Latest Odisha News

BREAKING NEWS

ଜାଣନ୍ତି କି, ଦୁଇ ହଜାରରୁ ଅଧିକ ଗୀତ ଲେଖିଥିଲେ ରସରାଜ ନାରାୟଣ ପ୍ରସାଦ ସିଂହ

 ଆଜି ଜନ୍ମଦିନ 

ନାରାୟଣ ପ୍ରସାଦ ସିଂହ

(୧୯୩୩-୨୦୧୮)
କ୍ଷେତ୍ର: ଗୀତରଚନା, ସାହିତ୍ୟ

‘ସାଗରେ ଅଧୀର ନୀଳ ତରଙ୍ଗ’ ହେଉ କି ‘ଠିଆପୁଚି ନାରଙ୍ଗ’–ଆକାଶବାଣୀ ‘ସଜଫୁଲ’ କାର୍ଯ୍ୟକ୍ରମର ଏଭଳି ବହୁ ଲୋକପି୍ରୟ ଗୀତର ଥିଲେ ସେ ରଚୟିତା । ସେହିପରି ‘ରଥ ଗଡ଼ିଯା, ଚକ ଗଡ଼ିଯାରେ’ (ନୂଆବୋଉ), ‘ଉଡ଼ି ଉଡ଼ି ଉଡ଼ି, ଯାଆରେ ଗୁଡ଼ି’ (କିଏ କାହାର), ‘ଜୀବନ ଯମୁନାରେ ଜୁଆର ଉଠେରେ’ (ଅମଡ଼ା ବାଟ) ଭଳି ଅସଂଖ୍ୟ ଲୋକପ୍ରିୟ ଚଳଚ୍ଚିତ୍ର ଗୀତର ସେ ଥିଲେ ଗୀତିକାର । ୬ ଜୁନ୍‍ ୨୦୧୮ରେ ଆମ ଗହଣରୁ ବିଦାୟ ନେଇଥିବା ସେହି ଗୀତିକାରଜଣକ ଅନ୍ୟ କେହି ନୁହନ୍ତି, ଓଡ଼ିଆ ସଙ୍ଗୀତର ସୁସ୍ୱାଦୁ ଫଳରେ ମିଠାମିଠା ରସ ଭରିଆସିଥିବା ସୁଲେଖକ ରସରାଜ ନାରାୟଣ ପ୍ରସାଦ ସିଂହ ।

ଉଭୟ ଚଳଚ୍ଚିତ୍ର ଓ ବେତାର ଜଗତରେ ନାରାୟଣ ପ୍ରସାଦ ଥିଲେ ବେତାଜ ବାଦଶାହ । ଦୀର୍ଘ ଚାରି ଦଶନ୍ଧି ଧରି ସେ ସକ୍ରିୟ ଥିଲେ ଲେଖାଲେଖିରେ । ଦୁଇ ହଜାରରୁ ଅଧିକ ଗୀତିକବିତା ରଚନା କରି ଓଡ଼ିଆ ସଙ୍ଗୀତ ଓ ସାହିତ୍ୟକୁ ମୁଖରିତ କରିଥିବା ନାରାୟଣ ପ୍ରସାଦ ସିଂହ ୧୯୩୩ ମସିହା ମେ ୨୮ ତାରିଖରେ କଟକ ଜିଲ୍ଲାର କୋଇଲ ଗ୍ରାମରେ ଜନ୍ମ ହୋଇଥିଲେ । ଅସୁରେଶ୍ୱର ହାଇସ୍କୁଲ୍‍ ରେ ପଢ଼ୁଥିବାବେଳେ କବିତା ଲେଖିିବା ଆରମ୍ଭ କରିଦେଇଥିଲେ ସେ । ସ୍କୁଲ୍‍ର ବାର୍ଷିକ ମୁଖପତ୍ରରେ ତାଙ୍କର ପ୍ରଥମ କବିତା ‘କାମିନୀ କହେ ଚମ୍ପାରେ, ନାହିଁ ତୋର ଅନୁକମ୍ପାରେ’ ପ୍ରକାଶ ପାଇବା ପରେ ସେ ପାଲଟିଯାଇଥିଲେ ଛାତ୍ର ଓ ଶିକ୍ଷକଙ୍କର ପ୍ରିୟ କବି । ପରେପରେ ତାଙ୍କର ଅନେକ କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ତାଙ୍କୁ ଜଣେ କବି ଭାବେ ପରିଚିତି ଦେଇଥିଲା।

୧୯୫୦ରେ ସେ ଆକାଶବାଣୀର ସାହିତ୍ୟ ସଂସଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିଥିଲେ ଓ ଗୀତିକବିତାରେ ଅଧିକ ମନୋନିବେଶ କରିବା ପାଇଁ ପ୍ରେରଣା ପାଇଥିଲେ । ଆକାଶବାଣୀ ତାଙ୍କୁ ୧୯୬୦ରେ ଗୀତିକବି ଭାବେ ସ୍ୱୀକୃତି ଦେଇଥିଲା । ଏହାପରେ ସେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ନୂଆବୋଉ’ ।

‘ରସରାଜ ଗୀତିବିଚିତ୍ରା’ ପୁସ୍ତକ ପାଇଁ ସେ ପାଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର । ଏହା ବ୍ୟତୀତ ଦୁଇଟି ଆଖିର କବିତା, ଚିତ୍ରଗୀତି, ଠିଆପୁଚି ନାରଙ୍ଗ, ସଜଳ ସ୍ମୃତି, ରସରାଜ ଋତୁବିଚିତ୍ରା ଆଦି ପୁସ୍ତକ ପ୍ରକାଶ ପାଇ ବେଶ୍‍ ପାଠକୀୟ ଆଦୃତି ଲାଭ କରିଥିଲା । ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‍ ପକ୍ଷରୁ ତାଙ୍କୁ ମିଳିଥିଲା ‘ରସରାଜ ସମ୍ମାନ’ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଶାରଳା ସମ୍ମାନ, କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ ଭଳି ଅନେକ ଉଲ୍ଲେଖନୀୟ ସ୍ୱୀକୃତି ଓ ସଂବର୍ଦ୍ଧନା ସେ ପାଇଥିଲେ ।

ଆଲେଖ୍ୟ © ସରୋଜ ବଳ

Leave A Reply

Your email address will not be published.