Latest Odisha News

BREAKING NEWS

ଜାଣନ୍ତୁ, ମହାପ୍ରଭୁଙ୍କ ରୋଷଘରର ଆଶ୍ଚର୍ଯ୍ୟଜନକ କଥା !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ)

ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ଏ କ୍ଷେତ୍ର ହେଉଚି ଭୋଜନ କ୍ଷେତ୍ର । ଯେତେ ଦେଉଥିବୁ ସେତେ ଖାଉଥିବି ନ ସୁଖିବ ମୋର ହାତ, ଲୋକେ କହୁଥିବେ ଖାଇବା ଠାକୁର ନୀଳାଚଳେ ଶ୍ରୀଜଗନ୍ନାଥ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦକ୍ଷିଣଭୂଜ କେବେ ସୁଖିବନାହିଁ । କଥାରେ ଅଛି ଖା ଭୁଞ୍ଜ୍‌ ଜଗନ୍ନାଥ ତେଣୁ ମହାପ୍ରଭୁଙ୍କ ହାତ ନ ସୁଖିବା ପାଇଁ ଯେଉଁ ବ୍ୟବସ୍ଥା ହୋଇଛି ତାହା ହେଉଚି ରୋଷଘର ।

୧- ଆମର ଲେଖାଅଛି ରୋଷଘର ଚୁଲିସଂଖ୍ୟା ୭୫୨ କିନ୍ତୁ, ବାସ୍ତବରେ ୨୪୩ ଟି ଚୁଲି ଅଛି ।

ଅଧିକ ପଢନ୍ତୁ: ଶ୍ରୀଜୀଉଙ୍କ ଅଣସରରେ ବେଳେ ଶ୍ରଦ୍ଧାଳୁଙ୍କ କର୍ତ୍ତବ୍ୟ

୨- ରୋଷଘରକୁ ଯେଉଁ ସେବାୟତ ପ୍ରବେଶ କରନ୍ତି ମଥାରେ ତାଙ୍କର କେବଳ ଦକ୍ଷିଣକାଳୀଙ୍କର ସିନ୍ଦୁର ଛଡା ଅନ୍ୟ ଯେଉଁ ଦେବାଦେବୀଙ୍କ ସିନ୍ଦୁର ଲଗାଇଲେ ରୋଷଘରକୁ ପ୍ରବେଶ ନିଷେଧ ।

୩- ଏଠାରେ ପ୍ରତିଦିନ ଦଶ ହଜାର ରୁ ଲକ୍ଷେ ପର୍ଯ୍ୟନ୍ତ ମହାପ୍ରସାଦ ପ୍ରସ୍ତୁତ ହୋଇଥାନ୍ତି ।

୪- ପ୍ରତ୍ୟେକ ଚୁଲିର ୬ ଗୋଟି ପଖା ବା ମୁଖ ଅଛି । ଏ ଚୁଲି ସମଗ୍ର ଭାରତ ବର୍ଷରେ କେଉଁଠାରେ ନାହିଁ । ଏହି ଚୁଲି ସମ୍ପୁର୍ଣ୍ଣ ବେଦ ବୈଦିକ ବିଧାନ ଅନୁସାରେ ରୋଷଶାଳାଟି ପ୍ରସ୍ତୁତ । ଅଗ୍ନିଙ୍କର ଯେପରି ୬ ଗୋଟି ମୁଖ ରହିଛି, ଚୁଲିର ମଧ୍ୟ ୬ ଗୋଟି ପଖା ରହିଛି ।

୫- ଏହି ୬ ଗୋଟି ପଖା ରେ ପ୍ରତ୍ୟେକ ଗୋଟିଏ ଗୋଟିଏ ମୁଖରେ ଗୋଟିଏ ଗୋଟିଏ କୁଡୁଆ ରଖାଯାଏ ଏବଂ ସେହି କୁଡୁଆ ଉପରେ ୬ଗୋଟି କୁଡୁଆ ରଖାଯାଇ ରୋଷେଇ କରାଯାଏ ।

୬- ମହାପ୍ରଭୁଙ୍କ ରୋଷଘର ଦେଖିବାକୁ ସର୍ବସାଧାରଣଙ୍କୁ ମନା, କାରଣ ଆମ ଉତ୍କଳୀୟ ସଂସ୍କୃତିକୁ ମହାପ୍ରଭୁ ସବୁବେଳେ ବଜାୟ ରଖିଆସିଛନ୍ତି । କଥାରେ ଅଛି, ବାହାର ଲୋକ ଆମ ରୋଷେଇ ଘର ଦେଖିଲେ ହାଣ୍ତି ମାରା ହୁଏ, ସେହି ଦୃଷ୍ଟିରୁ ମହାପ୍ରଭୁଙ୍କ ରୋଷଘର ସର୍ବସାଧାରଣଙ୍କୁ ଦେଖିବା ମନା । ମହାପ୍ରଭୁ ଯେତେବେଳେ ଶ୍ରୀଗୁଣ୍ତିଚା ଘରକୁ ଯାଆନ୍ତି ସେତେବେଳେ ଏହି ଚୁଲି ସବୁ ଭଙ୍ଗା ହୋଇଯାଇଥାଏ । କାରଣ ସେ ଚୁଲି ଯେପରି କେହି ନ ଦେଖିପାରିବେ ।

୭- ମହାପ୍ରଭୁଙ୍କର ଅନ୍ନ ବ୍ୟଞନ ଯେଉଁ ଚୁଲିରେ ହୁଏ ସେହି ଚୁଲିରେ ଡାଲି ତରକାରି ପ୍ରସ୍ତୁତ କରାଯାଏ ନାହିଁ ।

୮- ରୋଷଶାଳାର ରକ୍ଷକ ହେଉଚନ୍ତି ମା ଦକ୍ଷିଣକାଳୀ ଓ ରୋଷ ଗଣେଶ । ପ୍ରଥମ ଚୁଲିର ଅଧିକାରୀ ହେଉଚନ୍ତି ମା ଦକ୍ଷିଣ କାଳୀଙ୍କର । ୨ୟ ଚୁଲା ହେଉଚି ରାଘବ ଦାସ ମଠର । ୩ୟ ଚୁଲା ହେଉଚି ବଡ ଓଡିଆ ମଠର । ୪ର୍ଥ ଚୁଲା ହେଉଛି ଭିତରଛ ମହାପାତ୍ରଙ୍କର । ଏସବୁ ଚୁଲା ରହିଛି କାହାର କେଉଁମାନଙ୍କର, ଏସବୁ ଚୁଲା ଯେ ସୁଆର ମାନଙ୍କର ତାହା ନୁହେଁ, ସୁଆର ମାନେ ଜିବେ ରୋଷେଇ କରିବେ. ୫ମ ଚୁଲା ଏମାର ମଠର, ଏହିଭଳି ବିବିଧ ଚୁଲା ରହିଛି । କୋଠଭୋଗ ଚୁଲା ମଧ୍ୟ ରହିଛି ।

୯- ଅଲୌକିକ କଥା ହେଉଛି, ବାହ୍ୟ ତାପମାତ୍ରା ଠାରୁ ରୋଷଶାଳା ତାପମାତ୍ରା ଅଧିକ ରୁହେ । ମନେକର, ଶ୍ରୀକ୍ଷେତ୍ରରେ ୩୦ଡିଗ୍ରୀ ତାପମାତ୍ରା ଥାଏ ତେବେ ସେହି ସମୟରେ ରୋଷଘର ତାପମାତ୍ରା ୧୫ ରୁ ୨୦ ଡିଗ୍ରୀ ତାପମାତ୍ରା ବେସିଥାଏ । ମହାପ୍ରଭୁଙ୍କର ଦଶଗୋଟି ଘରକୁ ନେଇ ରୋଷଘର ପ୍ରସ୍ତୁତ । ଯାହାକୁ କେତେକ ଦଶଦିଗପାଳ, ଦଶଅବତାର,ଦଶମହାବିଦ୍ୟାର ଆକ୍ଷା ପ୍ରଦାନ କରିଛନ୍ତି । ରୋଷଘର ତାପମାତ୍ରା ବହୁଳ ଭାବରେ ରହୁଥିବାରୁ ସାକ୍ଷାତ ମା ଦକ୍ଷିଣକାଳୀ ସେବକ ମାନଙ୍କ ଶ୍ରୀଅଙ୍ଗଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି ।

୧୦- ଷାଠିଏ ପଉଟି ହେଉଛି କୋଡିଏ ଗଉଣି । ୨୦ଗଉଣିରେ ଗୋଟିଏ ପଟ ।

ଶ୍ରୀମନ୍ଦିର ରୋଷ ଘର ଓ ଭୋଗ:

ଶ୍ରୀମନ୍ଦିର ରୋଷ ଘରେ ସ୍ଵତଲିପି ମୁତାବକ ୨୪୩ଟି ଚୂଲି ଅଛି ଓ ସେଥିମଧ୍ୟରୁ ଚୂଲି କୋଠ ଭୋଗ ଚୂଲି ରୂପେ ପରିଚିତ । ଶ୍ରୀମନ୍ଦିରରେ ବିରାଜିତ ଶ୍ରୀବିଗ୍ରହମାନଙ୍କ ଉଦ୍ଦେଶ୍ୟରେ ନାନାଦି ନୈବେଦ୍ୟ ଭୋଗ ଲାଗି କରାଯାଇଥାଏ । ସେଥି ମଧ୍ୟରୁ ଦୁଇଟି ପ୍ରମୁଖ ନୈବେଦ୍ୟ ହେଉଛି ବଲ୍ଲଭ ଭୋଗ ଓ ସକାଳ ଧୂପ । ବଲ୍ଲଭ ଭୋଗରେ ପାଗ ଖଇ, ପାଚିଲା କଦଳୀ, ଦହି, ସର, ଖୁଆ, ମଣ୍ଡା, ସେଓ, ଚାଉଳିଆ, ନଡ଼ିଆ ପାତି, କମଳା, ସେପାଟା, କାକୁଡ଼ି ଆଦି ନୈବେଦ୍ୟ ହୋଇଥାଏ । ସକାଳ ଧୂପରେ ସାଦା ଅନ୍ନ, ମୁଗ ଖେଚୁଡ଼ି, ଘିଅ ଅନ୍ନ, ଡାଲି, ଡାଲମା, ଶାଗ, ବେସର, ଭଜା, ମହୁର, ଖଟା, ବିଭିନ୍ନ ବିରି ଓ ଅଟା ଜାତୀୟ ପିଠା ଇତ୍ୟାଦି ଲାଗିଥାଏ । ସ୍ଥଳ ବିଶେଷରେ ମାଟି କୁଡୁଆ, ପିତଳ ପିଙ୍ଗଳରେ ରନ୍ଧନ କରାଯାଇ ଓ ଭୋଗ ବଢାଯାଏ । ପଞ୍ଚୋପଚାର ଷୋଡ଼ଶପଚାର ମନ୍ତ୍ରରେ ପୂଜା କରାଯାଏ ।

ଏହି ପୂଜା ଅଷ୍ଟାଦଶାକ୍ଷର ଗୋପାଳ ମନ୍ତ୍ର, ଏକାକ୍ଷରୀ ଭୁବନେଶ୍ଵରୀ ମନ୍ତ୍ର ଏବଂ “ଓଁ ନମୋ ଭଗବତେ ବାସୁଦେବାୟ” (ଦ୍ଵାଦଶାକ୍ଷର) ମନ୍ତ୍ରରେ ପୂଜା କରାଯାଏ ।

ଭଗବାନ ମହାପାତ୍ର, ଶ୍ରୀମନ୍ଦିର ସୁଆର ସେବାୟତଙ୍କ କହିବା ଅନୁଯାୟୀ , ବ୍ୟବହୃତ ପରିବା ଶ୍ରୀମନ୍ଦିରର ଭୋଗରେ ଦେଶୀଆଳୁ, କଖାରୁ, କଞ୍ଚା କଦଳୀ, ପଣସ, ମୂଳା, ପୋଟଳ, ଶିମ୍ବ, କାଙ୍କଡ଼, ଜହ୍ନି, ବାଇଗଣ, ସାରୁ, କନ୍ଦମୂଳ, ଅଦା, ଧନିଆପତ୍ର, ନଡ଼ିଆ ପ୍ରଭୃତି ଡାଲମା ଓ ତରକାରୀ ଇତ୍ୟାଦିରେ ବ୍ୟବହୃତ ହୋଇଥାଏ । କୋଶଳା, ଲେଉଟିଆ ଓ ଅଗସ୍ତି ଶାଗ ବ୍ୟତିତ ଅନ୍ୟ କୈଣସି ଶାଗ ଭୋଗରେ ବ୍ୟବହାର କରାଯାଏନାହିଁ । ମସଲା, ଜିରା, ଗୋଲମରିଚ, ଡାଲଚିନି, ବଡ଼ ଅଳେଇଚ, ହେଙ୍ଗୁ, ପାନମଧୁରୀ, ସୋରିଷ ଇତ୍ୟାଦି ବିଭିନ୍ନ ଭୋଗ ଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ଭୋଗ ପ୍ରସ୍ତୁତିରେ କେବଳ ଘିଅ ବ୍ୟବହୃତ ହୁଏ । ବିଲାତି ଆଳୁ, ସଜନା ଛୁଇଁ, ଲାଉ, ଭେଣ୍ଡି, ପିଆଜ, ଝୁଡ଼ଙ୍ଗ, କ୍ୟାପସିକମ, ରସୁଣ, ଫୁଲ/ପତ୍ର କୋବି, ବିମ୍, କଲରା, ବିଟ୍, ଗାଜର, ମଟର ଛୁଇଁ ଇତ୍ୟାଦି ନିଷିଦ୍ଧ ଅଟେ। ଆନନ୍ଦବଜାରଠାରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭକ୍ତମାନେ ଏକାଠି ବସି ମହାପ୍ରସାଦ ସେବନ କରିଥାଆନ୍ତି। ।। ଜୟ ଜଗନ୍ନାଥ ।।

ମାର୍କଣ୍ଡେଶ୍ୱର ସାହି, ରାଧାଗୋବିନ୍ଦ ଲେନ୍‌, ପୁରୀ  ମୋ – ୯୮୬୧୩୩୨୪୩୪
(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.