ଲକ୍ଷେଭାର ପଦ୍ମ ଆଣିଚି ତୋପାଇଁ…

ଲକ୍ଷେଭାର ପଦ୍ମ ଆଣିଚି ତୋପାଇଁ…
ପ୍ରଜ୍ଞାଶ୍ରୀ ରଥ

ବହୁବର୍ଣ୍ଣା ଆଲୁଅର ଏକମାତ୍ର ସୂର୍ଯ୍ୟ
ତୋ ସୀମନ୍ତରେ ମା!
ବରଫର ସୀମାନ୍ତରେ ରକ୍ତର ସିନ୍ଦୂର…
କୋଟିଏ ପ୍ରାଣସ୍ପନ୍ଦନ ଜଣାଇବା ପାଇଁ
ଗୋଟିଗୋଟି କରି
କେତେ କିଏ ଛାଡ଼ିଗଲେ ଆପଣା ସଂସାର…

ରଣକୁହୁଡ଼ିରେ ମିଳେଇଯାଇଚି ଲକ୍ଷେଭାର ପଦ୍ମ
କମାଣର ଶବ୍ଦରେ ଲୁଚିଯାଇଚି କୁଆଁରାବ
ସୋରିଷକ୍ଷେତରେ ଉଜୁଡ଼ିଯାଇଚି ଫୁଲକଙ୍କଣ…
ଫାଳେ ଜହ୍ନର କରତ ଧରି
ଚିରିଦେଇଚି ଏ ସମୟ
ବିରହିଣୀମାନଙ୍କର ରକ୍ତାକ୍ତ ହୃଦୟ…
ତୋର ସବୁବେଳେ ବାରଶ ବଢେ଼ଇରେ ଦାୟ
ଚନ୍ଦ୍ରଭାଗାମାନଙ୍କରେ ବାରମ୍ବାର ବୁଡ଼ିମରେ
ହତଭାଗା ପୁଅ…

ତତେ କିଛି ଦେବାକୁ ଯାଇ ଲେଖେ
ମିଛମିଛ ଅକ୍ଷରରେ, ଅଲିଭା କାଳିରେ
ଫେରିଆସେ ଖାଲି ସେମିତି ଧାପେ କଳାଦାଗ ନେଇ
ମୋର ଗୋଟେ ଆଙ୍ଗୁଠିରେ…
ମାତିଯାଏ ମୂକ ଗଣତନ୍ତ୍ର
ସଂଖ୍ୟା ଗଣିତର ବିଜୟ ଉଲ୍ଲାସରେ…

ତୋ ଶାଢ଼ିରେ ରଫୁକରେ ଧରି
ଧର୍ମ ଓ ସଂପ୍ରଦାୟର ସୂତା
ପିନ୍ଧାଏ ତତେ କେତେବେଳେ ହିଜାବ୍ ତ
କେତେବେଳେ ରାମାନନ୍ଦୀ ଚିତା…
କେତେବେଳେ କଂସେଇଘରୁ ଶୁଭେ ତୋ ସ୍ୱର
କେତେବେଳେ ବିଲହୁଡ଼ାରୁ
କେତେବେଳେ ବେକକଟେ ବେକାବୁ ଭିଡରେ
ଟ୍ରେନ୍ ଚକାତଳେ
ରାବଣକୁ ପୋଡ଼ୁପୋଡ଼ୁ ନିଜ ଭିତରୁ
କୁହୁଳେ ଗାଁରୁ ସହରଯାଏ
ପୀଡ଼ିତା ଝିଅର ପରି ରାଜଧାନୀ ନଗରୀର ହୋହାଲ୍ଲାରେ
ଆତଙ୍କିତ, ଭୀତତ୍ରସ୍ତ ଛକଉପରୁ…

କହିପାରେନି କୋଉଠି
ସଂସଦରେ କି ଶ୍ମଶାନରେ
ଅପମାନରେ ନଇଁପଡେ଼ ତୋ ତି୍ରରଙ୍ଗା ମୁକୁଟ
ଭାଙ୍ଗିଚି ପାଚେରି ଯେବେ ଆବେଗରେ କି ଆତଙ୍କରେ

କାଣୀ ବିରାଡ଼ିମାନଙ୍କୁ ଛାଡ଼ିଦିଆଯାଏ ଚାବୁକ୍ ସହ
କୁଜି ଅସରପାମାନେ ସେମାନଙ୍କର ଶିକାର
ଛୁରୀ, ଭୁଜାଲି, ହାତବୋମା ସବୁ ନିରପେକ୍ଷ ମାରଣାସ୍ତ୍ର
ଝରିଯାଇଥିବା ସବୁ ରକ୍ତ ସେଇ ଗୋଟିଏ ରଙ୍ଗର…

ଜଙ୍ଗଲ ଭିତରେ ବାଘ ବି ନିରାପଦ ନୁହେଁ…
ସେଠି ବି କବ୍ଜା ଅଲୋଡ଼ାପଣର…
ଦାନାକନା ଯୋଗାଡ଼ିବା ପାଇଁ
ମହୁ, ଝୁଣା ଝୁଣିସାରି ବନ୍ଧାପଡେ଼, ପାହାଡ଼ର ଯୌବନ…
ନଈର ପାଣି, ସୁନାର ଫସଲ
ଆଉ ସୁଲୁସୁଲୁ ଗୀତ ଗାଉଥିବା ପୂବେଇ ପବନ…

ତୋର ସବୁବେଳେ ବାରଣ ବଢେ଼ଇରେ ଦାୟ
ରାସ୍ତାଘାଟରେ ଆଲୁଅ, ତୋରଣମାଳ
ବଡ଼ବଡ଼ ପ୍ରାଚୀରପତ୍ର, ବଡ଼ ପ୍ରତିଶ୍ରୁତି…
ଭାତଲୁଗା ପଡ଼ିଦେଇ
କୁଟାଛାତ, କେର୍ପାଲ୍ କାନ୍ଥତଳେ
ନିରୁଦ୍ଦିଷ୍ଟ ମରୁଭୂମି, ମରୀଚିକା, ଜୀବନର ଭ୍ରାନ୍ତି…

ତତେ ଠିକ୍ ଜଣାନାହିଁ
ଅଷ୍ଟମ ସନ୍ତାନ ପାଇଁ
ଦେବକୀର କାରାବାସ ଅନେକ ଯନ୍ତ୍ରଣା
ତତେ ଠିକ୍ ଜଣାନାହିଁ
ରାମ ଜନ୍ମଭୂମି ପାଇଁ
ମନ୍ଥରାର କୂଟବୁଦ୍ଧି, କୈକେୟୀର କପଟ ମନ୍ତ୍ରଣା…
ତତେ କିଛି ଦେଇନାହିଁ
ବରିନେଇଚି ଅକୁହା କଥାର ବନ୍ଦୀଘର
ଦେଖିଚି ତୋ ଯୋଗ୍ୟପୁଅ
ରୋଜଗାର ପାଇଁ ବାଧ୍ୟହୋଇ ଯାଏ ଦେଶାନ୍ତର…
ଦେଖୁଥାଏ ପ୍ରହସନ ମାତୃତ୍ୱର
ବିଡ଼ମ୍ବିତ ଅଧିକାର କନ୍ୟାଭ୍ରୂଣ ଫୋପାଡ଼ିଦେବାର…

ପାତିଦେଇଚି ଦର୍ପଣଶିଳା
ମୁଦିଦେଇଚି ବନ୍ଦୀଘର
ଫାଟିପଡ଼ୁଚି ଟହଟହ ହସରେ
ପ୍ରବଳପ୍ରତାପୀ କଂସାସୁର…
ସାତକବାଟ ରୁନ୍ଧିଦେଇଚି
ଲୌହକିଳିଣୀ ଅନର୍ଗଳ…

ତୋର ସେଇ ଧାରାପ୍ରବାହ ଅଲୌକିକତାରେ
ପ୍ରବାହିତ ତୋ ଲୋକତନ୍ତ୍ର
କ୍ଷଣେ ଝଲସେ ବିଜୁଳିକନ୍ୟା
କ୍ଷଣେ ଉଲୁସେ ଦେହ ତୋର ।
……………….
କ୍ୱାଟର୍ସ ନମ୍ବର- ସି / ୭୨
ୟୁନିଟ୍‍-୮, ଭୁବନେଶ୍ୱର

ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ:
[email protected]
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)

 

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.