Latest Odisha News

BREAKING NEWS

ବାରିପଦାରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ରଥଟଣା

ବାରିପଦା : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଗୋଟିଏ ଦିନପରେ ଆଜି ବାରିପଦାରେ ଅନୁଷ୍ଠିତ ହେଉଛି ରଥଯାତ୍ରା । ଏଥିପାଇଁ ବାରିପଦା ସହର ଚଳଚଞ୍ଚଳ ହୋଇଉଠିଛି ।

ମିଳିଥିବା ସୂଚନାନୁଯାୟୀ ଗୁରୁବାର ସକାଳୁ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରିତିନିତୀ ଅନୁଯାୟୀ ପୁଜାର୍ଚ୍ଚନା ହୋଇଥିଲା । ମଙ୍ଗଳ ଆଳତି, ମଇଲମ, ତଡପଲାଗି, ରୋଷହୋମ, ଅବକାଷ, ସୁର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶଶେଷ, ଗୋପାଳବଲ୍ଲଭ , ସକାଳ ଧୂପ ସରିଥିଲା । ପରେ ମା’ ଅମ୍ବିକା ଠାକୁରାଣୀଙ୍କ ମନ୍ଦିରରୁ ଦାସୀ ଆଜ୍ଞାମାଳ ନେଇ ଆସି ରଥ ପ୍ରଦିକ୍ଷଣ କରିବା ପରେ କଳସ ଓ ରଥ ପ୍ରତିଷ୍ଠା କରାଯାଇଥିଲା ।

ଏହି ଅବସରରେ ଦେବୀ ସୁଭଦ୍ରାଙ୍କ ପୂଜା ପଣ୍ଡା ପ୍ରଦୀପ କୁମାର ସୂଚନା ଦେଇ କହିଛନ୍ତି।

ପରେ ମନ୍ଦିର ପରିଚ୍ଛା ଦୁର୍ଗାଚରଣ ଜିତ ବାବୁ ରଥକୁ ଛେରା ପହଁରା କରିଥିଲେ । ଅପରାହ୍ନ ୪ ଟାରେ ନାଗରା ବାଜିବା ପରେ ମନ୍ଦିର ପରିଚ୍ଛା ଆଜ୍ଞାମାଳ ଓ କୁଣ୍ଡରେ ସୁବାସିତ ଚନ୍ଦନ ଜଳ ସିଞ୍ଚନ କରିବା ପରେ ପ୍ରଥମେ ମହାପ୍ରଭୁ ବଳଭଦ୍ର ୧୨ ଜଣ ପହଣ୍ଡିଆଙ୍କ ଦ୍ୱାରା ପହଣ୍ଡି ବିଜେ କରିଥିଲେ । ଟାହିଆ ହଲେଇ ହଲେଇ ଠାକୁର ରଥଖଳାକୁ ପହଞ୍ଚିବା ପରେ ‘ନନ୍ଦିଘୋଷ’ ଓ ‘ଦର୍ପଦଳନ’ ରଥ ମଧ୍ୟଭାଗରେ ମହାପ୍ରଭୁଙ୍କ ଉତ୍ତରା ମୁଖୀ ଓ ବାଟ ପୂଜା ଅନୁଷ୍ଠିତ ହୋଇଥିଲା ।

ଏହି ପୂଜା ନିତିରେ ଠାକୁରଙ୍କୁ ଛେନା ଓ ମିଠାଇ ଲାଗି କରାଯାଇଥାଏ । ପରେ କର୍ପୁର ଆଳତି କରାଯାଇ ବିଭିନ୍ନ ନୀତିକାନ୍ତି କରାଯାଇ ମହାପ୍ରଭୁଙ୍କୁ ରଥାରୂଢ଼ କରାଯାଇଥିଲା । ଦ୍ୱିତୀୟରେ ଦେବୀ ସୁଭଦ୍ରା ଓ ସୁଦର୍ଶନ ଠାକୁରଙ୍କ ପହଣ୍ଡି ହୋଇଥିଲା । ଦେବୀ ସୁଭଦ୍ରାଙ୍କୁ ୩ ଜଣିଆ ପହଣ୍ଡିଆ ମାନେ ଝୁଲାଇ ଝୁଲାଇ ପହଣ୍ଡି କରିଥିଲେ । ସେହିପରି ସୁଦର୍ଶନ ଠାକୁରଙ୍କୁ ଜଣେ ପହଣ୍ଡିଆ କାନ୍ଧରେ ଧରି ପହଣ୍ଡି ସାଙ୍ଗରେ ଆସିଥିଲେ । ପରେ ବିଭିନ୍ନ ପ୍ରକାର ନିତି କରାଯାଇ ଦେବୀ ସୁଭଦ୍ରା ଓ ଠାକୁର ସୁଦର୍ଶନଙ୍କୁ ରଥାରୁଢ଼ କରାଯାଇଥିଲା ।

ପରିଶେଷରେ ମହାପ୍ରଭୁ ଜଗନ୍ନାଥ ପହଣ୍ଡି ବିଜେ କରିଥିଲେ । ମନ୍ଦରି ପରିଚ୍ଛା ଆଗ୍ୟାମାଳ ଓ ରୁପା କୁଣ୍ଡରେ ସୁବାସିତ ଚନ୍ଦନ ଜଳ ସିଞ୍ଚନ ପରେ ଗୋଟି ପହଣ୍ଡିରେ ପହଣ୍ଡିଆ ମାନେ ସିଂହଦ୍ୱାର ନିକଟରେ ଥିବା ପଦ୍ମ ମଣ୍ଡପରେ ବିଜେ କରାଇଥିଲେ । ପରେ ମସ୍ତକରେ ପୁଷ୍ପ ଟାହିଆ ଲାଗି କରି ଗୋଟି ପହଣ୍ଡିରେ ବିଭିନ୍ନ ପ୍ରକାର ନୀତିକାନ୍ତି ସାରି ରଥାରୂଢ଼ ହୋଇଥିଲେ କାଳିଆ ଠାକୁର ।

ରଥାରୂଢ଼ ମହାପ୍ରଭୁମାନଙ୍କୁ ରୁପା ଅଳଙ୍କାର ଓ ଲୁଗା ଲାଗି କରାଯାଇଥିଲା । ଏହା ପରେ ଠାକୁର ଶ୍ରଦ୍ଧାଳୁମାନଙ୍କୁ ଫୁଲ ତୁଳସୀ ବେଶରେ ଦର୍ଶନ ଦେଇଥିଲେ । ପରେ ମହାପ୍ରଭୁଙ୍କୁ ସଂଧ୍ୟା ଆରତୀ ଦର୍ଶନ ଓ ତୁଳସୀ ସେବନ ପରେ ସମସ୍ତ ନୀତି ଶେଷ ହୋଇଥିଲା ।

ସୂଚନାଯୋଗ୍ୟ, ବାରିପଦାରେ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ପାଖାପାଖି ଦ୍ୱିପ୍ରହର ୨ଟା ୩୦ମି.ରୁ ୫ ଟା ୩୦ମି. ପର୍ଯ୍ୟନ୍ତ ରଥ ଟଣା ହେବ । ଆଜିର ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ପହଣ୍ଡି କାର‌୍ୟ୍ୟକ୍ରମରେ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ମହାରାଣୀ ରଶ୍ମି ରାଜ୍ୟଲଷ୍ମୀ ଭଞ୍ଜଦେଓ ସାମିଲ ହୋଇଥିଲେ । ସେହିପରି ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ଓ ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର‌୍ୟ୍ୟ ନିରୀକ୍ଷଣ କରୁଥିଲେ। ସେହିପରି ଏଏସପି ଜୟରାମ ଶତପଥୀ, ସଦର ଏସଡିପିଓ କୃଷ୍ଣପ୍ରସାଦ ପଟ୍ଟନାୟକ ଓ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ଦିଗରେ କାର‌୍ୟ୍ୟ କରୁଥିଲେ ।

Leave A Reply

Your email address will not be published.