Latest Odisha News

BREAKING NEWS

ଜୋର୍‌ଦାର୍ ଚାଲିଛି ରଥ ନିର୍ମାଣ; ଅସ୍ଥାୟୀ ଶାଳରେ ତିଆରି ହେଲା ଅଗପାତେଳୀ, ଗରଗରା କଣ୍ଟା

ପୁରୀ: ଲକ୍‌ଡାଉନ୍ କଟକଣାକୁ ମାନି ରଥଖଳାରେ ସମସ୍ତ କାରିଗର ସେବକମାନେ ନିର୍ମାଣ କରି ଚାଲିଛନ୍ତି ତିନିରଥ । ଶନିବାର ସନ୍ଧ୍ୟା ସୁଦ୍ଧା ତାଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇ ଅନ୍ୟ ଦୁଇଟି ଚକ ମଧ୍ୟରୁ ଗୋଟିକରେ ପଇ ପିନ୍ଧା କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଚକଟିର ତୁମ୍ବରେ ଅର ସଂଯୋଗ ସରିଛି ।

ଦେବଦଳନ ରଥର ୧୦ଟି ଚକ ସମ୍ପୂର୍ଣ୍ଣ ହୋଇ ଅନ୍ୟ ଏକ ଚକରେ ପଇ ବନ୍ଧା କାର୍ଯ୍ୟ ଚାଲିଛି ।

ସେହିପରି ଭାବେ ନନ୍ଦିଘୋଷ ରଥର ୧୧ଟି ଚକ ସମ୍ପୂର୍ଣ୍ଣ ହୋଇ ଦୁଇଟି ତୁମ୍ବରେ ଅର ସଂଯୋଗ କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଦୁଇଟି ଚକରେ ପଇ ସଂଯୋଗ ସରି ବିଲେଇ ବାଡ଼ିଆ କାର୍ଯ୍ୟ ଚାଲିଛି ।

ତାଳଧ୍ୱଜ ରଥ ଏବଂ ଦେବ ଦଳନ ରଥର ଅଖ ନିର୍ମାଣ ଶେଷ ହୋଇଥିବା ବେଳେ ନନ୍ଦିଘୋଷ ରଥର ୭ଟି ଅଖ ଶେଷ ହୋଇ ଶେଷ ଅଖଟିର ମାଠେଣି କାର୍ଯ୍ୟ ଆରମ୍ଭ ହେବ ।

ତିନିରଥର ଚାରି ନାହାକା ବନ୍ଧା ଶେଷ ହୋଇଛି ।

ଅଧିକ ପଢନ୍ତୁ: ପୁରୀର ସାତ ଲହଡ଼ି ମଠ କଥା…

ପ୍ରତି ରଥର ୨ଟି ଲେଖାଏଁ ଗରଗରା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ।

ତିନିରଥର ୧୦ଟି ଲେଖାଏଁ ଗୁଜ କାମ ଶେଷ ହୋଇ ବାକି ଗୁଜ ଗୁଡ଼ିକରେ ଖୋଦେଇ କାମ ଏବଂ ଅଳଙ୍କାର କାମ ଚାଲିଛି । କରତି ସେବକଙ୍କ ଦ୍ୱାରା ଦୋଳବେଦୀଠାରେ ନନ୍ଦିଘୋଷ ରଥର ଗୟଳ ଚିରଟ କାମ ପୂର୍ବରୁ ବାରିସି କାମ ଚାଲିଛି । ଏହାପରେ ସୂତା ମାପ କରାଯାଇ ଚିରଟ କାର୍ଯ୍ୟ କରାଯିବ ।

ଦୋଳବେଦୀଠାରେ ଅସ୍ଥାୟୀ କମାର ଶାଳରେ ଓଝା ସେବକଙ୍କ ଦ୍ୱାରା ତିନିରଥ ପାଇଁ ୨୦ ଏମଏମ ମୋଟେଇର ଅଖ କଣ୍ଟା ତିଆରି ଚାଲିଛି ।

ଯାହାକି ଅଗପାତେଳି ଓ ଚଉରସ କଣ୍ଟା ଭାବେ ଜଣାଯାଏ । ‘ଅଗପାତେଳି’ କଣ୍ଟା ତୁମ୍ବର ବାହ୍ୟ ଅଂଶରେ ଅଖଦଣ୍ଡା ଓ କୁଡୁକାକୁ ଯୋଡ଼ିଥାଏ, ଯେମିତିକି ତାହା ସକ୍ ଅବଜର୍ଭର୍ ସ୍ପ୍ରିଙ୍ଗ୍ ପରି କାର୍ଯ୍ୟ କରିଥାଏ ।

‘ଚଉରସ କଣ୍ଟା’ – ତୁମ୍ବର ଭିତର ଅଂଶ ଅଖ ଦଣ୍ଡାରେ ବାଡ଼ିଆ ଯାଏ । ଅଖ ଦଣ୍ଡାକୁ ଫିକ୍ସ୍ କରିଥାଏ ।

‘ଗରଗରା କଣ୍ଟା’ – ଗରଗରା ଉପରେ ଚାରି ନାହାକା ଠିଆ ହୁଏ । ଏହା ଦଣ୍ଡା, ଅଖ, ଗରଗରାକୁ ବାନ୍ଧି ରଖିଥାଏ ।

Leave A Reply

Your email address will not be published.