Latest Odisha News

BREAKING NEWS

ପ୍ରତିଷ୍ଠା ଦିନରୁ କୋଣାର୍କର ଏହି ତନ୍ତ୍ରପୀଠରେ ଲିଭିନାହିଁ ଅଗ୍ନିକୁଣ୍ଡ !

ଭୁବନେଶ୍ୱର: ଆପଣ ଅନେକ ଥର କୋଣାର୍କ ବୁଲି ଯାଇଥିବେ ଏବଂ ସୂର୍ଯ୍ୟମନ୍ଦିର ତଥା ଏହାର ଆଖପାଖ ସ୍ଥାନ ସହ ଚନ୍ଦ୍ରଭାଗା ସମୁଦ୍ରକୂଳ ଆଉ ରାମଚଣ୍ଡୀ ନିହାତି ଯାଇଥିବେ । କିନ୍ତୁ ଆଜି ଆପଣଙ୍କୁ ସେହି କୋଣାର୍କର ଏପରି ଏକ ସ୍ଥାନ ବିଷୟରେ କହିବୁ ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ।

ବିଶ୍ୱପ୍ରସିନ୍ଧ ଅର୍କକ୍ଷେତ୍ର କୋଣାର୍କ ମନ୍ଦିରର ଦକ୍ଷିଣ ଦିଗରେ ଶହଶହ ବର୍ଷ ତଳର ପ୍ରାଚୀନ ଅନନ୍ତ ଅବଧୂତ ମଠ ଅବସ୍ଥିତ। ବହୁତ କମ୍‌ ଲୋକ ସେହି ପ୍ରାଚୀନ ମଠ ସମ୍ପର୍କରେ ଜାଣିଛନ୍ତି। ସେଥିପାଇଁ ସେଠାରେ ଲୋକଙ୍କର ଏତେ ଗହଳି ମଧ୍ୟ ଦେଖିବାକୁ ମିଳେନାହିଁ । କିଂବଦନ୍ତୀ ଅନୁସାରେ, ଭଗବାନ ଶିବ ସେଠାରେ ଅଗ୍ନିକୁଣ୍ଡ ସ୍ଥାପନ କରି ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରିଥିଲେ। ଦ୍ୱାପର ଯୁଗରେ କୃଷ୍ଣଙ୍କର ପୁଅ ଶାମ୍ବ ସେହି ସ୍ଥାନରେ ସୂର୍ଯ୍ୟଙ୍କ ଉପାସନା କରି ରୋଗମୁକ୍ତ ହୋଇଥିଲେ।

ମାଦଳା ପାଞ୍ଜିରେ ମଧ୍ୟ ଅବଧୂତ ମଠର ବର୍ଣ୍ଣନା ରହିଛି। ସେହି ସ୍ଥାନ ଏକ ତନ୍ତ୍ରପୀଠ ଭାବେ ମଧ୍ୟ ଜଣାଶୁଣା। ସେଠାରେ ତାନ୍ତ୍ରିକ ରୀତିରେ ପୂଜାର୍ଚ୍ଚନା କରାଯାଇଥାଏ।

ସେହି ମଠକୁ ଗଲେ ଆପଣ ଦେଖିବାକୁ ପାଇବେ ସୂର୍ଯ୍ୟନାରାୟଣଙ୍କ ଏକ ସୁନ୍ଦର ମୂର୍ତ୍ତି । ସେଠାରେ ଓଁକାରରୂପୀ ନିରାକାର ବ୍ରହ୍ମାଙ୍କର ମୂର୍ତ୍ତି ମଧ୍ୟ ଆପଣ ଦେଖିବାକୁ ପାଇବେ। ମଠ ପ୍ରତିଷ୍ଠା ହେବା ଦିନଠାରୁ ସେଠାରେ ଜ୍ୱଳନ୍ତ ଅବସ୍ଥାରେ ରହିଛି ତ୍ରିକୋଣୀୟ ଅଗ୍ନିକୁଣ୍ଡ ।

ତା’ଛଡା ଆପଣ ସେଠାରେ ଅନେକ ପ୍ରାଚୀନ ମୂର୍ତ୍ତି ଦେଖିବାକୁ ପାଇବେ । ତନ୍ତ୍ରପୀଠ ହୋଇଥିବାରୁ ସେଠାରେ ଅନେକ ତନ୍ତ୍ର ପୋଥି ମଧ୍ୟ ସାଇତା ହୋଇରହିଛି । ଇତିହାସ ଅନୁସାରେ, ଅନେକ ସେହି ମଠକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ତେଣୁ ଏଥିରୁ ଉଦ୍ଧାର ପାଇବା ପାଇଁ ସେଠାକାର ତତ୍‌କାଳୀନ ମଠାଧୀଶ ନରସିଂହ ଅବଧୂତ ଘୁଷୁରି ମାଂସ ସହ ତୁଳସୀ ପତ୍ର ପ୍ରସାଦ ବ୍ୟବସ୍ଥା ଆରମ୍ଭ କରିଥିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ବକୁଳ ଅମାବାସ୍ୟା ତିଥିରେ ସେଠାରେ ଘୁଷୁରୀ ମାଂସ ତରକାରୀ ଏବଂ ତୁଳସୀ ପତ୍ର ଲାଗି କରାଯାଏ।

ଅନନ୍ତ ଅବଧୂତ ମଠ ପ୍ରତିଷ୍ଠା ହେବା ଦିନଠାରୁ ଦାୟିତ୍ୱରେ ଥିବା ମଠାଧୀଶମାନଙ୍କର ସମାଧି ମଧ୍ୟ ଦେଖିବାକୁ ମିଳେ। କେବଳ ଇତିହାସ ଦୃଷ୍ଟିରୁ ନୁହେଁ, ପରମ୍ପରା ଦୃଷ୍ଟିରୁ ମଧ୍ୟ ଏହି ମଠର ବହୁତ ଗୁରୁତ୍ୱ ରହିଛି।

ଏହି ମଠକୁ ଯିବାକୁ ଚାହିଁଲେ ରାଜଧାନୀ ଭୁବନେଶ୍ୱରରୁ ବସ୍‌, ଟ୍ରେନ୍‌, ଟ୍ୟାକ୍ସି କିମ୍ବା ନିଜ ଗାଡ଼ିରେ ମଧ୍ୟ ଯାଇପାରିବେ। ଭୁବନେଶ୍ୱରରୁ ଏହାମାତ୍ର ୬୫ କି.ମି. ଦୂର। ସେହି ସ୍ଥାନକୁ ଆପଣ ବର୍ଷର ଯେକୌଣସି ସମୟରେ ଯାଇ ବୁଲି ଆସି ପାରିବେ।

Leave A Reply

Your email address will not be published.