Latest Odisha News

BREAKING NEWS

ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି: ଦ୍ରୁତଗତିରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ

ପୁରୀ: ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ତିନିରଥର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । କରୋନା ମହାମାରୀ ହେଉ କି ଅମ୍ଫାନ୍ ମହାବାତ୍ୟା ପ୍ରଚଣ୍ଡ ଖରା ହେଉକି ବର୍ଷା କାହାକୁ ଖାତିର୍ ନକରି ରଥ ନିର୍ମାଣ କରି ଚାଲିଛନ୍ତି ମହାରଣା ସେବକ । ସରକାରଙ୍କ ଲକ୍‌ଡାଉନ୍ କଟକଣାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ସହିତ ରଥଖଳାରେ କାରିଗର ସେବକମାନେ କଷ୍ଟ ସ୍ୱୀକାର କରି ଯୁଦ୍ଧକାଳୀନ ଭିତ୍ତିରେ ତିଆରି କରୁଛନ୍ତି ତିନିରଥର କାରୁକାର୍ଯ୍ୟ ।

ଆଜି ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଶ୍ରୀବଳଭଦ୍ର ଭଗବାନଙ୍କ ତାଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇ ଅନ୍ୟ ଦୁଇଟିର ତୁମ୍ବରେ ଅର ସଂଯୋଗ ସହ ପଇ ବିନ୍ଧ କାର୍ଯ୍ୟ ଚାଲିଛି । ମା’ ସୁଭଦ୍ରାଦେବୀଙ୍କ ଦେବଦଳନ ରଥର ଗତକାଲି ୯ଟି ଚକ ଶେଷ ହୋଇଥିଲେ ହେଁ ଆଜି ଗୋଟିଏ ତୁମ୍ବରେ ଅର ସଂଯୋଗ ଚାଲିଥିବା ବେଳେ ପଇ ବିନ୍ଧ କାର୍ଯ୍ୟ ଚାଲିଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୧୧ଟି ଚକ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜ ରଥର ସମସ୍ତ ୭ଗୋଟି ଅଖ ଶେଷ ହୋଇ ମଠା କାର୍ଯ୍ୟ ଚାଲୁ ରହିଛି । ଦେବଦଳନ ରଥର ସମସ୍ତ ୬ଗୋଟି ଅଖ ଶେଷ ହୋଇଛି । ନନ୍ଦିଘୋଷ ରଥର ୬ଗୋଟି ଅଖ ଶେଷ ହୋଇ ୨ଟି ଅଖର କାମ ଚାଲିଛି ।

ବଡ଼ଦାଣ୍ଡର ରଥଖଳାରେ ୩ ରଥର ଚାରି ନାହାକା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ୩ ରଥର ୨ଟି ଲେଖାଏଁ ଗର ଗରା କାର୍ଯ୍ୟ ଚାଲିଛି ।

ଦୋଳବେଦୀରେ କରତ ସେବକଙ୍କ ଦ୍ୱାରା ଗୟଳ ଚିରଟ କାର୍ଯ୍ୟ ଚାଲୁ ରହିଛି । ମୋଟ ୬ଟି ଗୟଳ ମଧ୍ୟରୁ ଦୁଇଟିର ଚିରଟ କାର୍ଯ୍ୟ ଶେଷ ହୋଇଛି ।

ଓଝା ସେବକଙ୍କ ଦ୍ୱାରା ଦୋଳ ବେଦୀ ଅସ୍ଥାୟୀ ଶାଳରେ ଅଖ କଣ୍ଟା ୨୦ ଏମଏମର ମୋଟେଇ ଏବଂ ଚଉରସ କଣ୍ଟା ୨୦ ଏମଏମର ଆଗପାତେଳି କଣ୍ଟା ତିଆରି ଚାଲିଛି ।

ଆଜି ସକାଳେ ରଥ ଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସଂପୃକ୍ତ ସେବକ ମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା । ସମସ୍ତ ସେବକ ସୁସ୍ଥ ରହିଛନ୍ତି ।

Leave A Reply

Your email address will not be published.