ଶ୍ରୀମନ୍ଦିରରେ ଭଗବାନ ନୃସିଂହଙ୍କ ଉପାସନା; ଜାଣନ୍ତୁ, କ’ଣ ରହିଛି ରହସ୍ୟ !

ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠାର ଆଦ୍ୟରୂପ ଓ ଅବତାର ହେଉଛନ୍ତି ଭଗବାନ ନୃସିଂହ । ତତ୍ତ୍ୱ ଓ ନୀତି ଦୃଷ୍ଟିରୁ ଶ୍ରୀଜଗନ୍ନାଥଙ୍କ ସହ ନୃସିଂହ ମୂର୍ତ୍ତି ହିଁ ପ୍ରଥମରୁ ଜଡ଼ିତ ରହିଛି ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ତେବେ ଶ୍ରୀମନ୍ଦିରରେ ଦୈନିକ ରୀତି ନୀତି ଠାରୁ ଆରମ୍ଭ କରି ନବକଳେବର ଏବଂ ରଥଯାତ୍ରା ପରି ଗୁରୁତ୍ୱପୂର୍ଣ୍ଣ ଉତ୍ସବମାନଙ୍କରେ ମଧ୍ୟ ନୃସିଂହ ଉପାସନାରୁ ହିଁ ଆରମ୍ଭ ହୋଇଥାଏ ସମସ୍ତ ନୀତିକାନ୍ତି । ଶ୍ରୀମନ୍ଦିରରେ ନୃସିଂହ ଉପାସନାକୁ ନେଇ ରହିଛି ଅନେକ ରହସ୍ୟମୟ କଥାବସ୍ତୁ ।

ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନଗୁଡ଼ିକରେ ନୃସିଂହ ଉପାସନା ଦେଖିବାକୁ ମିଳିଥାଏ । ଶ୍ରୀଜଗନ୍ନାଥଙ୍କ ସଂସ୍କୃତିରେ ନୃସିଂହଙ୍କ ପ୍ରଭାବ ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ତନ୍ତ୍ରଶାସ୍ତ୍ରରେ ନୃସିଂହ ମନ୍ତ୍ର ଓ ଯନ୍ତ୍ରର ପ୍ରଭାବ ବିଶେଷ ଭାବରେ ପରିଲକ୍ଷିତ ହୋଇଥାଏ । ସ୍କନ୍ଧ ପୁରାଣ ଅନୁଯାୟୀ ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀଜଗନ୍ନାଥ ନୃସିଂହ ରୂପରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଦର୍ଶନ ଦେଇଥିବା ଜଣାଯାଏ ।

ମାଳବ ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କୁ ଦର୍ଶନ କରିବା ପାଇଁ ନାରଦଙ୍କ ସହ ନୀଳକନ୍ଦରକୁ ଯାତ୍ରା କରିବା ସମୟରେ ବାଟରେ ନୃସିଂହ ଓ ଦେବୀ ଦୁର୍ଗାଙ୍କୁ ଆରାଧାନ କରିଥିଲେ । ତା’ପରେ ନୀଳକନ୍ଦରରେ ନୀଳମାଧବ ଅଦୃଶ୍ୟ ହୋଇଯାଇଥିବାର ଦେଖି ଗଭୀର ଦୁଃଖରେ ଭାଙ୍ଗି ପଡ଼ିଥିଲେ । ନାରଦ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ, ହେ ରାଜା ଗୋଟିଏ ଦୀପରେ ଅଗ୍ନି ସଂଯୋଗ କରି ଯେପରି ଅନ୍ୟ ଦୀପ ପ୍ରଜ୍ଜ୍ୱଳିତ କରାଯାଇଥାଏ, ସେହିଭଳି ମୁଁ ଜ୍ୟୋତିର୍ମୟୀ ନୃସିଂହ ବିଗ୍ରହ ଆଣୁଛି । ନାରଦ ନିଜର ଆଧ୍ୟାତ୍ମିକ ଶକ୍ତି ବଳରେ ଏଭଳି ଏକ ଜ୍ୟୋତିର୍ମୟ ବିଗ୍ରହ ଉପାସନା ଲାଗି ଆଣିଥିଲେ ଯାହାକୁ କି ଅନ୍ତର୍ହିତ ହୋଇଥିବା ଇନ୍ଦ୍ରନୀଳମଣି ବିଗ୍ରହ ବୋଲି ସମସ୍ତେ ମନେ କରିଥାଆନ୍ତି । ଏହାପରେ ରତ୍ନସିଂହାସନରେ ଆଦିମୂର୍ତ୍ତି ବା ପୁରୁଷୋତ୍ତମ କ୍ଷେତ୍ରର ଆଦି ଅର୍ଚ୍ଚାମୂର୍ତ୍ତି ସ୍ଥାପନ ହୋଇଛନ୍ତି ।

ଓଡ଼ିଶାର ପୂର୍ବାଞ୍ଚଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱୟଂ ଆଦ୍ୟ ନୃସିଂହ ଭାବରେ ଖ୍ୟାତ । ଏହାବ୍ୟତୀତ, ପଶ୍ଚିମାଞ୍ଚଳରେ ବିଡ଼ାଳ ନୃସିଂହ ଏବଂ ଦକ୍ଷିଣାଞ୍ଚଳରେ ନୃସିଂହନାଥ ରୂପରେ ପୂଜା ପାଉଛନ୍ତି ନୃସିଂହଦେବ । ଶ୍ରୀ ନୃସିଂହ ହେଉଛନ୍ତି ଉଗ୍ର ଏବଂ ଭଦ୍ର । ସେ ପ୍ରହ୍ଲାଦଙ୍କ ସଂରକ୍ଷଣ କରିବା ସହିତ ସାଧୁଜନଙ୍କୁ ସାହାଯ୍ୟ କରିଥାଆନ୍ତି ସେହିପରି ଭାବେ ହିରଣ୍ୟକଶିପୁର ନିଧନ କରି ଅସୁର ପ୍ରବୃତ୍ତିକୁ ନିପାତ କରି ନୃସିଂହଦେବ ସାଧୁମାନଙ୍କୁ ପାଳନ କରିଥାଆନ୍ତି ।

ବ୍ରହ୍ମାଙ୍କ ମୁଖରୁ ଉଚ୍ଚାରିତ ମହାଶକ୍ତିଶାଳୀ ନୃସିଂହମନ୍ତ୍ର:

ଓଁ ଉଗ୍ରଂ ବୀରଂ ମହାବିଷ୍ଣୁଂ ଜ୍ୱଳନ୍ତଂ ସର୍ବୋତୋମୁଖଂ ।

ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୋ ମୃତ୍ୟୋଂ ନମାମ୍ୟହମ୍ । ।

ନରସିଂହଙ୍କ ପ୍ରଥମ ଉଗ୍ରରୂପ ଅମୃତର ପ୍ରତୀକ, ଦ୍ୱିତୀୟରେ ସେ ବୀର, ତୃତୀୟରେ ସେ ମହାବିଷ୍ଣୁ, ଚତୁର୍ଥରେ ଜ୍ୱଳନ୍ତ, ପଞ୍ଚମରେ ସେ ସର୍ବତୋମୁଖ, ଷଷ୍ଠରେ ନୃସିଂହ, ସପ୍ତମରେ ଭୀଷଣ, ଅଷ୍ଟମରେ ଭଦ୍ର, ନବମରେ ମୃତ୍ୟୁ-ମୃତ୍ୟୁ ଦଶମତଃ ସେ ନମାମି ଏବଂ ଏକାଦଶରେ ଅହମ୍ । ଆଧାରତତ୍ତ୍ୱ ଦୃଷ୍ଟିରୁ ନୃସିଂହ ରୁଦ୍ର, ଭୀମ, ଜ୍ୱଳନ୍ତ ସର୍ବତୋମୁଖ, ଭୀଷଣ ଓ ଭଦ୍ର ମଧ୍ୟ । ସମସ୍ତ ଅନିଷ୍ଟତର ଧ୍ୱଂସକାରୀ ଶ୍ରୀବିଷ୍ଣୁ ବା ମହାବିଷ୍ଣୁ ଅଟନ୍ତି ।

ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଶ୍ରୀମନ୍ଦିରରେ ନୃସିଂହ ଜନ୍ମନୀତି ପାଳିତ ହୋଇଥାଏ । ଏହିଦିନ ଚକ୍ରତୀର୍ଥ ନିକଟରେ ଥିବା ଚକ୍ର ନୃସିଂହଙ୍କ ନିକଟକୁ ଶ୍ରୀଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଯାଏ । ମୁକ୍ତିମଣ୍ଡପ ଉପରେ ନୃସିଂହ ମନ୍ଦିର ସାମ୍ନାରେ ଖଟୁଲିରେ ନୃସିଂହ ମହାପ୍ରଭୁଙ୍କୁ ବିରାଜମାନ କରାଯାଇ ମହାସ୍ନାନ, ପଞ୍ଚୋପଚାରରେ ଶୀତଳ ଭୋଗ, ବନ୍ଦାପନା ଓ ଜନ୍ମନୀତି କରାଯାଏ । ସେହିପରି ଭାବେ କାର୍ତ୍ତିକ ମାସ ପଞ୍ଚକର ଚତୁର୍ଦ୍ଦଶୀ ଦିନ ଶ୍ରୀଜଗନ୍ନାଥଙ୍କର ଲକ୍ଷ୍ମୀନୃସିଂହ ବେଶ ହୋଇଥାଏ । ଶ୍ରାବଣ ମାସର ଶୁକ୍ଳ ନବମୀ ଦିନ ନୃସିଂହ ଚାରି ଆଶ୍ରମ ପରିକ୍ରମା କରିଥାଆନ୍ତି ।

ପବିତ୍ର ରଥଯାତ୍ରା ସମୟରେ ସର୍ବପ୍ରଥମେ ନନ୍ଦିଘୋଷ ରଥରେ ଶ୍ରୀନୃସିଂହଙ୍କୁ ରଥାରୂଢ କରାଯାଇଥାଏ । ସେହିପରି ପୁଷ୍ୟାଭିଷେକ, ରଥ ଅନୁକୂଳ ଓ ରଥ ପ୍ରତିଷ୍ଠା ପ୍ରଭୃତି କାର୍ଯ୍ୟରେ ଶ୍ରୀମନ୍ଦିର ପୁରୋହିତ ନୃସିଂହ ମନ୍ତ୍ରରାଜରେ ଅଭିମନ୍ତ୍ରିତ କରାଇଥାଆନ୍ତି । ନବକଳେବରର ବନଯାଗ ଯାତ୍ରା ଓ ପରଭାଗ ପ୍ରତିଷ୍ଠା କର୍ମରେ ଶ୍ରୀନୃସିଂହଙ୍କୁ ଅଗ୍ରପୂଜ୍ୟ ଭାବେ ବନ୍ଦନା କରାଯାଇଥାଏ । ଏହି ସମସ୍ତ ନୀତିରେ ଶ୍ରୀନୃସିଂହ ମନ୍ତ୍ର ଦ୍ୱାରା ହିଁ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥାଏ ।

ଶ୍ରୀମନ୍ଦିର ପରିସରରେ ନିଶା ନୃସିଂହ ବା ହିରଣାକ୍ଷ ନୃସିଂହ, ଅଭୟ ନୃସିଂହ, ଉତ୍ତରାଭିମୁଖୀ ନୃସିଂହ, ଚଣ୍ଡ ନୃସିଂହ, ଉଭୟମୁଖୀ ନୃସିଂହ, ଗରୁଡ଼ ତୋଷଣ ନୃସିଂହ, ବାରବାଟୀ ନୃସିଂହ ଭାବେ ପୂଜିତ ହୋଇଥାଆନ୍ତି ।

ଯୁଗେ ଯୁଗେ ଦୁଷ୍ଟ ନିବାରଣ ନିମିତ୍ତ ଅବତାର ହୋଇଥିବା ସର୍ବଶକ୍ତିମାନ ଓ ନିଖିଳ ଦେବଗଣଙ୍କ ମଧ୍ୟରେ ସିଂହବତ୍ ପ୍ରଧାନ ଅଧିଦେବ ଶ୍ରୀନୃସିଂହଙ୍କ ପ୍ରଶସ୍ତିରେ ବିଭିନ୍ନ ପୁରାଣଶାସ୍ତ୍ର ଓ ଭକ୍ତମୁଖେ ଉଚ୍ଚାରିତ ଓ ପ୍ରଚାରିତ । ଯାହାଙ୍କ ପାଇଁ ଭଗବାନ ନୃସିଂହ ରୂପରେ ମହିମାନ୍ୱିତ ହେଲେ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ଶ୍ରୀନୃସିଂହ ଉପାସନା ଏକ ଅବିଚ୍ଛେଦ୍ୟ ଅଙ୍ଗ । ଶ୍ରୀମନ୍ଦିରର ପ୍ରତ୍ୟେକ ପ୍ରତିଷ୍ଠାକର୍ମ ନୃସିଂହ ମନ୍ତ୍ରରେ ଅନୁଷ୍ଠିତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.