Latest Odisha News

BREAKING NEWS

ଦଲାଲଙ୍କ କବଳରୁ ମୁକ୍ତ ହେଉଛି ହସ୍ପିଟାଲ୍ ପରିସର; ୧୦ଜଣଙ୍କୁ ଗିରଫ କଲା ପୋଲିସ

କେନ୍ଦ୍ରାପଡ଼ା: ହସ୍ପିଟାଲ୍ ପରିସରକୁ ଦଲାଲଙ୍କ କବଳରୁ ମୁକ୍ତ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କଡ୍ଡା ନିର୍ଦ୍ଦେଶ ପାଳନ କରିବାକୁ ଯାଇ ଆଜି ମଧ୍ୟ ପୋଲିସ ରାଜ୍ୟର ବିଭିନ୍ନ ସ୍ଥାନରେ ଦଲାଲଙ୍କୁ ଗିରଫ କରିଛି । ରାଜ୍ୟର ବିଭିନ୍ନ ହସ୍ପିଟାଲ୍ ପରିସରରୁ ପୋଲିସ ଶୁକ୍ରବାର ଦିନ ଜଣେ ମହିଳାଙ୍କ ସମେତ ୧୦ ଜଣ ଦଲାଲଙ୍କୁ ଗିରଫ କରିଛି ।

ରାଜ୍ୟର ବାଲେଶ୍ୱରରେ ୩ଜଣ, କେନ୍ଦ୍ରାପଡ଼ାରେ ୩ଜଣ, ନବରଙ୍ଗପୁରରେ ୨ଜଣ, ଜଗତସିଂହପୁରରେ ଜଣେ ମହିଳା ଏବଂ କଳାହାଣ୍ଡିର ଭବାନୀପାଟଣାରୁ ଜଣେ ଦଲାଲଙ୍କୁୁ ପୋଲିସ ଗିରଫ କରି ଥାନାକୁ ନେଇଛି ।

ଗିରଫ ହୋଇଥିବା ଏହିସବୁ ଦଲାଲମାନେ ମେଡ଼ିକାଲ୍ ପରିସରରେ ରହିି ସାଧାରଣ ଗରିବ ରୋଗୀମାନଙ୍କୁ ଶୋଷଣ କରୁଥିବାର ଅଭିଯୋଗ ହୋଇଆସୁଥିଲା । ବିଭିନ୍ନ ନର୍ସିଂହୋମ ଏବ ପ୍ରାଇଭେଟ କ୍ଲିନିକରୁ ମୋଟାଅଙ୍କର କମିଶନ ହାସଲ କରୁଥିବା ଏହି ଦଲାଲମାନେ ସରକାରୀ ଡ଼ାକ୍ତରଖାନମାନଙ୍କରୁ ରୋଗୀ ଏବଂ ସେମାନଙ୍କର ଆଟେଣ୍ଡାଣ୍ଟମାନଙ୍କୁ ଫୁସୁଲାଇ ବିଭିନ୍ନ ଡ଼ାକ୍ତର ଚିକିତ୍ସା କରୁଥିବା କିଛି ନର୍ସିଂହୋମ ଏବଂ ପ୍ରାଇଭେଟ୍ କ୍ଲିନିକକୁ ନେଇଯାଉଥିଲେ । ଏବେ ସରକାରୀ ଡ଼ାକ୍ତରଖାନାମାନଙ୍କରେ ଉନ୍ନତ ଚିକିତ୍ସା ପଦ୍ଧତି ତଥା ଉନ୍ନତମାନର ଡ଼ାକ୍ତରୀ ଡ଼ାଇଗ୍ନୋସିସ ମେସିନ ରହିଥିଲେ ମଧ୍ୟ ରୋଗୀଙ୍କୁ ଏହି ଦଲାଲମାନେ ବିଭିନ୍ନ ନର୍ସିଂହୋମକୁ ଚିକିତ୍ସା ନିମନ୍ତେ ନେଇଯାଇଥାଆନ୍ତି ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଟେମ୍ବର ୨୫ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ ଦଲାଲମୁକ୍ତ କରିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ)ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସରକାରୀ ଡ଼ାକ୍ତରଖାନାମାନଙ୍କରେ ସାଧାରଣ ରୋଗୀଙ୍କୁ ଶୋଷଣ କରୁଥିବା ଯୋଗୁଁ ଏହି ଦଲାଲଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.