ପୋଡ଼ିଗଲା ପାଦ, ଛିଣ୍ଡିଗଲା କାନ୍ଧ; ବିସ୍ମୟ ଠାକୁରଙ୍କ ରଥ ଟାଣିନେଲେ ସେବକ…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ)

ରାତିରେ (ରଥଯାତ୍ରା ପୂର୍ବଦିନ) ଆଖିକୁ ମୋର ନିଦ ନାହିଁ, ତମକୁ ବି ନିଦ ନାହିଁ, ତମେ  ଜନ୍ମବେଦିକୁ ଯାତ୍ରା କରିବ ଆଉ ତୁମ ଭକ୍ତକୁ   ନିଦ ନାହିଁ, ମୁଁ ତୁମକୁ ଦେଖିବି, ନା … ନା ଖାଲି ଦେଖିବି ନି, କୋଉ ଜନ୍ମରୁ ଶୋଷିଲା ହେଇକି ଅଛି ତମକୁ, ଆଁ କରି ଢ଼କ ଢ଼କ କରି ତୁମର ସାବଲୀଳ ରୂପକୁ ପିଇଯିବି। କ’ଣ ନ’କଲ ତମେ ମଣିମା ? ତମ ଉପସ୍ଥିତିର ଦେଲ ଚାକ୍ଷୁସ ପ୍ରମାଣ ।

କାଲି ମୁଁ ଜଣକୁ କହୁଥିଲି ମଣିମାଙ୍କୁ ଭଲ ପାଉଥିବା ଲୋକମାନେ ଜାଣିଥିଲେ ରଥଯାତ୍ରା ହେବ, ସେଇଟା ମଣିମାଙ୍କ ପ୍ରତି ଥିବା ସେମାନଙ୍କ ଭଲ ପାଇବାର ପ୍ରଗାଢ ବିଶ୍ୱାସ । ରାଜନୈତିକ ଦଳ ବ୍ୟକ୍ତି ବିଶେଷ ଆଦି ବାହା ବାହା ନେବାରେ ଵ୍ୟସ୍ତ । ହେଲେ ମାଲିକକୁ ଭୁଲିଗଲ, ତାର ବିନା ଇଚ୍ଛାରେ ଗଛରୁ ପତ୍ରଟିଏ  ବି ହଲେନି, ସୂର୍ଯ୍ୟ, ଚନ୍ଦ୍ର  ଯାହା ନିର୍ଦ୍ଦେଶରେ ଆତ ଜାତ ହୁଅନ୍ତି । ସେ ଇଛାମୟ,  ତାର ଇଚ୍ଛା ରେ ତାର ଯାତ୍ରା ହେଲା ।  ଦେଖାଇ ଦେଲା ଏ ସଂସାରକୁ ହାତ ନଥାଇ ବି ସର୍ବ କାର୍ଯ୍ୟ ସିଦ୍ଧି କରେ ମୁଁ । ମୋ ଠାରୁ ଆଉ ସର୍ବ ଶକ୍ତିମାନ ଆଉ କଣ୍ କିଏ ଅଛି ?  ଜାଣିଛ ମଣିମା, ମୁଁ ତୁମକୁ ଯେତିକି ଭଲ ପାଏ ଏଥର କିନ୍ତୁ ତୁମକୁ ଢେର୍ ଗାଳି ଦେଇଛି ।  ନିଜେ କାନ୍ଧିଛି ଅନ୍ୟକୁ ତୁମ ପାଇଁ କାନ୍ଦିବାର ଦେଖିଛି, ତିଳ ତିଳ ହୋଇ ଜାଳିବାଠାରୁ ଗୋଟିଏ ଥରରେ ମାରିଦିଅ, ଆଉ କଷ୍ଟ ସହିବାକୁ ପଡ଼ିବନି।

ସୋସିଆଲ ମିଡିଆରେ, ଟି ଭି ରେ କିଏ କେତେ କଥା ଲେଖିଛନ୍ତି, କେତେ କଥା କହୁଛନ୍ତି ହେଲେ  ମୁଁ । ମୁଁ ତ ତମ କଥା ଛାଡ଼ି ଆଉ କିଛି ଚିନ୍ତା ବି କରିପାରୁନି, ମୋର ସବୁ ଚିନ୍ତା, ଚେତନା, ଭାବିବା, ବିଚାରିବା ସବୁ ଶେଷ  ତୁମ ପାଖରେ ।

ମାଆ କହେ,.. ତମ ଛଡ଼ା ଆମର ଆଉ କିଏ ଅଛି । କିନ୍ତୁ, ସୁପ୍ରିମକୋର୍ଟରେ ତମେ କାହିଁକି ଗୋଟେ ଥରରେ ତ ତମ ଉପସ୍ଥିତି ଜାହିର କଲନି ?  ଏମିତି କେତେ କଣ କଥା ମନକୁ ଆସୁଥାଏ । ଭାରି ଜୋର୍ ରେ ରାଗ ଆଉ ଘୃଣା ଆସୁଥାଏ ବଡବଡିଆ ସରକାରୀ କର୍ମଚାରୀ ଙ୍କ ଉପରେ । ଦାରୁବ୍ରହ୍ମ ସେ, ସେବକଙ୍କ କାନ୍ଧରେ କାନ୍ଧ ଛନ୍ଦି କଚି ହୋଇ, ନାଚି, ଘୋଷାଡି ହୋଇ ଧୂଳି ଧୂସର ହୋଇ ସେ ବଡ ଦାଣ୍ଡକୁ ଆସିବ। ଦଇତା ଙ୍କ ଝାଳ ଲଥ ପଥ ଦେହ ସାଙ୍ଗରେ ତାର ଚନ୍ଦନ ଚର୍ଚ୍ଚିତ ଦେହଟାକୁ ଘଷି ଏକାକାର ହୋଇଯାଉଥିବା । ତମକୁ କୁଣ୍ଢେଇଲା ବେଳେ କେତେ ସ୍ତ୍ରୀ ଙ୍କର ମଥା ଆଉ ସିମନ୍ତର ସିନ୍ଦୂର ତମ ଦେହରେ ମୁହଁ ରେ ଲାଗୁଥିବ ।  ଜଗାକୁ ଧରି ପକା, ଜୀବନ ସଫଳ ହୋଇଯିବ କହିକି ବାପା ଯେତେବେଳେ ପିଲାକୁ ତମ ଶ୍ରୀଅଙ୍ଗରେ ଘଷି ଆଣୁଥିବ ପିଲାର ଲାଳ ତମ ଶ୍ରୀଅଙ୍ଗରେ ଲାଗି ଯାଉଥିବ, ସେଥିରେ ତୁମେ ଖୁସି ଆଉ ଆମେ ବି। ଏଇ ତ ମୋ ଜଗନ୍ନାଥ । ସାରା ସଂସାରରେ ଏମିତି ଦିଅଁ କଣ ଆଉ କୋଉଠି ଅଛି ?  ଭକ୍ତର ଛୁଆଁରେ ଖୁସି ହେଉଥିବା ଓ ତୁମକୁ ଛୁଇଁ ସ୍ୱର୍ଗୀୟ ସୁଖ ଲାଭ କରୁଥିବା ଭକ୍ତ ଆଉ କୋଉଠି ନାହାନ୍ତି । ଏମିତି କେତେ କଣ ମନକୁ ଆସୁଥିଲା ।

ବାଲିଗାଁର ଭକ୍ତ ଦାସିଆ ବାଉରି, ତୁ ଯେବେ ଯିବୁ କ୍ଷେତ୍ରରେ, ମୁଁ ଥିବି ନୀଳଚକ୍ର ପରେ । ତହିଁ ଚିନ୍ତିବୁ ଯେଉଁ ରୁପ, ମୁଁ ହେବି ତେମନ୍ତ ସ୍ଵରୂପ । ତୂ ଯେଉଁ ଦ୍ରବ୍ୟ ଯାଚି ଦେବୁ, ଆମ୍ଭେ ତା ଅବଶ୍ୟ ଭୁଞିବୁ ।  ସତରେ ମଣିମା ଏଥର ଯଦି ରଥଯାତ୍ରା ନ ହେଇଥାନ୍ତା ତମ ବଡ ଦେଉଳ, ନୀଳଚକ୍ର ର ଅପ ଯଶ ହୋଇଥାନ୍ତା।, କିନ୍ତୁ ତୁମକୁ ମାନିଗଲା ଏ ଓଡ଼ିଆ ଜାତି ଗୋଟିଏ ମୁହୂର୍ତ୍ତ ରେ ପରିବର୍ତ୍ତନ କରି ଦେଲ ସବୁ କିଛି, ସେଥିପାଇଁ ତ ତମେ ସବୁ ଚିନ୍ତା ଚେତନା ର ଉର୍ଦ୍ଧ୍ବ ରେ ଅଚିନ୍ତନୀୟ, ଆମ ମହାବାହୁ।

ରଥ ଉପରେ ତମକୁ ଦେଖି ଭାରି କାନ୍ଦ ଲାଗିଲା, ତମେ ଏମିତି କାହିଁକି ଦୟାମୟ, ଭକ୍ତ ର ପରୀକ୍ଷା ନିଅ, ରଗାଓ, ଋଷାଓ, ଗାଳି ବି ଶୁଣ …. ପୁଣି ତା ପରେ ଭକ୍ତ ମୁହଁରେ ଗୋଟିଏ ମୁହୂର୍ତ୍ତ ରେ ହସ ଫୁଟାଇ ନିଜେ ବି ରଙ୍ଗ ଅଧରରେ ହସି ଦିଅ ।  ଆମ ଓଡ଼ିଆ ଜାତି କୁ ବଞ୍ଚେଇ ଦେଲ ମଣିମା ନହେଲେ ପୁରା ବିଶ୍ଵରେ ତୁମକୁ ଭଲ ପାଉଥିବା ମଣିଷମାନେ ଏକ କଳଙ୍କିତ ଇତିହାସ ର ମୁକ ସାକ୍ଷୀ ହୋଇଥାନ୍ତେ। ମହାପ୍ରଭୁ ଏହି ଲୀଳା ଜଗତ ପାଇଁ କରିଛି l ହେ ମହାପ୍ରଭୁ, ଆପଣଙ୍କ ଲୀଳା ଆପଣ ଜାଣନ୍ତି l

ଜୟ ତୁହି ଜଗନ୍ନାଥ ଅନାଦି ଅଚ୍ୟୁତ
ଜୟ ତୁହି ଜଗନ୍ନାଥ ଜଗତ ଜନହିତ


ଜୟ ତୁହି ଜଗନ୍ନାଥ ମୋକ୍ଷ କାରଣ
ତୋହର ନାମ ଧରିଣ କରୁଥାନ୍ତି ଧ୍ୟାନ

ମାର୍କଣ୍ଡେଶ୍ୱର ସାହି, ରାଧାଗୋବିନ୍ଦ ଲେନ୍‌, ପୁରୀ  ମୋ – ୯୮୬୧୩୩୨୪୩୪
(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.