ପାଣିପାଗ ଉପଯୋଗୀ ପାରମ୍ପରିକ ଚାଷ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ଗତ ବର୍ଷ ଖରିଫ ଋତୁରେ ଆମ ରାଜ୍ୟ ଓଡ଼ିଶାର ଭିନ୍ନ ଭିନ୍ନ ଅଂଚଳରେ ରୋଗ ପୋକ ଆକ୍ରମଣ, ସ୍ୱଳ୍ପ ବୃଷ୍ଟି ଓ ଅନିୟମିତ ବୃଷ୍ଟିପାତ ଯୋଗୁ ବ୍ୟାପକ ଫସଲ ହାନୀ ହୋଇଥିବାର ଖବର ମିଳିଛି । କିନ୍ତୁ ଏହି ପରିସ୍ଥିତିରେ ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ୍‌ର ଆଦିବାସୀ ଚାଷୀ ହରଶ୍ଚନ୍ଦ୍ର ସିକୋକା ଖୁବ୍ ଭଲ ଅମଳ କରିଛନ୍ତି ବୋଲି ହସି ହସି ପ୍ରକାଶ କରନ୍ତି । ଆଜିର ଜଳବାୟୁ ପରିବର୍ତନ ତଥା ବିଗିଡ଼ା ପାଣିପାଗର ପରିସ୍ଥିତିରେ ହରିଶ୍ଚନ୍ଦ୍ରଙ୍କ ଅମଳରେ ଆଦୌ ବି କମ୍ ହୋଇନାହିଁ । କାରଣ ସେ ତାଙ୍କ କନ୍ଧ ଆଦିବାସୀ ଚଳଣିରେ ଥିବା ପାରମ୍ପରିକ ଉପାୟରେ ମିଶ୍ରିତ ଚାଷ କରିଥିଲା । ଗୋଟିଏ ଜମିରେ ସେ ୫୩ ପ୍ରକାର ଖାଦ୍ୟ ଶସ୍ୟ ଚାଷ କରିଥିଲା, ଯେଉଁଥିରେ ମାଣ୍ଡିଆ ଜାତୀୟ, ଜନା, ମକା, କାଙ୍ଗୁ, କୋଶଳା, ଡାଲି ଜାତୀୟ, ତୈଳ ବୀଜ, କନ୍ଦା ଓ ପନିପରିବା ଆଦି ସାମିଲ୍ ଥିଲା । ହରିଶ୍ଚନ୍ଦ୍ର ମତରେ ସେ ତାର ବାପା ଅଜା ପାଖରୁ ପରମ୍ପରା କ୍ରମେ ଉତ୍ତରାଧିକାରୀ ସୂତ୍ରରେ ଏପରି ଚାଷ ପ୍ରଣାଳୀ ଶିଖିଛି ଓ ଆଜିର ଜଳବାୟୁର ପରିବର୍ତନ ଯୁଗରେ ଏପରି ପାରମ୍ପରିକ ମିଶ୍ରିତ ଚାଷ ପ୍ରଣାଳୀ ହିଁ ଏକମାତ୍ର ଚିରସ୍ଥାୟୀ ଉପାୟ ବୋଲି ସେ ବର୍ଣ୍ଣନା କରେ ।
ଜଳବାୟୁ ପରିବର୍ତନର ପ୍ରଭାବ ଯୋଗୁ ପ୍ରତିବର୍ଷ ପ୍ରାୟତଃ ସ୍ୱଳ୍ପ ବୃଷ୍ଟି, ଅତି ବୃଷ୍ଟି, ବନ୍ୟା, ବାତ୍ୟା ବା ରୋଗ ପୋକ ଆକ୍ରମଣ ପରି ବିପଦ ଚାଷ ଉପରେ ବଢ଼ିବାରେ ଲାଗୁଛି । ଏହି ସବୁ କାରଣ ଯୋଗୁ ସରକାରୀ ରିପୋର୍ଟ ଅନୁସାରେ ଗତ ବର୍ଷ ରାଜ୍ୟର ପନ୍ଦରଟି ଜିଲ୍ଲାର ପ୍ରାୟ ୩୩ ପ୍ରତିଶତ ଫସଲ ହାନୀ ହୋଇଥିଲା । ପ୍ରାୟତଃ ପ୍ରତି ବର୍ଷ କିମ୍ବା ଦୁଇ ବର୍ଷରେ ଆମ ରାଜ୍ୟରେ ବାତ୍ୟା, ବନ୍ୟା ବା ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଉଛି । ବିଶେଷଜ୍ଞମାନଙ୍କ ମତରେ ସଂପ୍ରତି ଯେପରି ଭାବେ ଜଳବାୟୁ ପରିବର୍ତନ ହେଉଛି, ଏପରି ପ୍ରାକୃତିକ ବିପର୍ଯ୍ୟୟର ସଂଖ୍ୟା ଆହୁରି ବଢ଼ିବ । ଜଳବାୟୁ ପରିବର୍ତନ ହିଁ ଆଜିର ସମୟର ବାସ୍ତବତା । ଜଳବାୟୁ ପରିବର୍ତନର ସବୁଠାରୁ ବଡ଼ ବିପଦ ଚାଷ ଉପରେ ହିଁ ପଡ଼ିବାକୁ ଯାଉଛି । ଚାଷ ଉପରେ ବିପଦ ଅର୍ଥ ଆମ ଖାଦ୍ୟ ସୁରକ୍ଷା ଉପରେ ବିପଦ । ତେଣୁ ଏପରି ପରିସ୍ଥିତିରେ ଆମକୁ ଏପରି ଚାଷ ପ୍ରଣାଳୀ ଆପଣେଇବାକୁ ପଡ଼ିବ ଯାହା ଆଜିର ଜଳବାୟୁ ପରିବର୍ତନର ସଂକଟକୁ ସାମ୍‌ନା କରିବାକୁ ସକ୍ଷମ ହୋଇଥିବ । ଏହି ପରିପ୍ରେକ୍ଷୀରେ କନ୍ଧ ଆଦିବାସୀମାନେ ପାରମ୍ପରିକ ଭାବେ କରିଆସୁଥିବା ଭିନ୍ନ ଭିନ୍ନ ଫସଲର ମିଶ୍ରିତ ଚାଷ ହିଁ ଉପଯୋଗୀ ଓ ବୈଜ୍ଞାନିକସମ୍ମତ ମନେ ହୁଏ । ନଚେତ୍ ଜଳବାୟୁ ପରିବର୍ତନ ଯୋଗୁ ସଂପ୍ରତି ଯେପରି ଭାବେ ଅନିୟମିତ ବର୍ଷା ଓ ପାଣିପାଗରେ ଅସ୍ଥିରତା ଦେଖାଯାଉଛି, ସରକାରୀ ବିହନ ସବୁର ସହଣୀ ଶକ୍ତି ନଥିବା ଯୋଗୁ ତାହା ତିଷ୍ଠି ପାରୁ ନାହିଁ ।

କନ୍ଧ ଆଦିବାସୀମାନଙ୍କ ପାରମ୍ପରିକ ମିଶ୍ରିତ ଚାଷ ପ୍ରଣାଳୀ ଆଦୌ ବି ପୁରୁଣା କାଳିଆ ପଦ୍ଧତି ନୁହେଁ । ଏହା ପଛରେ ଯଥେଷ୍ଟ ବୈଜ୍ଞାନିକ ସିଦ୍ଧାନ୍ତ ଅଛି ଏବଂ ଆଜିର ସଂକଟ ସମୟରେ ଏହା ସଂକଟମୋଚନ ଭାବେ ଉଭା ହେଉଥିବାର ଦେଖାଯାଉଛି । କେବଳ ରାୟଗଡ଼ା ନୁହେଁ, କୋରାପୁଟ, କନ୍ଧମାଳ, ଗଜପତି ଓ କଳାହାଣ୍ଡି ଜିଲ୍ଲାର ଆଦିବାସୀମାନେ ସାଧାରଣତଃ ପାହାଡ଼ ତଥା ଡଙ୍ଗର ଉପରେ ସେମାନଙ୍କର ଚାଷ କରିଥାନ୍ତି । ଆଜିର ସମୟରେ ଆମ ସରକାର ଓ କୃଷି ବୈଜ୍ଞାନିକମାନେ ଯେପରି ଭାବରେ କେବଳ ଗୋଟିଏ ପ୍ରକାର ଚାଷ କରିବାକୁ ପ୍ରବର୍ତାଉଛନ୍ତି, ସେମାନେ ସେପରି ନକରି ଗୋଟିଏ ଜମିରେ ଭିନ୍ନ ଭିନ୍ନ ପ୍ରକାର ଶସ୍ୟ ଚାଷ କରିଥାନ୍ତି । ଏଥିରେ ଶସ୍ୟ ଜାତୀୟ, ମାଣ୍ଡିଆ ଜାତୀୟ, ମକା, ଜନା, ଡାଲି ଜାତୀୟ, ତୈଳ ବୀଜ, କନ୍ଦା ଓ ପନିପରିବା ଆଦି ଥାଏ । ଏହି ଆଦିବାସୀମାନଙ୍କ ମତରେ ଏପରି ମିଶେଇକି ଚାଷ କଲେ ଗୋଟିଏ ଫସଲ ଅନ୍ୟ ଫସଲକୁ ସାହାଯ୍ୟ କରିଥାଏ । ଗୋଟିଏ ଜମିରେ ଭିନ୍ନ ଭିନ୍ନ ପ୍ରକାର ଶସ୍ୟ ଚାଷ ହେଉଥିବାରୁ ସେହି ଶସ୍ୟ ଗୁଡ଼ିକର ଚେର ବି ମାଟିର ଭିନ୍ନ ଭିନ୍ନ ସ୍ତରକୁ ଯାଇଥାଏ । ଗଭୀରକୁ ଯାଇଥିବା ଶସ୍ୟର ଚେର ପାଣି ଓ ଖାଦ୍ୟ ସଂଗ୍ରହ କଲେ ତାହା କମ୍ ଗଭୀରକୁ ଯାଇଥିବା ଶସ୍ୟର ବି କାମରେ ଆସିଥାଏ ।

ଏତଦ୍‌ବ୍ୟତୀତ ଜମିରେ ଭିନ୍ନ ଭିନ୍ନ ପ୍ରକାର ଶସ୍ୟ ଥିବାରୁ ଏହା ରୋଗ ପୋକକୁ ବି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । କାରଣ ଗୋଟିଏ ଶସ୍ୟର ପତ୍ରର ବାସ୍‌ନା ଅନ୍ୟ ଗଛ ପ୍ରତି ଆକୃଷ୍ଟ ହେଉଥିବା ପୋକ ପାଇଁ ଅସହ୍ୟ ହୋଇଥାଏ । ଏହିପରି ଭାବେ ମିଶ୍ରିତ ଚାଷ ଜମିରେ ରୋଗ ପୋକର ସମ୍ଭାବନା କମ୍ ହୋଇଯାଇଥାଏ । ଚଳିତ ବର୍ଷ ଯେପରି ଭାବେ ଆମ ରାଜ୍ୟରେ ପୋକଙ୍କ ପ୍ରାଦୂର୍ଭାବ ଦେଖାଗଲା, ମିଶ୍ରିତ ଚାଷ ଜମିରେ ସେପରି ପୋକଙ୍କ ପ୍ରଭାବ ଆଦୌ ବି ଦେଖାଯାଇନଥିଲା । ମିଶ୍ରିତ ଚାଷ ଯୋଗୁ ଅନାବୃଷ୍ଟି ହେଲେ ବା ଅତିବୃଷ୍ଟି ହେଲେ ଜମିର ଗୋଟିଏ କିମ୍ବା ଦୁଇଟି ଫସଲର ଅମଳ କମିଥାଏ ।

କିନ୍ତୁ ଜମିରେ ଥିବା ଅନ୍ୟ ଫସଲ ଅମଳ ହେବାରେ ଅସୁବିଧା ହୋଇନଥାଏ । ଏକକ ଫସଲ ଜମିରେ ଯେପରି ଭାବେ ସଂପୂର୍ଣ୍ଣ ଫସଲ ଉଜୁଡ଼ି ଯାଇଥାଏ, ମିଶ୍ରିତ ଚାଷ ଜମିରେ ସଂପୂର୍ଣ୍ଣ ଫସଲ ନଷ୍ଟ ନହୋଇ ଆଂଶିକ ନଷ୍ଟ ହୋଇଥାଏ । ଫଳରେ ଚାଷୀର ଘରକୁ କିଛି ନା କିଛି ଅମଳ ଆସିଥାଏ । ମିଶ୍ରିତ ଚାଷ ଜମିରେ ଭିନ୍ନ ଭିନ୍ନ ଫସଲ ଥିବାରୁ ଚାଷୀର ଅମଳ ଅବଧୀ ବି ବଢ଼ିଥାଏ । ଏକକ ଫସଲରେ ଗୋଟିଏ ସମୟରେ ସବୁ ଅମଳ ଆସୁଥିବା ବେଳେ, ମିଶ୍ରିତ ଚାଷ ଜମିରୁ ଗୋଟିଏ ଖରିଫ୍ ଋତୁରେ ପ୍ରାୟତଃ ଅଗଷ୍ଟ ମାସରୁ ଅମଳ ଆସିବା ଆରମ୍ଭ ହୋଇଥାଏ ଓ ଏହା ଜାନୁୟାରୀ ମାସର ଶେଷ ପର୍ଯ୍ୟନ୍ତ ଚାଲିଥାଏ । ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ଶସ୍ୟର ଅମଳ ଆସିଥାଏ । ଏପରି ପରିସ୍ଥିତିରେ ସଂପୂର୍ଣ୍ଣ ଫସଲ ଉଜୁଡ଼ି ଯିବା ଭଳି ପରିସ୍ଥିତିକୁ ଟାଳି ହୋଇଥାଏ । ଫଳରେ ପାଣିପାଗ ପରିବର୍ତନ ହେଲେ ବି ଖାଦ୍ୟ ସୁରକ୍ଷା ବିପନ୍ନ ହୋଇନଥାଏ ।

ମିଶ୍ରିତ ଚାଷ ଜମିରୁ କେବଳ ଯେ ଭଲ ଅମଳ ମିଳିଥାଏ ସେତିକି ନୁହେଁ, ମିଶ୍ରିତ ଚାଷ ଯୋଗୁ ଜମିର ଉର୍ବରତା ବି ବଜାୟ ରହିଥାଏ । ତେଣୁ ଆଜିର ଜଳବାୟୁ ପରିବର୍ତନର ଯୁଗରେ ଆଦିବାସୀମାନଙ୍କ ପାରମ୍ପରିକ ମିଶ୍ରିତ ଚାଷ ପଦ୍ଧତି ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏକ ବତୀଘର ହୋଇ ଆମ ଆଗରେ ଠିଆ ହୋଇଛି ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮, ମୋ- ୯୪୩୮୪୬୮୪୭୪

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.