ଠା ପାଇଁ, ପ୍ରେମକୁ ହାସଲ କରିବା ପାଇଁ, ଅନ୍ୟର କ୍ଷତି କରିବା ପାଇଁ, ଅନ୍ୟମାନଙ୍କ ଆଗରେ ନିଜର ଗୁରୁତ୍ୱ ବଢ଼େଇବା ପାଇଁ, ଲୋକମାନଙ୍କୁ ଭୂଆଁ ବୁଲେଇବା ପାଇଁ, ନିଜ ଗୁରୁଙ୍କ ସମ୍ମୁଖରେ ନିଜର ଚାଟୁକାରୀତା ପ୍ରଦର୍ଶନ କରିବା ପାଇଁ- ଏମିତି ଅନେକ କାମରେ ଆମେ କେବଳ ଦୌଡ଼ୁଥିଲେ । ଦୌଡ଼ୁଥିଲେ ଆଗକୁ ଆଗକୁ । ପୁଣି ସେହି ପୁରୁଣା ପ୍ରଶ୍ନ- ଏହା ଆଗ ନା ପଛ !

ଏସବୁ ଦୌଡ଼ିବା ଭୂଲ୍ ନୁହେଁ କି ଠିକ୍ ନୁହେଁ । ଭୂଲ୍ ଠିକ୍‌ର ନିକିତିରେ ଏହାକୁ ବିଚାର ବି କରିହେବ ନାହିଁ । ଏତିକି ଧରିନେବା, ଆମେ ଏମିତି ହିଁ କରୁଥିଲୁ ।

ଆଜି ପରିସ୍ଥିତି ଆମ ସମସ୍ତଙ୍କୁ ଘର ଭିତରେ ବନ୍ଦ ରହିବାକୁ ବାଧ୍ୟ କରିଛି । ଯାହାକୁ କୁହାଯାଉଛି ‘ଲକ୍ ଡାଉନ୍‌’ । ଯଦିଓ ଏହା ଗୋଟେ ପରିସ୍ଥିତି, ଆସନ୍ତୁ ଏହାକୁ ଏକ ସୁଯୋଗ ଭାବିବା ଓ ଏହାର ସଦ୍‌ବ୍ୟବହାର କରିବା । ଏବେ ଆମ ପାଖରେ ଦୌଡ଼ିବା ପାଇଁ ଅବସର ନାହିଁ କି ସେ ସୁଯୋଗ ବି ନାହିଁ । ଆସନ୍ତୁ ଏଇ ଲକ୍ ଡାଉନ୍ ସମୟରେ ଟିକେ ସ୍ଥିର ହେବା । ଦୌଡ଼ିବାରେ ମାତି ଯାଇ ଆମେ ଯେଉଁ ଆମ ଚାରିପଟର ସୌନ୍ଦର୍ଯ୍ୟକୁ ଦେଖିବାକୁ ଭୂଲି ଯାଇଥିଲେ, ସେହି ଚାରିପଟକୁ, ଚାରିପଟର ସୌନ୍ଦର୍ଯ୍ୟକୁ ସଚେତନତାର ସହ ଦେଖିବା । ସବୁବେଳେ ଆମ ଭିତରେ ଯେଉଁ ପ୍ରତିଯୋଗିତାର ଭାବନା ରହୁଥିଲା, ସେ ଭାବନାରୁ ମୁକ୍ତ ହୋଇ ପରିବାର ଭିତରେ ରହି, ସେ ନିସର୍ତ ସ୍ନେହଁ ଓ ପ୍ରେମକୁ ଅନୁଭବ କରି ଜୀବନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା । ଆମ ପରିବାରର ସେହି ନିସର୍ତ ସ୍ନେହଁ ପ୍ରେମକୁ ଅନୁଭବ କରି ଆମେ ଆମ ଭିତରର ସ୍ନେହଁ ଓ ଭଲପାଇବାକୁ ବ୍ୟାପକ କରିବା, ସାରା ଦେଶ ପାଇଁ ସାରା ମାନବ ସମାଜ ପାଇଁ । ଏମିତି ହେଲେ ଆମ ଭିତରୁ ଘୃଣା ଇର୍ଷା ପରଶ୍ରୀକାତରତା, ଷ୍ଟ୍ରେସ୍‌, ରକ୍ତଚାପ କମି ସକରାତ୍ମକତା ନିଶ୍ଚୟ ବଢ଼ିବ, ଯାହା ଆମ ପାଇଁ ନିହାତି ଦରକାର ।

ସରକାର ଓ ଅନ୍ୟମାନେ କହୁଛନ୍ତି ଲକ୍ ଡାଉନ୍‌ରେ ୱାର୍କ ଫ୍ରମ ହୋମ୍ । ମୁଁ ତ କହୁଛି ୱାର୍କ ଫ୍ରମ୍ ହୋମ୍ ନୁହେଁ ନୁହେଁ । କେବଳ ଷ୍ଟେ ଆଟ୍ ହୋମ୍ । ହଁ, ଷ୍ଟେ ଆଟ୍ ହୋମ୍ । ଏହାର ଅର୍ଥ ଘରେ ରୁହ । କେବଳ ଘରେ ରୁହ । ଘରେ ଦେହ, ବାହାରେ ମୁଣ୍ଡ, ଏମିତି ନୁହେଁ । ଘରେ ମୁଣ୍ଡ, ମନ ଓ ଆତ୍ମା ସବୁ ରଖ । କାମ ତ ଅନେକ ଦିନ ହେଲା ଚାଲିଛି । ଏବେ ଖାଲି ଟିକିଏ ଘରେ ରୁହ । କବାଟ ପାଖକୁ ଆସି ବାହାରକୁ ଦେଖ । ଝରକା ପଟୁ ବାହାରର ସଜନା ଗଛକୁ ଦେଖ । ଏବେ ସେଥିରେ ଲମ୍ବା ଲମ୍ବା ସଜନା ଛୁଇଁ ଓହଳିଛି । ଯେତିକି ବି ଚଢ଼େଇ ବଂଚେଇ ରଖିଛେ ଆମେ ଆମ ପୃଥିବୀରେ, ତାଙ୍କ କାକଳୀକୁ ଟିକେ ଶୁଣ । ତୁମ ଛୁଆର ମନ ଭିତରର କଥାକୁ ଶୁଣିବାକୁ ଅଭ୍ୟାସ କର । ଯଦିଓ ଆମର ଏମିତି ଅଭ୍ୟାସ ଆମର ପୂର୍ବରୁ ନାହିଁ । ନୂଆ ନୂଆ ଅବଶ୍ୟ କଷ୍ଟ ହୋଇପାରେ । ଅପରାହ୍ନରେ ଆକାଶକୁ ଚାହଁ । ଆକାଶରେ ଆଙ୍କି ହୋଇଯାଉଥିବା ବଉଦର ଚିତ୍ରକୁ ଦେଖ । ରାତିରେ ଶୁକ୍ଲପକ୍ଷର ଜହ୍ନକୁ ଦେଖ । ତାରାକୁ ଦେଖ । ଅନ୍ଧାରକୁ ଦେଖ । ବହଳିଆ ଅନ୍ଧାରରେ ଝିଙ୍କାରୀର ସ୍ୱରକୁ ଶୁଣ । ଏସବୁ କରାଯାଇପାରେ ଏହି ଲକ୍ ଡାଉନ୍ ସମୟରେ । ଏସବୁ ବି ଜୀବନ । କେବଳ ଲାପ୍‌ଟପ୍‌, ଫାଇଲ୍‌, ଖାତା, କଲମ, କୋଦାଳ, ଶାବଳ, ଦା, କଟୁରୀ ହିଁ ଜୀବନ ନୁହେଁ ।

ମନେ ପକେଇଲେ କେତେଦିନ ହେଲା ଆମେ ନିଜେ ସହିତ କଥା ହୋଇନାହେଁ । ନିଜକୁ ଦେଖିନାହେଁ । ସେଇ ଛୋଟ ପିଲା ଥିବା ବେଳେ ଯେତିକି ଯାହା ଦେଖିଥିଲେ । ସେବେଠାରୁ ବିଚରା ‘ନିଜେ’ଟା ଏକୁଟିଆ ଅଛି । କେତେ ଦୁଃଖରେ ଅଛି! ତାକୁ ବି ଟିକେ ସ୍ନେହଁ ଦରକାର । ତାକୁ ବି ଟିକେ ହାତ ଆଉଁସା ଦରକାର । ଚୁପ୍‌ଚାପ୍ ବସି ନିଜକୁ ଟିକେ ଦେଖିବା । ନିଜ ବାହାରକୁ ତ ଆମେ ଦେଖି ଆସୁଛେ, ନିଜ ଭିତରକୁ ବି ଦେଖିବା । ନିଜ ଭିତରକୁ ଅକୃତ୍ରିମ ଭାବେ ଦେଖିବା । ଅନ୍ତର୍ନିରୀକ୍ଷଣ କରିବା । ତାକୁ ଟିକେ ହାତ ଆଉଁସିବା । ନିଜ ଭିତର ପ୍ରତି ଟିକେ ସମ୍ବେଦନଶୀଳ ହେବା । ସବୁ ମୁଖାକୁ ପରସ୍ତ ପରସ୍ତ କରି ଖୋଲିବାକୁ ଚେଷ୍ଟା କରିବା । ନିଜ ପ୍ରତି ସମ୍ବେଦନଶୀଳ ହେଲେ ସିନା ଆମେ ସାରା ଜୀବଜଗତ ପ୍ରତି ସମ୍ବେଦନଶୀଳ ହୋଇପାରିବା ।

ପାଂଚ ଜଣ ଏକାଠି ହୋଇପାରିବା ନାହିଁ । ଠିକ୍ ଅଛି । ଆସ ନିଜ ସହ ଏକାଠି ହେବା । ନିଜ ସହ ନିଜେ କଥା ହେବା । ନିଜ ସହ ନିଜର ସାମାଜିକୀକରଣ ବଢ଼େଇବା ।

ବର୍ତମାନ ଲକ୍ ଡାଉନ୍ ସମୟରେ ଅନେକ ଗରିବ ଲୋକ ତଥା ଦିନ ମଜୁରିଆ ବହୁତ ଅସୁବିଧାରେ ଅଛନ୍ତି । ନିଜ ସାଧ୍ୟମତେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବା । ଦେଖିବେ, ବହୁତ ଖୁସି ଲାଗିବ ।

ଏଇ ସବୁ ତ ଜୀବନର ସୌନ୍ଦର୍ଯ୍ୟ । ଯାହାକୁ ଆମେ ବହୁତ ଦିନ ହେଲା ଅଣଦେଖା କରିଚାଲିଥିଲୁ । ଏବେ ସମୟ ଆସିଛି, ଆସ ସେଇ ଜୀବନର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.