Latest Odisha News

BREAKING NEWS

ପୁରୀ ବଡ଼ଦାଣ୍ଡ ଉଚ୍ଛେଦ ପ୍ରସଙ୍ଗ: ସେବାୟତଙ୍କ ଉପଯୁକ୍ତ ଥଇଥାନ କରିବାକୁ ଦାବି କଲା ‘ଦଇତାପତି ନିଯୋଗ’

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିରରେ ସେବାକାର୍ଯ୍ୟ କରୁଥିବା ସେବାୟତଙ୍କ ଗୋଷ୍ଠୀ ଦଇତାପତି ନିଯୋଗ ମନ୍ଦିର ଚାରିପାଖରେ ଉଚ୍ଛେଦ ପ୍ରକ୍ରିୟା ସମ୍ପର୍କରେ ଶୁକ୍ରବାର ଦିନ ମୁହଁ ଖୋଲିଛନ୍ତି । ଯେଉଁ ସେବାୟତ ମାନଙ୍କର ଗୃହ ଉଚ୍ଛେଦ କରାଯାଉଛି ସେମାନଙ୍କର ବାସଗୃହ ଆଦି ବ୍ୟବସ୍ଥା କରିବା ସହିତ ଉପଯୁକ୍ତ ଭାବେ ଥଇଥାନ କରିବା ଆବଶ୍ୟକ ବୋଲି ସେବାୟତଙ୍କ ପକ୍ଷରୁ ଦଇତାପତି ନିଯୋଗ କହିଛି ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଦଇତାପତି ନିଯୋଗ ସମ୍ପାଦକ ଦୂର୍ଗା ଚରଣ ଦାସମହାପାତ୍ର କହିଛନ୍ତି, ରାଜ୍ୟ ସରକାର ଏହି ଉଚ୍ଛେଦ ପ୍ରକ୍ରିୟା ପରିସ୍ଥିତିରେ ସେବାୟତମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରିବା ସହିତ ସେମାନଙ୍କୁ ଉପଯୁକ୍ତ ଭାବେ ଥଇଥାନ କରିବା ଆବଶ୍ୟକ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନେକ ପ୍ରକାରର ଦୈନିକ ସେବାକାର୍ଯ୍ୟ କରୁଥିବା କିଛି ସେବାୟତମାନଙ୍କର ବାସଗୃହ ମଧ୍ୟ ଏହି ଉଚ୍ଛେଦ କରାଯାଇଛି ଏବଂ ଅନେକଙ୍କର ମଧ୍ୟ ଉଚ୍ଛେଦ କରାଯିବ । ତେଣୁ ସେମାନଙ୍କ ଲାଗି ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ଦଇତାପତି ନିଯୋଗ ସମ୍ପାଦକ କହିଛନ୍ତି ।

“ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ୭୫ ମିଟର ପରିଧି ମଧ୍ୟରେ ମଧ୍ୟ କିଛି ସେବାୟତଙ୍କ ଗୃହ ରହିଛି । ଏହି ସେବାୟତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୈନିକ ନୀତିକାନ୍ତି ପୂଜା କରିଥାଆନ୍ତି । ସରକାର ତାଙ୍କ ନିଷ୍ପତ୍ତି କ୍ରମେ ଏହି ଉଚ୍ଛେଦ କରିବାକୁ ଯାଉଥିବା ବେଳେ ଏହି ସେବାୟତମାନଙ୍କ ଉପଯୁକ୍ତ ଥଇଥାନ ଲାଗି ସଠିକ୍ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ସେମାନଙ୍କର ତୁରନ୍ତ ଥଇଥାନ ନକଲେ ବାସଗୃହ ହରାଇବା ଯୋଗୁଁ ମହାପ୍ରଭୁଙ୍କ ସେବାକାର୍ଯ୍ୟରେ ଅବହେଳା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଏହି ସେବାୟତ ପରିବାରବର୍ଗଙ୍କ ଉପଯୁକ୍ତ ଭାବେ ଥଇଥାନ କରିବା ଜରୁରୀ,” ବୋଲି କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ।

ଆହୁରିମଧ୍ୟ ସମ୍ପାଦକ ଶ୍ରୀ ଦାସମହାପାତ୍ର କହିଛନ୍ତି ଯେ, ଏହି ଉଚ୍ଛେଦ ପ୍ରକିୟା ଜାରି ରହିଥିବା ବେଳେ ସେବାୟତମାନଙ୍କ ପରିବାରର ଥଇଥାନକୁ ଅଧିକ ଗୁରୁତ୍ୱ ମନେକରି ଯଥାଶିଘ୍ର ଥଇଥାନ ବ୍ୟବସ୍ଥା କରିବା ଆବଶ୍ୟକ ।

Leave A Reply

Your email address will not be published.