Latest Odisha News

BREAKING NEWS

ମାଟ୍ରିକ ଖାତା ମୂଲ୍ୟାୟନ: ୬ ଜିଲ୍ଲାରେ ସକାଳୁଆ ଖାତାଦେଖା

ଭୁବନେଶ୍ୱର: ଗତ କିଛିଦିନ ହେବ ପଶ୍ଚିମ ଓଡ଼ିଶା ପାଲଟିଛି ତତଲା ତାଓ୍ୱାରେ । ଆଉ ସେହି ତାଓ୍ୱାରେ ଭାଜି ହୋଇ ଛଟପଟ ହେଉଛନ୍ତି ସଭିଏଁ । ଗୋଟିଏପଟେ କରୋନା ପାଇଁ ଖାତାଦେଖାରେ ବହୁ ବିଳମ୍ୱ ହୋଇଯାଇଥିବାବେଳେ ଏବେ ଦାଉ ସାଜିଛି ପ୍ରଚଣ୍ଡ ରୌଦ୍ରତାପ । ପ୍ରବଳ ଗ୍ରୀଷ୍ଣ ଲହରୀର ସିଧାସଳଖ ପ୍ରଭାବ ପଡ଼ିଛି ମାଟ୍ରିକ ମୂଲ୍ୟାୟନ ଉପରେ । ଟାଇଁ ଟାଇଁ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଉତ୍ତର ଖାତା ମୂଲ୍ୟାୟନ କରିବା ପଶ୍ଚିମ ଓଡ଼ିଶାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଥିଲା । ଆଉ ଖାତାଦେଖା ସମୟରେ ପରିବର୍ତ୍ତନ ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ଦାବି ମଧ୍ୟ ହୋଇଥିଲା ।

ସେହି ଦାବିକୁ ବିଚାରକୁ ନେଇ ରାଜ୍ୟର ଅଧିକ ଉତ୍ତପ୍ତ ରହୁଥିବା ୬ଟି ଜିଲ୍ଲା ବଲାଙ୍ଗିର, ନୂଆପଡ଼ା, କେନ୍ଦୁଝର, କଳାହାଣ୍ଡି, ବରଗଡ଼ ଓ ସମ୍ବଲପୁରରେ ଖାତାଦେଖା ସମୟରେ ପରିବର୍ତ୍ତନ କରାଯାଇଛି । ଏଠାରେ ୯ଟା ପରିବର୍ତ୍ତେ ସକାଳ ୭ଟା ୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ ମୂଲ୍ୟାୟନ ଲାଗି ନିଷ୍ପତ୍ତି ନେଇଛି ବୋର୍ଡ । ମୂଲ୍ୟାୟନକାରୀ ଚାହିଁଲେ ଖାତାଦେଖା ପରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମାର୍କ ଏଣ୍ଟ୍ରି କରାଇପାରିବେ । ଏନେଇ ୬ଟି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ବୋର୍ଡ ସମ୍ପାଦକ । ତେବେ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ଲାଗି ଶିକ୍ଷକ ଶିକ୍ଷୟିତ୍ରୀ ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛି ବୋର୍ଡ ।

Leave A Reply

Your email address will not be published.