Latest Odisha News

BREAKING NEWS

ଲକ୍‌ଡାଉନ୍ ପ୍ରଭାବ: ଶ୍ରଦ୍ଧାଳୁଙ୍କ ବିନା ଉପସ୍ଥିତିରେ ପାଳିତ ହେବ ଚନ୍ଦନ ଯାତ୍ରା !

ପୁରୀ: କରୋନା ମହାମାରୀ ସଂକ୍ରମଣ ରୋକିବା ଲାଗି ଏବେ ଓଡ଼ିଶା ସମେତ ସାରା ଭାରରେ ଚାଲିଛି ଲକ୍‌ଡ଼ାଉନ୍ । ଲକ୍‌ଡ଼ାଉନ୍ ପ୍ରଭାବରେ ପୁରୀରେ କିପରି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଳିତ ହେବ ଏବେ ସେନେଇ ବିଭିନ୍ନ ମହଲରେ ଚିନ୍ତା ଉପୁଜିଛି । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପ୍ରତିବର୍ଷ ମହାଡ଼ମ୍ବରରେ ପାଳିତ ହୋଇଥାଏ । ଶ୍ରୀଜୀଉମାନେ ଏହିଦିନ ନରେନ୍ଦ୍ର ପୁଷ୍କରିଣୀରେ ପାରମ୍ପରିକ ଭାବେ ଚାପ ଖେଳିଥାଆନ୍ତି । ତେବେ ଲକ୍‌ଡାଉନ୍ ଚାଲିଥିବା ଯୋଗୁଁ ଶ୍ରଦ୍ଧାଳୁଙ୍କ ବିନା ଏଥର ଚନ୍ଦନ ଯାତ୍ରା ଆରମ୍ଭ ହେବାର ସମ୍ଭାବନା ରହିଛି ।

କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ବନ୍ଦ କରିଛି । ଏହାବ୍ୟତୀତ ଭକ୍ତମାନେ ଯେପରି ବିଭିନ୍ନ ସ୍ଥାନରେ ରୁଣ୍ଡ ନହୋଇପାରିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି ଯେ, ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ଏଥର ମଧ୍ୟ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । “ଭକ୍ତମାନଙ୍କ ବିନା ଉପସ୍ଥିତିରେ ତଥା ସାମାଜିକ ଦୂରତା ରକ୍ଷା କରିବା ପୂର୍ବକ ଏଥର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ।” ଏହା କହିଛନ୍ତି ଶ୍ରୀ ଦାସ ମହାପାତ୍ର ।

ସେ ଆହୁରି ମଧ୍ୟ ସୂଚନାଦେଇ କହିଛନ୍ତି ଯେ, ଆସନ୍ତା ଏପ୍ରିଲ୍ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି, ଏଥିଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଶେଷ ହୋଇସାରିଛି ।

Leave A Reply

Your email address will not be published.