ପାଲା ଗାୟକ-ଅଳଙ୍କାର ଚକ୍ରଧର ବାରିକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ହରିପୁର ଗାଁରେ ୧୯୫୧ ମସିହା ନଭେମ୍ବର ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଚକ୍ରଧର ବାରିକ । ବାପା ନୀଳକଣ୍ଠ ବାରିକ ଏବଂ ମାଆ ଯମୁନା ଦେଈଙ୍କର ତିନି ପୁଅ ଏବଂ ଦୁଇଝିଅଙ୍କ ମଧ୍ୟରେ ଜ୍ୟେଷ୍ଠ ପୁଅ ହେଉଛନ୍ତି ଚକ୍ରଧର । ପିଲାଦିନରୁ କଳା, ସାହିତ୍ୟ, ସଂସ୍କୃତି ଓ ପୁରାଣପ୍ରତି ଅହେତୁକ ଆଗ୍ରହ ରହିଥିଲା ଚକ୍ରଧରଙ୍କର । ମାଟ୍ରିକ ପାସ୍ କରିବା ପରେ ନିରାକାରପୁର କଲେଜରେ ବିଜ୍ଞାନ ଛାତ୍ରଭାବେ ପାଠ ପଢୁଥିଲେ, ଏହିସମୟରେ ପାରିବାରିକ ସମସ୍ୟା କାରଣରୁ ତାଙ୍କୁ ପାଠପଢାରେ ଡୋରୀ ବାନ୍ଧିବାକୁ ପଡିଥିଲା । ୧୯୭୫ ମସିହାରେ ସେ ଭୁବନେଶ୍ୱରସ୍ଥିତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଓୟୁଏଟିରେ କିରାଣୀ ଭାବେ ଚାକିରିକଲେ ।

ଚକ୍ରଧରଙ୍କର ପିଲା ଦିନରୁ ପାଲା ପ୍ରତି ରହିଥିଲା ଦୁର୍ବଳତା । ଚାକିରି ପରେ ମଧ୍ୟ ସେ ପାଲା ଦେଖିବା ଭୁଲି ନଥିଲେ, ବରଂ ନିଜେ ଜଣେ ପାଲାଗାୟକ ହେବାକୁ ମନେ ମନେ ସ୍ଥିର କରିଥିଲେ । ପ୍ରତିଦିନ ସେ ଭୁଷଣ୍ଡପୁର ଷ୍ଟେସନରୁ ଟ୍ରେନରେ ଭୁବନେଶ୍ୱର ଯିବା ଆସିବା କରୁଥିଲେ । ୧୯୭୬ ମସିହାର କଥା, ଦିନେ ନିଜ ଗ୍ରାମର ଗାୟକ ପ୍ରଦୀପ ଭ୍ରମରବର ମହାରଣା ଭୁଷଣ୍ଡପୁରରୁ ଖୋର୍ଦ୍ଧା ଯାଉଥିଲେ । ଟ୍ରେନରେ ଉଭୟଙ୍କର ଦେଖାହେଲା । ସେ ସମୟରେ ଛାନ୍ଦର ବିଭିନ୍ନ ଅର୍ଥ କରିବାରେ ମହାରଣା ସାରା ରାଜ୍ୟରେ ପରିଚିତ ହୋଇସାରିଥିଲେ । ଚକ୍ରଧର ଏକ ଛାନ୍ଦର ଅର୍ଥ ଜାଣିବା ପାଇଁ ମହାରଣାଙ୍କ ନିକଟକୁ ଯାଇଥିଲେ । ଟ୍ରେନ ଭିତରେ ମହାରଣା ଛାନ୍ଦର ଅର୍ଥ କରିବାସହ ଅଧିକ ଜାଣିବାକୁ ଚାହୁଁଥିଲେ ଘରକୁ ଆସ ବୋଲି ପରାମର୍ଶ ଦେଇଥିଲେ । ସେଦିନ ଚାକିରିରୁ ଫେରିବା ପରେ ଚକ୍ରଧର ଖାତା ଧରି ଯାଇଥିଲେ ମହାରଣାଙ୍କ ଘରକୁ ।

ଗୁରୁ ତାଙ୍କୁ କିଛି ଶ୍ଲୋକ ଲେଖି ଦେବା ସହ କହିଥିଲେ, ‘ଆରେ ଏସବୁ ପାଠ ଗାଁଁରେ ରହିଯିବ, ବାହାରକୁ ଯାଇପାରିବନି’ । ଏହି କଥା ପଦକ ଚକ୍ରଧରଙ୍କ ମନରେ ଆଲୋଡନ ସୃଷ୍ଟିକଲା, ପୂର୍ବରୁ ତ ମନରେ ଗାୟକ ହେବାର ଆଗ୍ରହ ଥିଲା, ତେଣୁ ସେ ଆଉ ବିଳମ୍ବ ନକରି ପରଦିନ ଗାଁର ୫ ଜଣ ସାଥିଙ୍କୁ ଧରି ଆଖଡା ଆରମ୍ଭକଲେ । କିଛି ଦିନର ଆଖଡା ପରେ ଦୁର୍ଗାପୂଜା ଦିନ ଗୁରୁ ଭ୍ରମରବର ମହାରଣା ଚାମର ଦାନ କଲେ ଚକ୍ରଧରଙ୍କୁ ।

ପ୍ରତିଦିନ ଚାକିରିକୁ ଟ୍ରେନରେ ଯିବା ସମୟରେ ଉପର ସିଟକୁ ଉଠି ଯାଆନ୍ତି ଚକ୍ରଧର, ଆଉ ଭୁବନେଶ୍ୱରରେ ପହଞ୍ଚିବା ଯାଏ ସେଠାରେ ଶ୍ଳୋକ ମୁଖସ୍ତ କରନ୍ତି । ସେହିପରି ଘରକୁ ଫେରିବା ପରେ କିଛି ଖାଇଦେଇ ବିଳମ୍ବିତ ରାତି ଯାଏ ଆଖଡା ହୁଏ । ୧୯୭୫ ମସିହାରେ ଶ୍ରୀ ନୀଳାଚଳ ପାଲାଗାୟକ ପରିଷଦ ଗଠନ କରିଥାନ୍ତି ଗାୟକ ବିଷାରଦ ମାର୍କଣ୍ଡେୟ ବାହିନୀପତି । ୧୯୭୬ ମସିହାରେ ଏହି ପରିଷଦ ସହ ଜଡିତ ହେଲେ ଚକ୍ରଧର, ଏହା ସହ ବାହିନୀପତିଙ୍କୁ ଅନ୍ୟତମ ଗୁରୁ କରି ତାଙ୍କଠାରୁ ଅଧିକ ଶିକ୍ଷାଗ୍ରହଣ କଲେ । ୧୯୮୦ ମସିହାରେ ଓଡିଶା ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ତରଫରୁ ବାହିନୀପତିଙ୍କ ଅଧୀନରେ ଏକ ପାଲା ତାଲିମକେନ୍ଦ୍ର ସ୍ଥାପନ କରାଗଲା । ଏଥିରେ ତତ୍କାଳୀନ କଟକ ଜିଲ୍ଲାରୁ ଗାୟକ ସୁରେନ୍ଦ୍ରନାଥ ଛୋଟରାୟ ଏବଂ ପୁରୀ ଜିଲ୍ଲାରୁ ଗାୟକ ଚକ୍ରଧର ବାରିକ ଛାତ୍ର ଭାବେ ମନୋନୀତ ହେଲେ । ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଣେ ପ୍ରତିଷ୍ଠିତ ଗାୟକ ଭାବେ ସାରା ରାଜ୍ୟରେ ପରିଚିତ ହେବାକୁ ଲାଗିଲେ ଚକ୍ରଧର ।

ସଂସ୍କୃତ କାବ୍ୟ, ନାଟକ ଓ ଓଡିଆ ସାହିତ୍ୟଛାନ୍ଦ ଆଦିର ଅର୍ଥ ଆଲୋଚନା କରିବାରେ ବେଶ୍ ସିଦ୍ଧହସ୍ତ ଚକ୍ରଧର ବାରିକ । ଅଳଂକାର ପ୍ରୟୋଗ, ବ୍ୟାକରଣ, ତତ୍ୱଭିତିକ ପ୍ରାସଙ୍ଗିକ ଆଲୋଚନା ତଥା ଶୁଦ୍ଧ ପରିମାର୍ଜିତ ଭାଷା ସହିତ ରସାନୁକୂଳ ରୀତିରେ ଗାୟନ କରିବା ଚକ୍ରଧରଙ୍କର ବିଶେଷଗୁଣ । ତାଙ୍କ ପାଲାରେ ସାମାଜିକ ସଂସ୍କାର ସହ ବୈଜ୍ଞାନିକ ଚିନ୍ତାଧାରା ଦେଖିବାକୁ ମିଳେ ।

ଜଣେ ପାଲା ସଂଗଠକ ଭାବେ ପରିଚିତ ଚକ୍ରଧର ବାରିକ । ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦକୁ ଚାରି ଦଶନ୍ଧି ଧରିଚଳାଇ ଆସିବାରେ ଯେଉଁ ସୁର, ସୁଦର୍ଶନ, ଚକ୍ରଙ୍କର ପ୍ରମୁଖ ଭୂମିକା ରହିଛି ବୋଲି କୁହାଯାଏ, ସେଥିରେ ଅନ୍ୟତମ ଚକ୍ରଧର ବାରିକ । ପାଲାଗାୟକ ପରିଷଦ ଶାଖା ଅଖଣ୍ଡ ପୁରୀ ଜିଲ୍ଲାର ସେ ଦୀର୍ଘ ଦିନ ଧରି ସମ୍ପାଦକ ରହିବା ସହ ରାଜ୍ୟ ପାଲାଗାୟକ ପରିଷଦର ସହ-ସମ୍ପାଦକ, ସାଂସ୍କୃତିକ ସମ୍ପାଦକ ଓ ସଂଗଠନ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି । ୧୯୯୭ ମସିହାରୁ ଅଦ୍ୟାବଧି ସେ ରାଜ୍ୟ ପାଲାଗାୟକ ଟ୍ରଷ୍ଟ ବୋର୍ଡର ସମ୍ପାଦକ ଭାବେ କାର୍ଯ୍ୟରତ ।

ଉଲ୍ଲେଖନୀୟ ପାଲା ପ୍ରଦର୍ଶନ ପାଇଁ ଚକ୍ରଧର ବାରିକଙ୍କୁ ମିଳିଛି ଅନେକ ପୁରସ୍କାର, ସମ୍ମାନ । ବିଶ୍ୱ ସନାତନ ସେବା ସଂଘ ଦ୍ୱାରା ତାଙ୍କୁ ଗାୟକ ଅରୁଣ ଉପାଧି ପ୍ରଦାନ କରାଯାଇଥିଲା ।

ସେହିପରି ତାଙ୍କୁ ଗାୟକ ସାରଥି, ଗାୟକ ରସ-ସାଗର, ଗାୟକ ଅଳଙ୍କାର ବାରାନିଧି, ଗାୟକ ଗୌରବ, ଗାୟକଭୂଷଣ ଆଦି ଉପାଧି ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.