Latest Odisha News

BREAKING NEWS

କରୋନା ଭୟ: ଘର ବାହୁଡା ହେଉଛନ୍ତି ଦାଦନ ଶ୍ରମିକ; ଜିଲ୍ଲା ପ୍ରଶାସନ ତରଫରୁ ଚିହ୍ନଟ ପ୍ରକ୍ରିୟା ଜାରି

କଳାହାଣ୍ଡି: ବିଶ୍ୱବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନାଭାଇରସ ଦିନକୁ ଦିନ ଜଟିଳ ସ୍ଥିତି ସୃଷ୍ଟି କରୁଛି । ସେଥିପାଇଁ ସାରା ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ କଟକଣା ଲଗାଯାଇଛି । ଯାହା ଫଳରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ପଶ୍ଚିମ ଓଡିଶାର ଦାଦନ ଶ୍ରମିକ ହଜାର ହଜାର ସଂଖ୍ୟାରେ ଘରକୁ ଫେରୁଛନ୍ତି । ଏଥିପାଇଁ ସଜାଗ ରହିଛନ୍ତି ରାଜ୍ୟ ସରକାର । ଏନେଇ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

କରୋନା ମୁକାବିଲା ନେଇ କଟକଣା ପରେ ଦେଶର ବିଭିନ୍ନ ସ୍ଥାନରେ କାମ କରୁଥିବା ଦାଦନ ଶ୍ରମିକ ଏବେ ଘର ମୁହାଁ ହେଉଛନ୍ତି । ଅଧିକ କରୋନା ସଂକ୍ରମିତ ଥିବା ମହାରାଷ୍ଟ୍ର, ଆନ୍ଧ୍ର ପ୍ର୍ରଦେଶ, କେରଳ ଆଦି ରାଜ୍ୟରୁ ପ୍ରତିଦିନ ଶହ ଶହ ଦାଦନ ଶ୍ରମିକ ଓଡିଶା ଫେରୁଛନ୍ତି । କଳାହାଣ୍ଡିରୁ ଚଳିତବର୍ଷ ପ୍ରାୟ ୩୦ହଜାର ଦାଦନ ଖଟିବାକୁ ଯାଇଥିବା ଜଣାପଡିଛି । ଏବେ ଦାଦନ ଶ୍ରମିକମାନେ ଘର ବାହୁଡା ହେଉଥିବାଜଣାପଡିବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି । ବାହାର ରାଜ୍ୟରୁ ଗୋଟିଏ ମାସ ମଧ୍ୟରେ ଫେରିଥିବା ଶ୍ରମିକ ଓ ସେମାନଙ୍କ ପରିବାର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ସେମାନଙ୍କୁ ସଚେତନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାମରେ ଅଙ୍ଗନବାଡି ଓ ଆଶାକର୍ମୀ ନିୟାଜିତ ହୋଇଛନ୍ତି ।

କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ କହିଛନ୍ତି, “ଜିଲ୍ଲାର ସମସ୍ତ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ମାନଙ୍କରେ ରାଜ୍ୟ ବାହାରୁ ଆସିଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରୁଛୁ । ଆମେ ଗାଁ ଗୁଡିକରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ଯଦ୍ୱାରା ଗାଁକୁ ଫେରିଥିବା ଲୋକମାନେ ତଥା ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ କରୋନା ସମ୍ପର୍କରେ ଜାଣିପାରିବେ ।”

ଜୁନାଗଡ ସ୍ୱେଚ୍ଛାସେବୀ ସୁଖବିନ୍ଦର ସିଂ କହିଛନ୍ତି, “ଆମେ କରୋନା ସନ୍ଦିଗ୍ଧ ଶ୍ରମିକମାନଙ୍କୁ ପଞ୍ଚାୟତ ସ୍ତରରେ ଥିବା ସ୍କୁଲରେ ଆଣି ତାଙ୍କ କଡା ନଜର ରଖିଛୁ । ପୁରୁଷକର୍ମୀ ମାନଙ୍କୁ ସେମାନଙ୍କ ତଦାରଖ ପାଇଁ ନିୟାଜିତ କରାଯାଇଛି ଏବଂ ସମସ୍ତ ପ୍ରକାରର ସୁବିଧା କରାଯାଇଛି ।”

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା, ଧର୍ମଗଡ, ଲାଞ୍ଜିଗଡ, ଥୁଆମୂଳ ରାମପୁର ଅଞ୍ଚଳରୁ ଅଧିକାଂଶ ଦାଦ ଖଟିବାକୁ ଯାଆନ୍ତି । ତେଣୁ ସେହି ଅଞ୍ଚଳର ଅଙ୍ଗନବାଡି ଦିଦି ଓ ଆଶାକର୍ମୀ ଚିହ୍ନଟ ଶ୍ରମିକଙ୍କ ଘରକୁ ଯାଇ ସ୍ୱାସ୍ଥ୍ୟ ଓ କେଉଁଠୁ ଫେରିଛନ୍ତି ସେ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ । ସେହିଭଳି ଜୁନାଗଡ, ଭବାନୀପାଟଣା, କେସିଙ୍ଗା, ନର୍ଲା ଓ ଲାଞ୍ଜିଗଡ ରେଳ ଷ୍ଟେସନରେ ବାହାର ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.