Latest Odisha News

ପାର୍ସଲ ବୋମା ବିସ୍ଫୋରଣ ମାମଲା: ଜାମିନ ଲାଗି ଅଭିଯୁକ୍ତ ପୁଞ୍ଜିଲାଲଙ୍କ ହାଇକୋର୍ଟରେ ଆବେଦନ

କଟକ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଆଜି ହାଇକୋର୍ଟରେ ତାଙ୍କର ଜାମିନ ଆବେଦନ କରିଛନ୍ତି ।

ଗତ ଜୁନ ୧ ତାରିଖରେ ପୁଞ୍ଜିଲାଲଙ୍କ ଓକିଲ ଶ୍ରୀମନ୍ତ କୁମାର ପାଣିଗ୍ରାହୀ ବଲାଙ୍ଗୀର କୋର୍ଟରେ ଜାମିନ ଆବେଦନ କରିଥିଲେ, କିନ୍ତୁ ବିଚାରପତି ତାଙ୍କର ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ । ତେଣୁ ଜାମିନ ପାଇବାକୁ ପୁଞ୍ଜିଲାଲ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ରାଜ୍ୟ କ୍ରାଇମ ବ୍ରାଞ୍ଚର ସ୍ପେସାଲ ସ୍କ୍ୱାର୍ଡ଼ ଗତ ଏପ୍ରିଲ ୨୪ ତାରିଖରେ ଗିରଫ କରିଥିଲେ, ଏବଂ ସେ ଏବେ ପାଟଣାଗଡ଼ ସବ ଜେଲରେ ଅଛନ୍ତି । ତେବେ କ୍ରାଇମବ୍ରାଞ୍ଚ ତାଙ୍କୁ ୨ଟି ପର୍ଯ୍ୟାୟରେ ରିମାଣ୍ଡରେ ଆଣି ପଚରାଉଚରା କରିବା ସହିତ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଥିଲେ । ଅଭିଯୁକ୍ତ ପ୍ରତିଶୋଧ ପରାୟଣ ହୋଇ ସୁପରିକଳ୍ପିତ ଯୋଜନାନୁଯାୟୀ ଏହି ହତ୍ୟାକାଣ୍ଡ ଘଟାଇଥିବାର ମାନିଥିଲେ ।

ଋାୟପୁରରେ ପୁଞ୍ଚିଲାଲ୍ ଜଣେ ରିକ୍ସାଚାଳକଙ୍କ ହାତରେ ପାର୍ସଲ ପଠାଇଥିଲେ ଏବଂ ଏହି ପାର୍ସଲ ଖୋଲିବା ପରେ ନବବିବାହିତ ସୌମ୍ୟ ଶେଖର ସାହୁଙ୍କର ପାର୍ସଲ ବିସ୍ଫୋରଣ ଘଟି ମୃତ୍ୟୁ ହୋଇଥିଲା ଏବଂ ନବବଧୂ ରିମାରାଣୀ ଓ ତାଙ୍କ ଶାଶୁ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାର ଯାଞ୍ଚ ଭାର ପ୍ରଥମେ ବଲାଙ୍ଗୀର ପୋଲିସ କରୁଥିବା ବେଳେ ପରେ କ୍ରାଇମବ୍ରାଞ୍ଚ ହାତକୁ ନେଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ କରାଯିବା ପରେ ଘଟଣାଟିର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଧରାପଡ଼ିଥିଲେ । ଆହତ ନବବଧୂ ରିମାମଣି ତାଙ୍କ ସ୍ୱାମୀଙ୍କ ହତ୍ୟାକାଣ୍ଡର ଦୋଷୀକୁ ତୁରନ୍ତ ଧରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଥିଲେ । କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ରିମାରାଣି ଏବେ ସୁସ୍ଥହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.