Latest Odisha News

BREAKING NEWS

ପ୍ରଚଣ୍ଡ ସାହସୀ ବିଜୁ ପଟ୍ଟନାୟକ; ବାଟ ଛାଡ଼ିଦେଲା ମହାବଳ ବାଘ !

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ଅନୁଶୀଳନ କଲେ ସହଜେ ହୃଦୟଙ୍ଗମ କରିହେବ ଯେ, ସେ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱ ଇତିହାସରେ ଏକ ବିରଳ ବ୍ୟକ୍ତିତ୍ୱ । ବିଜୁବାବୁଙ୍କ ଅବଦାନ କେବଳ ଓଡ଼ିଶାକୁ ନୁହେଁ ବରଂ ସମଗ୍ର ଭାରତ ଏବଂ ବିଶ୍ୱରେ ଅତୁଳନୀୟ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଛାତ୍ର ଜୀବନରୁ ନିଜକୁ ସଂଶ୍ଳିଷ୍ଟ କରି ଭାରତର ସ୍ୱାଧୀନତା ହାସଲ ପର୍ଯ୍ୟନ୍ତ ତାଙ୍କର ଦେଶମାତୃକା ପ୍ରତି ଅବଦାନ ଏବେ ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ । କେବଳ ବିଜୁବାବୁ ଭାରତୀୟ ସ୍ୱାଧୀନତା ସଂଗ୍ରାମ ନୁହେଁ ବରଂ ଇଣ୍ଡୋନେସିଆ ସ୍ୱାଧୀନତା ହାସଲ କରିବାରେ ବିଜୁ ବାବୁଙ୍କ ଅବଦାନ ଥିଲା ପ୍ରଶଂସନୀୟ ।

ଛୋଟବେଳୁ ହିଁ ବିଜୁବାବୁ ବହୁତ ସାହସୀ ଥିଲେ । ସେତେବେଳେ ସେ ପଢୁଥିଲେ କଟକର ରେଭେନ୍ସା କଲେଜରେ । ଛାତ୍ର ଜୀବନରେ କଟକରୁ ପେଶୱାର ସେ କିଛି ସାଙ୍ଗମାନଙ୍କୁ ନେଇ ସାଇକେଲରେ ପରିଭ୍ରମଣ କରିଥିଲେ । ଏହି ସାଇକେଲ ଯାତ୍ରା ମଧ୍ୟ ସେତେବେଳେ ତାଙ୍କ ପଢା ଜୀବନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । କଟକରୁ ପେଶୱାର ସାଇକେଲରେ ଯିବା ବାଟରେ ଏକ ଜଙ୍ଗଲିଆ ରାସ୍ତାରେ ମହାବଳ ବାଘ ହାବୁଡ଼ରେ ପଡ଼ିଥିଲେ ବିଜୁ । ଘଞ୍ଚ ଜଙ୍ଗଲର ସରୁ ରାସ୍ତା ମଧ୍ୟ ଦେଇ ୩ଜଣ ବନ୍ଧୁ ସାଇକେଲରେ କଥାବାର୍ତ୍ତା ହୋଇ ଧିରେ ଧିରେ ଯାଉଥାଆନ୍ତି ।

ହଠାତ୍ ଦେଖିଲେ କିଛି ବାଟ ଦୂରରେ ରାସ୍ତା ମଝିରେ ଏକ ବିରାଟକାୟ ମହାବଳ ବାଘ ବସିଛି । ଯେମିତିକି ଏହି ମହାବଳ ବାଘଟି ଏହି ତିନି ବନ୍ଧୁଙ୍କୁ ଅପେକ୍ଷା କରି ରହିଥିଲା । ଦୁଇ ବନ୍ଧୁ ଏତେ ନିକଟରୁ ବିରାଟକାୟ ବାଘକୁ ଦେଖି ଡରି ବରଡ଼ାପତ୍ର ପରି ଥରୁଥାଆନ୍ତି । ବିଜୁ ଅନ୍ୟ ଦୁଇ ବନ୍ଧୁଙ୍କୁ ନଡ଼ରି ସାଇକେଲ ଧରି ଚୁପଚାପ ଛିଡ଼ା ହେବାକୁ ପରାମର୍ଶ ଦେଲେ । ବାଘ ଆଖିରେ ଆଖି ମିଳାଇ ଛିଡ଼ା ହେବାକୁ କହିଲେ ବିଜୁ ।

ତିନିବନ୍ଧୁ ହିଂସ୍ର ବାଘର ଆଖିରେ ଆଖି ମିଳାଇ କିଛି ସମୟ ଖୁଣ୍ଟ ପରି ଛିଡ଼ା ହୋଇ ରହିଲେ । କିଛି ସମୟ ପରେ ବାଘଟି ପଛକୁ ହଟିଗଲା ଏବଂ ଜଙ୍ଗଲ ମଧ୍ୟକୁ ଚାଲିଗଲା । ବିଜୁ ବାବୁ ତାଙ୍କର ଅନ୍ୟ ଦୁଇ ସହପାଠୀ ସାଇକେଲ ଗଡ଼ାଇଲେ ଆଗକୁ । ଏହିପରି ସାହସୀକତା ବିଜୁବାବୁଙ୍କ ସାରା ଜୀବନରେ ଦେଖିବାକୁ ମିଳିଥାଏ ।

 

Leave A Reply

Your email address will not be published.