Latest Odisha News

BREAKING NEWS

ଜାତିସଂଘରେ ପାକିସ୍ତାନକୁ କଡ୍ଡା ଜବାବ୍ ଦେଲା ଭାରତ

ନ୍ୟୁୟର୍କ: ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀରକୁ ନେଇ ଭାରତକୁ ଯୁଦ୍ଧର ଧମକ ଦେବାର ଗୋଟିଏ ଦିନ ପରେ ଭାରତ ଏହାର ପ୍ରତିକ୍ରିୟାରେ କଡ୍ଡା ଜବାବ ଦେଇଛି । ଜାତିସଂଘରେ ଭାରତୀୟ ରାଷ୍ଟ୍ରଦୂତ ବିଦିଶା ମୈତ୍ର କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଯାହାସବୁ କହିଛନ୍ତି ତାହା ହେଉଛି ଡ଼ାହା ମିଛକଥା ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଜାତିସଂଘରେ ଯେପରି ମନ୍ତବ୍ୟ ପ୍ରଦାନ କରିଛନ୍ତି ତାହା କେବଳ ଦେଶ ଦେଶ ମଧ୍ୟରେ ହିଂସାକୁ ଉସୁକାଉବା ପରି । ଜାତିସଂଘରେ ଏପରି ମନ୍ତବ୍ୟ ପ୍ରଦାନ କରିବା ଉଚିତ ନୁହେଁ ବୋଲି ଭାରତୀୟ ରାଷ୍ଟ୍ରଦୂତ ଗଣମାଧ୍ୟମରେ ଏହା ପ୍ରକାଶ କରି ପାକିସ୍ତାନକୁ କଡ୍ଡା ଜବାବ ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଜାତିସଂଘ ସାଧାରଣ ପରିଷଦରେ ଉଦବୋଧନ ଦେଇ କହିଥିଲେ, ପାରମ୍ପରିକ ଯୁଦ୍ଧରେ ଆମେ ହାରିଲେ ଆମେ ପରମାଣୁ ଯୁଦ୍ଧ କରିବୁ । ଯଦି ପରମାଣୁ ଯୁଦ୍ଧ ଆରମ୍ଭ ହୁଏ ତେବେ ଏହାଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହେବ ବୋଲି ଇମ୍ରାନ କହିଥିଲେ ।

ଖାଲିସେତିକି ନୁହେଁ, ଇମ୍ରାନ ଜାତିସଂଘର ସାଧାରଣ ପରିଷଦରେ ତାଙ୍କର ଅଭିଭାଷଣରେ କହିଥିଲେ, ଭାରତ ସରକାର ବଳପୂର୍ବକ ଭାବେ କାଶ୍ମୀରବାସୀଙ୍କୁ ବନ୍ଦୀ କରି ରଖିଛନ୍ତି । ଯଦି କର୍ଫ୍ୟୁ ହଟେ ତେବେ ସମଗ୍ର କାଶ୍ମୀରରେ ରକ୍ତର ସୂଅ ଛୁଟିବ ବୋଲି କହିଛନ୍ତି ।

ଏପରିକି ଇମ୍ରାନ ବିବାଦୀୟ ମନ୍ତବ୍ୟ ପ୍ରଦାନ କରି କହିଛନ୍ତି ଯେ, ଭାରତରେ ମୁସଲିମମାନଙ୍କ ସହିତ ଅନ୍ୟାୟ ହେଉଛି । ଏହି ଅନ୍ୟାୟ ବିରୋଧରେ ମୁସଲମାନମାନେ ଅସ୍ତ୍ର ଉଠାଉଛନ୍ତି ।

ଇମ୍ରାନ ଜାତିସଂଘରେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ଆରଏସଏସ ମୁସଲିମଙ୍କ ବିରୋଧରେ ଯୁଦ୍ଧର ଡ଼ାକରା ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରଏସଏସର ଆଜୀବନ ସଦସ୍ୟ ବୋଲି ବିଷୋଦଗାର କରି କହିଛନ୍ତି ।

ଶନିବାର ଦିନ ଭାରତୀୟ ରାଷ୍ଟ୍ରଦୂତ ବିଦିଶା କହିଛନ୍ତି, ଆନ୍ତର୍ଜାତୀୟ ଆତଙ୍କବାଦୀମାନଙ୍କୁ ପାକିସ୍ତାନ ପେନସନ ପ୍ରଦାନ କରୁଛି । ଜାତିସଂଘ ଦ୍ୱାରା ଆତଙ୍କବାଦୀ ଘୋଷିତ ହୋଇଥିବା ୧୩୦ ଆତଙ୍କବାଦୀଙ୍କୁ ପାକିସ୍ତାନ ନିଜ ଦେଶରୁ ବାହାର କରିପାରିବ ତ? ଇମ୍ରାନ ୧୯୭୧ ନରସଂହାର କଥା କ’ଣ ଭୁଲି ଯାଉଛନ୍ତି କି ବୋଲି ବିଦିଶା ପାକିସ୍ତାନକୁ ପ୍ରଶ୍ନ ପଚାରିଛନ୍ତି ।

Leave A Reply

Your email address will not be published.