ପ୍ରୀତି ପରକୀୟା

ପ୍ରୀତି ପରକୀୟା
ସୁବ୍ରତ ଜେନା

କହି ହେବ ନାଇଁ
କାହାକୁ ଭଲପାଇ ଆରମ୍ଭ କଲି ଲେଖା ।

ସେ ପ୍ରୀତି କଥା କାହିଁକି ପଚାରୁ ?

ଏଇନା, ମୁଁ ଇ ତୋର ପ୍ରେମ
ଆଉ ତୁ ମୋ କବିତା !

ମଶାଧୂପର ଗଂଧରେ
ରାତିକୁ ଘୃଣା କରୁଥିଲାବେଳେ
ତୁ ଜହ୍ନ ଆଲୁଅ ହେଇ ପିଚକିଲୁ
ମୋ ଖୋଲା ଛାତରେ
ଓ ଫେରେଇଦେଲୁ ମୋ ଗତ ଜନ୍ମର ରସିକତା !

ସ୍ତ୍ରୀ, ପିଲାଛୁଆ, ଗାଡି ଘୋଡା
ବିକାଶଶୀଳ ସଂସାର ଭିତରେ
ଏଇନା ତୁ ଇ ପୁଂଜି ମୋ କବିତାର,
ବିନା ଯାମେଲାରେ ଯାହା କିଛି ଦିନ ହେଲା
ଖଟେଇ ଚଲେଇଚି,
ଇନ୍ଦ୍ରଧନୁ ଆଙ୍କିବି ବୋଲି ଜାଣ୍
ମେଘ ମୁଣ୍ଡେଇ ବୁଲୁଚି !

ମୋ ସ୍ତ୍ରୀର ଖାଲି
ଗେହ୍ଲା ଭଉଣୀ ତୁ ନୁହେଁ
ମୋର ଫୁଲ, ଚଢେଇ, ଜହ୍ନ, ଝରଣା
ସବୁ କିଛି ।
ପାର୍କ, ଆଇସକ୍ରିମ୍ ପାର୍ଲର, କାଫେ
ଏମିତିକି ମୋବାଇଲ ଫୋନର ମିସ୍ କଲ ଭିଡ ଭିତରେ
ତୁ ପ୍ରଦ୍ୟୁଷିତ ହୋଇ ନ’ଥିବା ବାୟୁ ଟିକେ
ତୋତେ ପାଇ ଭାଗ୍ୟ କରିଚି !

କହିହେବ ନାଇଁ
କାହାକୁ ଭଲପାଇ ଆରମ୍ଭ କଲି ଲେଖା
ବୁଝିଲୁ, ସମୟ ଛିଡୁଚି !

ବିଜ୍ଞାନ ମେଳା, ଶିଳ୍ପ ମେଳା, ଶାଢି ମେଳା, ଚୂଡି ମେଳା
ତଥା ବଜାର ଚାହିଦା ଅନୁଯାଇ
ଚର୍ବି ଚଢୁଥିବା ତୋ ନାନୀର ମେଖଳାରେ
କଣ୍ଟା ଚାବିନେନ୍ଥା ହେଇ ଝୁଲୁଚି ମୁଁ
ପ୍ରେମ କଥା ଛାଡ,
କବିତା କହିଲେ ଫୁଟୁଚି ବୋମା !

ଏମିତି ଆଉ ଜାଗା କାଇଁ,
ଯୋଉଠି ତୋତେ ଫୁର୍ କରି ଉଡେଇନେବି କବିତାରେ
ପାଇବା ପାଇଁ ମୋ ଗତ ଜନ୍ମର ରସିକତା
ଆଉ ତୋ ଅନୂଢା ଓଠରୁ ଚୁମ୍ମା !

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.