କେବେ ଓ କାହିଁକି ମହାପ୍ରଭୁ ସୁନାବେଶରେ ଦିଅନ୍ତି ଦର୍ଶନ !

ପୁରୀ: ପରମାତ୍ମା ସେ ପରମବ୍ରହ୍ମ ସେ, ସେ ଅନାଦି ସେ ଅନ୍ତ । ଶ୍ରୀଜଗନ୍ନାଥ ହିଁ ଆରମ୍ଭ ସେହି ଶେଷ । ସେ କୃପାମୟ ସେ ଲୀଳାମୟ ମହାପ୍ରଭୁ ଅନ୍ତର୍ଯ୍ୟାମୀ । ଜୀବର ପରମ ଗତିର ଅନ୍ତିମସ୍ଥଳୀ ସେହି ପରମାତ୍ମା ଦାରୁବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥ । ଜୀବାତ୍ମାର ପରମ ଉଦ୍ଦେଶ୍ୟ ପରମାତ୍ମାରେ ଲୀନ ହେବା । ଏହି ବ୍ରହ୍ମରହସ୍ୟ ଜିଜ୍ଞାସା କରିବାକୁ ତାକୁ ଲକ୍ଷାଧିକ ଯୋନିରେ ଜନ୍ମ ନେବାକୁ ପଡ଼ିଥାଏ । ଏହାହିଁ ତ’ ବ୍ରହ୍ମତତ୍ତ୍ୱ !  ରସାଳ ରସଗୋଲାର ମିଠାରେ ଛାର ମଣିଷ ମଜ୍ଜି ରହି ତା’ର ଲକ୍ଷ୍ୟସ୍ଥଳ ପରମାତ୍ମାଙ୍କ କଥା ପାଶୋରୀ ହୋଇଯାଇଥାଏ । ରସଗୋଲାର ଅପୂର୍ବ ଆକର୍ଷଣ ନିଜର ସତ୍ତାକୁ ଭୁଲିଯାଇଥାଏ ମଣିଷ । କିଛି ମୂହୁର୍ତ୍ତ ପରମାତ୍ମାଙ୍କ ସାନିଧ୍ୟ ଲାଭ କରିବାକୁ ବଞ୍ଚିତ ହୁଏ ଛାର ମଣିଷ । ଧନ, ଲୌଲତ, କାମ ବାସନା, ମଦ ମତ୍ସରର ଲୋଭର ମୋହାଚ୍ଛନ୍ନରେ ମଜ୍ଜି ରହିଥାଏ । ପରମାତ୍ମା ପରଂବ୍ରହ୍ମ ତାକୁ ଜୀବନ ନାଟକରେ ପାଦେ ପାଦେ ପଦେ ଭୋଗ ଐଶ୍ୱର୍ଯ୍ୟ ଓ ବୈରାଗ୍ୟର ତାରତମ୍ୟ ଦେଖାଇଥାଆନ୍ତି । ରଥଯାତ୍ରା ମହାପ୍ରଭୁଙ୍କର ଏକ ଦୃଷ୍ଟାନ୍ତ ମୂଳକ ମାନବୀୟ ଲୀଳା । ସୁନାବେଶର ଟିକକ ଆଗରୁ ମହାପ୍ରଭୁ କେବଳ ଫୁଲ ପତ୍ରରେ ସୁଶୋଭିତ ହେଉଥାଆନ୍ତି । ଅଳଙ୍କାର ରହିଥାଏ ଦୟାଣର ମାଳା ଖଣ୍ଡିକ । ଭକ୍ତ ନିଜ ବେକରେ ସୁନାହାରଟିଏ ପକାଇ ତୁଳସୀର ଅଳଙ୍କାର ପିନ୍ଧିଥିବା ତା’ର ଆରାଧ୍ୟ ଦେବାତାଙ୍କୁ ଦର୍ଶନ କରିଥାଏ ।

ମହାପ୍ରଭୁଙ୍କ ଏହି ସୁନାବେଶ ଅନେକ କଥା କହିଥାଏ । ସୁନାବେଶରେ ହିଁ ରହିଛି ବ୍ରହ୍ମତତ୍ତ୍ୱ । ସବୁ ରତ୍ନାଳଙ୍କାରର ଅଧିକାରୀ ହୋଇ ମଧ୍ୟ ବର୍ଷସାରା ଫୁଲ ଓ ପତ୍ରର ଅଳଙ୍କାର ପିନ୍ଧିଥାଆନ୍ତି ମହାପ୍ରଭୁ । ସମସ୍ତ ଭୋଗ ବିଳାସର ଅଧିକାରୀ ହୋଇ ମଧ୍ୟ ସେ ବୈରାଗ୍ୟ ଚେତନାରେ ଜୀଇଁବାକୁ ଶ୍ରେୟସ୍କର ମଣିଥାଆନ୍ତି ।

ଭକ୍ତଜନଙ୍କୁ ମହାପ୍ରଭୁ କହିବାକୁ ଚାହାନ୍ତି, ଦେଖ ଦେଖ ମୋର ସବୁ ଅଛି, କିଛି ନାହିଁ । ହେ ଭକ୍ତଗଣ ସବୁ ଥିଲାବେଳେ କାମ ବାସନା ଲୋଭ ମତ୍ସର ମଧ୍ୟରେ ବୁଡ଼ି ରହି ବି ତୁ ମୋତେ ମନେ ପକାଉଥାଆ । ଧନ ଦୌଲତରେ ବୁଡ଼ି ରହି ମଧ୍ୟ ମତେ ଡ଼ାକୁଥିବୁ । ଜନ୍ମ ନେଇଛୁ ଅର୍ଥ ମୃତ୍ୟୁ ସୁନିଶ୍ଚିତ । ଆସିଥିଲୁ କିଛି ନଆଣି ଯିବୁ ବି କିଛି ନନେଇ ।

ତେଣୁ ଧନ-ଦୌଲତ ବାସନା ରସନାରେ ବୁଡ଼ି ରହିଲେ ବି ତୋର ମନ ବିବେକଟା ମୋ ଠାରେ ରଖିଥିବୁ । ମୋତେ ଆଜି ଦେଖ, ମୋର ସବୁ ଧନ ରତ୍ନ ରହିଛି, ବର୍ଷ ତମାମ ମୁଁ ପିନ୍ଧୁଛି ଛିଟକନା ଟିକକ । ଗାମୁଛା ପରିଧାନରେ ବର୍ଷ କଟୁଛି ମୋର । କିନ୍ତୁ ଭଣ୍ଡାରରେ ରତ୍ନାଳଙ୍କାର ଭରପୁର, ମୋର ସେଥିରେ ତିଳେ ହେଲେ ମୋହ କି ଲୋଭ ନାହିଁ । ହେ ଭକ୍ତ ତୋତେ ଦେଖେଇଦବାକୁ ଚାହେଁ ସବୁ ଥାଇକି ବି ତୁ ବୈରାଗ୍ୟକୁ ବରି ନେଏ । ସୁନାବେଶରେ ମହାପ୍ରଭୁ ସମଗ୍ର ଜଗତର ଐଶ୍ୱର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଆନ୍ତି ।

କେବେ ହୁଏ ସୁନାବେଶ?

ତିନିଠାକୁରଙ୍କ ସୁନାବେଶ ବର୍ଷର ଦୋଳପୂର୍ଣ୍ଣିମା, ଦଶହରା, କାର୍ତ୍ତିକ ପୂର୍ଣ୍ଣିମା ଓ ପୌଷ ପୂର୍ଣ୍ଣିମାରେ ରତ୍ନସିଂହାସନରେ ତଥା ବାହୁଡ଼ା ଯାତ୍ରାର ଏକାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହୋଇଥାଏ ।

ରଥ ଉପରେ କାହିକି ହେଉଛି ସୁନାବେଶ?

ଅନେକ ସମୟରେ ଭକ୍ତମାନେ ବହୁ ଧନ, ରତ୍ନ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଦାନ କରିଥାନ୍ତି । ଭକ୍ତମାନେ ଦାନ କରିଥିଲେ ମଧ୍ୟ ପୂର୍ବରୁ ମନ୍ଦିରରେ ଗଚ୍ଛିତ ରହିଥିବା ଧନ ରତ୍ନଗୁଡ଼ିକ ମଧ୍ୟରେ ଗଜପତି କପିଳେନ୍ଦ୍ରଦେବ ଦାନ ସର୍ବାଧିକ ।

କିମ୍ବଦନ୍ତୀରୁ ଜଣାଯାଏ ୧୪୬୦ ଖ୍ରୀଷ୍ଟାବ୍ଦରେ ରାଜା କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ଜୟକରି ସେଠାରୁ ୧୬ଗୋଟି ହାତୀ ପିଠିରେ ପ୍ରଚୁର ଧନ, ରତ୍ନାଳଙ୍କାର ଆଣି ଶ୍ରୀମନ୍ଦିରକୁ ଦାନ କରି ଦେଇଥିଲେ । ଏହି ଦାନ ପରେ ବଡ଼ ବଡ଼ଉ ସେବକ ଗଜପତିଙ୍କୁ ପ୍ରସ୍ତାବ ଦେଲେ ଯେ, ରତ୍ନ ସିଂହାସନରେ ହେଉଥିବା ବେଶକୁ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରୁନଥିବା ଭକ୍ତମାନେ ଦେଖିବାର ଅପୂର୍ବ ସୁଯୋଗ ପାଉନାହାନ୍ତି । ତେଣୁ ସବୁ ବର୍ଗର ଭକ୍ତମାନେ ଦର୍ଶନ କରିବା ନିମନ୍ତେ ରଥଯାତ୍ରାର ଶେଷ ପର୍ଯ୍ୟାୟରେ ସିଂହଦ୍ୱାର ଠାରେ ରଥ ଉପରେ ମହାପ୍ରଭୁଙ୍କର ସୁନାବେଶ କରାଯାଉ । ମହାରାଜା କପିଳେନ୍ଦ୍ର ଦେବ ସେବାୟତମାନଙ୍କର ଏହି ପ୍ରସ୍ତାବରେ ରାଜି ହୋଇଥିଲେ ଏବଂ ରଥ ଉପରେ ସୁନାବେଶ କରାଇବାର ସମସ୍ତ ପ୍ରକାର ଆୟୋଜନ କରିଥିଲେ । ଏହି କାରଣରୁ ଏହି ସୁନାବେଶକୁ ମଧ୍ୟ ବଡ଼ ବଡ଼ଉ ବେଶ ମଧ୍ୟ କୁହାଯାଇଥାଏ ।

ସୁନାବେଶରେ କେଉଁ ସ୍ୱର୍ଣ୍ଣାଳଙ୍କାରମାନ ପିନ୍ଧିଥାଆନ୍ତି ତିନିଠାକୁର?

ବଡ଼ଠାକୁର ଶ୍ରୀବଳଭଦ୍ର: ଶ୍ରୀପୟର, ଶ୍ରୀଭୁଜ, କିରିଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନୀ, ଘାଗଡ଼ାମାଳି, କଦମ୍ବମାଳି, ତିଳକ ଚନ୍ଦ୍ରିକା, ଅଳକା, ଟ୍ନୋବା କଣ୍ଠି, ହଳ, ମୂଷଳ ବାହାଡ଼ା ମାଳି, ବାଘନଖ ମାଳି, ସେବତୀମାଳି, ତ୍ରିଖଣ୍ଡିକା, କମରପଟି ।

ଦେବୀ ସୁଭଦ୍ରା: କିରିଟ, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ଘଗଡ଼ା ମାଳି, କଦମ୍ବ ମାଳି, ସେବତୀମାଳି ।

ମହାପ୍ରଭୁ ଶ୍ରୀଜଗନ୍ନାଥ: ଶ୍ରୀପୟର, ଶ୍ରୀଭୁଜ, କମର ଝୁମ୍ପା, ଧୁକୁଧୁକିଆ ଝୁମ୍ପା, ରୌପ୍ୟଶଙ୍ଖ, ହରିଡ଼ା ମାଳି, ସ୍ୱର୍ଣ୍ଣଚକ୍ର, ତାବିଜ ମାଳି, କିରିଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନୀ ।

ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଦଣ୍ଡାୟମାନ ହୋଇଛି ତିନିରଥ । ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଠାକୁରମାନଙ୍କ ବାହୁଡ଼ିବା ବେଳେ ରଥ ଉପରେ ସୁନାବେଶରେ ସଜ୍ଜିତ ହୁଅନ୍ତି ଶ୍ରୀଜୀଉମାନେ ।

ତାଳଧ୍ୱଜରେ ବଡ଼ଠାକୁର ଶ୍ରୀବଳଭଦ୍ର, ନନ୍ଦିଘୋଷରେ ଶ୍ରୀଜଗନ୍ନାଥ ଏବଂ ଦର୍ପଦଳନରେ ଦେବୀ ସୁଭଦ୍ରା ନାନାଦି ମୂଲ୍ୟବାନ ସ୍ୱର୍ଣ୍ଣାଳଙ୍କାରରେ ସଜ୍ଜିତ ହୋଇଥାଆନ୍ତି । ରଥ ଉପରେ ଠାକୁରମାନଙ୍କର ଏହି ଅପୂର୍ବ ତଥା ବିରଳ ବେଶ ଦେଖିବାକୁ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।