Latest Odisha News

BREAKING NEWS

ଜାଣନ୍ତୁ, ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ନୃସିଂହଙ୍କ ଜନ୍ମନୀତି

ଆଜି ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ । ଆଜିର ପବିତ୍ର ଦିନରେ ଶ୍ରୀମନ୍ଦିରରେ ପାଳିତ ହେଉଛି ନୃସିଂହ ଦେବଙ୍କ ଜନ୍ମନୀତି । ପାରମ୍ପରିକ ଭାବେ ଶ୍ରୀମନ୍ଦିରରେ ଏହି ତିଥିଟିକୁ ପାଳନ କରାଯାଇଥାଏ ।

ସ୍କନ୍ଦ ପୁରାଣ ଅନୁଯାୟୀ ପୁରୁଷୋତ୍ତମ କ୍ଷେତ୍ରରେ ଜଗନ୍ନାଥ ନୃସିଂହ ରୂପରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଦର୍ଶନ ଦେଇଥିବା ଜଣାଯାଏ । ମାଳବ ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କୁ ଦର୍ଶନ କରିବା ପାଇଁ ନାରଦଙ୍କ ସହ ନୀଳକନ୍ଦରକୁ ଯାତ୍ରା କରିବା ସମୟରେ ବାଟରେ ନୃସିଂହ ଓ ଦେବୀ ଦୁର୍ଗାଙ୍କୁ ଆରାଧନା କରିଥିଲେ । ତାପରେ ନୀଳକନ୍ଦରରେ ନୀଳମାଧବ ଅଦୃଶ୍ୟ ହୋଇଯାଇଥିବାର ଦେଖି ଗଭୀର ଦୁଃଖରେ ଭାଙ୍ଗି ପଡ଼ିଥିବା ଇନ୍ଦ୍ରଦ୍ୟୁମ୍ନ କୃଷ୍ଣାଗୁରୁ (କଳାଚନ୍ଦନ) ବୃକ୍ଷର ଅଧୋଭାଗରେ ଜ୍ୱଳନ୍ତ ତେଜ, ସସାଗରଧରା ରକ୍ଷଣକାରୀ ଓ ବିକଟରୂପ ନୃସିଂହଙ୍କୁ ଦର୍ଶନ କଲେ । ବିସ୍ମୟରେ ହତବାକ୍ ଇନ୍ଦ୍ରଦ୍ୟୁମ୍ନଙ୍କ ପ୍ରଶ୍ନରେ ବ୍ରହ୍ମାସୁତ ଉତ୍ତର ଦେଇଥିଲେ, ହେ ରାଜନ୍ ! ଏହି ମୂର୍ତ୍ତି ହିଁ ଭାବତମ ବ୍ରହ୍ମ ନୃସିଂହ ।

ନୃସିଂହ ହେଉଛନ୍ତି ଅର୍ଚ୍ଚାବତାର:

ଅର୍ଚ୍ଚାବତାରର ସଂଜ୍ଞା ହେଲା ଯେଉଁ ଅବତାରରେ ଆଧାର, ଆଧ୍ୟେୟ ଓ ଆଧାର ଶକ୍ତି ଏ ତ୍ରିତତ୍ତ୍ୱର ସମାହାର ହୋଇଥାଏ । ଲୀଳାରେ ଭାରତୀୟ ଦର୍ଶନ ଓ ଦୁଷ୍କୃତି ସଂହାର ହୋଇଥାଏ । ତାହାହିଁ ଅର୍ଚ୍ଚାବତାର । ଭଗବାନ ବିଷ୍ଣୁଙ୍କର ତିନିଗୋଟି ଅର୍ଚ୍ଚାବତାର ଯଥା: “ନୃସିଂହଃ ରାମଚନ୍ଦ୍ରଶ୍ଚ ଦେବକୀସୁତ ଏବ ଚ” ମଧ୍ୟରୁ ନୃସିହଙ୍କ ରୂପତତ୍ତ୍ୱରେ ତାଙ୍କଠାରେ ଆଧାରତତତ୍ୱ ତେଜ ବା ରୁଦ୍ରତା, ଆଧ୍ୟେୟ ତତ୍ୱ ସର୍ବବ୍ୟାପକତା ।

ଅଧିକ ପଢନ୍ତୁ – ଏହି ୩ ଭାରତୀୟ ସନ୍ଥଙ୍କ ଚମତ୍କାରିତା: ଦେହାନ୍ତ ପରେ ମିଳି ନ’ଥିଲା ଶରୀର !

ଭଗବାନ ବିଷ୍ଣୁଙ୍କର ଚତୁର୍ବିିଂଶ ଅବତାର ହେଉଛନ୍ତି ନୃସିଂହ । ଦଶାବତାର ତତ୍ତ୍ୱରେ ପ୍ରଥମ ଅର୍ଚ୍ଚାମୂର୍ତ୍ତି ହେଉଛନ୍ତି ନୃସିଂହ । ଯେଉଁ ଭାବ କି ଭକ୍ତ ପ୍ରହ୍ଲାଦର ସଂରକ୍ଷଣ ଏବଂ ହିରଣ୍ୟକଶିପୁର ନିଧନ ବା ସଂହାର ।

ଆଧାରତତତ୍ତ୍ୱ ଦୃଷ୍ଟିରୁ ନୃସିଂହ ରୁଦ୍ର, ଭୀମ, ଜ୍ୱଳ୍ୱନ୍ତ ସର୍ବତୋମୁଖ, ଭୀଷଣ ଏବଂ ଭଦ୍ର ମଧ୍ୟ । ସମସ୍ତ ଅନିଷ୍ଟର ଧ୍ୱଂସକାରୀ ବିଷ୍ଣୁ ବା ମହାବିଷ୍ଣୁ ।

ଶକ୍ତିଶାଳୀ ନୃସିଂହ ମହାମନ୍ତ୍ର:

ଓଁ ଉଗ୍ରଂ ବୀରଂ ମହାବିଷ୍ଣୁଂ ଜ୍ୱଳ୍ୱନ୍ତଂ ସର୍ବୋତମୁଖଂ ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୋ ମୃତ୍ୟୋ ନମାମ୍ୟହଂ ।

 

ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠାର ଆଦ୍ୟରୂପ ଓ ଅବତାର ହେଉଛନ୍ତି ଭଗବାନ ନୃସିଂହ । ତତ୍ତ୍ୱ ଓ ନୀତି ଦୃଷ୍ଟିରୁ ଶ୍ରୀଜଗନ୍ନାଥଙ୍କ ସହ ନୃସିଂହ ମୂର୍ତ୍ତି ହିଁ ପ୍ରଥମରୁ ଜଡ଼ିତ ରହିଛି ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ତେବେ ଶ୍ରୀମନ୍ଦିରରେ ଦୈନିକ ରୀତି ନୀତି ଠାରୁ ଆରମ୍ଭ କରି ନବକଳେବର ଏବଂ ରଥଯାତ୍ରା ପରି ଗୁରୁତ୍ୱପୂର୍ଣ୍ଣ ଉତ୍ସବମାନଙ୍କରେ ମଧ୍ୟ ନୃସିଂହ ଉପାସନାରୁ ହିଁ ଆରମ୍ଭ ହୋଇଥାଏ ସମସ୍ତ ନୀତିକାନ୍ତି । ଶ୍ରୀମନ୍ଦିରରେ ନୃସିଂହ ଉପାସନାକୁ ନେଇ ରହିଛି ଅନେକ ରହସ୍ୟମୟ କଥାବସ୍ତୁ । ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନଗୁଡ଼ିକରେ ନୃସିଂହ ଉପାସନା ଦେଖିବାକୁ ମିଳିଥାଏ । ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ନୃସିଂହଙ୍କ ପ୍ରଭାବ ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ତନ୍ତ୍ରଶାସ୍ତ୍ରରେ ନୃସିଂହ ମନ୍ତ୍ର ଓ ଯନ୍ତ୍ରର ପ୍ରଭାବ ବିଶେଷ ଭାବରେ ପରିଲକ୍ଷିତ ହୋଇଥାଏ ।

ଶ୍ରୀମନ୍ଦିରରେ ନୃସିଂହ ଉପାସନା:

ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଶ୍ରୀମନ୍ଦିରରେ ନୃସିଂହ ଜନ୍ମନୀତି ପାଳିତ ହୋଇଥାଏ । ଏହିଦିନ ଚକ୍ରତୀର୍ଥ ନିକଟରେ ଥିବା ଚକ୍ର ନୃସିଂହଙ୍କ ନିକଟକୁ ଶ୍ରୀଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଯାଏ । ମୁକ୍ତିମଣ୍ଡପ ଉପରେ ନୃସିଂହ ମନ୍ଦିର ସାମ୍ନାରେ ଖଟୁଲିରେ ନୃସିଂହ ମହାପ୍ରଭୁଙ୍କୁ ବିରାଜମାନ କରାଯାଇ ମହାସ୍ନାନ, ପଞ୍ଚୋପଚାରରେ ଶୀତଳ ଭୋଗ, ବନ୍ଦାପନା ଓ ଜନ୍ମନୀତି କରାଯାଏ । ସେହିପରି ଭାବେ କାର୍ତ୍ତିକ ମାସ ପଞ୍ଚକର ଚତୁର୍ଦ୍ଦଶୀ ଦିନ ଶ୍ରୀଜଗନ୍ନାଥଙ୍କର ଲକ୍ଷ୍ମୀନୃସିଂହ ବେଶ ହୋଇଥାଏ । ଶ୍ରାବଣ ମାସର ଶୁକ୍ଳ ନବମୀ ଦିନ ନୃସିଂହ ଚାରି ଆଶ୍ରମ ପରିକ୍ରମା କରିଥାଆନ୍ତି ।

ପବିତ୍ର ରଥଯାତ୍ରା ସମୟରେ ସର୍ବପ୍ରଥମେ ନନ୍ଦିଘୋଷ ରଥରେ ଶ୍ରୀନୃସିଂହଙ୍କୁ ରଥାରୂଢ କରାଯାଇଥାଏ । ସେହିପରି ପୁଷ୍ୟାଭିଷେକ, ରଥ ଅନୁକୂଳ ଓ ରଥ ପ୍ରତିଷ୍ଠା ପ୍ରଭୃତି କାର୍ଯ୍ୟରେ ଶ୍ରୀମନ୍ଦିର ପୁରୋହିତ ନୃସିଂହ ମନ୍ତ୍ରରାଜରେ ଅଭିମନ୍ତ୍ରିତ କରାଇଥାଆନ୍ତି । ନବକଳେବରର ବନଯାଗ ଯାତ୍ରା ଓ ପରଭାଗ ପ୍ରତିଷ୍ଠା କର୍ମରେ ଶ୍ରୀନୃସିଂହଙ୍କୁ ଅଗ୍ରପୂଜ୍ୟ ଭାବେ ବନ୍ଦନା କରାଯାଇଥାଏ । ଏହି ସମସ୍ତ ନୀତିରେ ଶ୍ରୀନୃସିଂହ ମନ୍ତ୍ର ଦ୍ୱାରା ହିଁ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥାଏ ।

Leave A Reply

Your email address will not be published.