Latest Odisha News

ରଥଯାତ୍ରା ଲାଗି ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା: ୧୮୪ଟି ସ୍ୱତନ୍ତ୍ର ଟ୍ରେନ, ୬୦ଟି ଟିକେଟ କାଉଣ୍ଟର ସହିତ ବ୍ୟାପକ ପ୍ରସ୍ତୁତି

 

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀକ୍ଷେତ୍ରରେ ଜୁଲାଇ ୧୪ ତାରିଖରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ଯାତ୍ରୀମାନଙ୍କ ସୁବିଧା ଲାଗି ଇଷ୍ଟକୋଷ୍ଟ ରେଳବାଇ ଖୋର୍ଦ୍ଦାରୋଡ଼ ରେଳମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ମହାପ୍ରଭୁଙ୍କ ରଥଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ପୁରୀ ଷ୍ଟେସନକୁ ୧୮୪ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ୬୦ଟି ସ୍ୱତନ୍ତ୍ର ଟିକଟ କାଉଣ୍ଟର ବ୍ୟବସ୍ଥା ରେଳବାଇ ପକ୍ଷରୁ କରାଯାଇଛି । ଯାତ୍ରୀଙ୍କ ସୁରକ୍ଷା ଲାଗି

ଜିଆରପିର ୬୦୦ ଫୋର୍ସ ଓ ଆରପିଏଫର ୫୫୦ ଫୋର୍ସ ମୁତୟନ କରାଯିବ । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ତଥା ଅସାମାଜିକ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ସମଗ୍ର ପୁରୀ ଷ୍ଟେସନକୁ ସିସିଟିଭି ଅଧିନରେ ରଖାଯିବାର ବ୍ୟବସ୍ଥା ହୋଇଛି । ପୁରୀ ପ୍ଲାଟଫର୍ମର ଆଖପାଖରେ ୪ଟି ଅଭିଜ୍ଞ ଡ଼ଗ୍ ସ୍କ୍ୱାଡ଼ ରହିବେ । ସେହିପରି ପୁରୀ ଷ୍ଟେସନରେ ୨ଟି ଡ୍ରୋନ କ୍ୟାମେରା ଅହରହ ଜଗିରହିବ ।

ସେହିପରି ହଜାର ହଜାର ତୀର୍ଥଯାତ୍ରୀମାନଙ୍କ ସୁବିଧା ଲାଗି ପୁରୀ ରେଳଷ୍ଟେସନରେ ସ୍ୱତନ୍ତ୍ର ବିଶ୍ରାମାଗାର ସହ ଗାଧୁଆ ଘର ଓ ଶୌଚାଳୟକୁ ସଫା ସୁତରା ରଖିବା ଲାଗି ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ରେଳ ମଣ୍ଡଳ ପ୍ରବନ୍ଧକ ବ୍ରଜମୋହନ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ପୁରୀକୁ ନିୟମିତ ରେଳ ଚଳାଚଳ ସହିତ ଅଧିକ ୧୮୪ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ । ଗୁଣ୍ଡିଚା ଯାତ୍ରା ଦିନ ୨୮ଟି, ୧୫ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ୯୬ଟି, ୨୧ତାରିଖ ସନ୍ଧ୍ୟାଦର୍ଶନ ଦିନ ୮ଟି, ୨୨ତାରିଖ ବାହୁଡ଼ା ଦିନ ୨୬ଟି ଏବଂ ୨୩ ତାରିଖ ସୁନାବେଶ ଦିନ ୨୬ଟି ସ୍ୱତନ୍ତ୍ର ରେଳ ଚଳାଚଳ କରିବ ।

ଯାତ୍ରୀଙ୍କ ସଂଖ୍ୟା ଦେଖି ମେମୁ ଟ୍ରେନ ଖୋର୍ଦ୍ଦା ରୋଡ଼ରୁ ପୁରୀକୁ ଚଳାଚଳ କରିବ । ସେହିପରି ପୁରୀକୁ ନୟାଗଡ଼ରୁ ୪ଟି ସ୍ୱତନ୍ତ୍ର ଟ୍ରେନ ମଧ୍ୟ ଚଳାଚଳ କରିବ ।

ଯାତ୍ରୀଙ୍କ ସୁବିଧା ଲାଗି ୬୦ଟି ସ୍ୱତନ୍ତ୍ର ଟିକେଟ କାଉଣ୍ଟର ରାଜ୍ୟର ବିଭିନ୍ନ ସ୍ଥାନରେ ଖୋଲାଯିବାର ବ୍ୟବସ୍ଥା ହୋଇଛି । ପୁରୀ ଷ୍ଟେସନରେ ୩୬ଟି ଓ ବଳକା ୨୪ଟି ଟିକଟ କାଉଣ୍ଟର ଖୋର୍ଦ୍ଦା, ଭୁବନେଶ୍ୱର, କଟକ, ଯାଜପୁର-କେନ୍ଦୁଝର, ଭଦ୍ରକ, ବାଲୁଗାଁ, ବ୍ରହ୍ମପୁର, ପାରାଦ୍ୱୀପ ଓ ଖଲ୍ଲିକୋଟ ଷ୍ଟେସନରେ ଖୋଲାଯିବାର ବ୍ୟବସ୍ଥା ହୋଇଛି । ତେବେ ଏହି ଟିକଟ କାଉଣ୍ଟର ଗୁଡ଼ିକ ୨୪ ଘଣ୍ଟା ଧରି ଖୋଲା ରହିବାର ବ୍ୟବସ୍ଥା ରହିଛି ।

ରେଳବିଭାଗ ପକ୍ଷରୁ ଯାତ୍ରୀମାନଙ୍କ ସୁବିଧା ଲାଗି ୪ଟି ‘ମେ ଆଇ ହେଲ୍ପ ୟୁ’ ବୁଥ କରାଯିବ । ୩ଟି ସ୍ୱତନ୍ତ୍ର ଟିକଟ ଭେଣ୍ଡିଂ ମେସିନ ବ୍ୟବସ୍ଥା କରାଯିବାର ସ୍ଥିର କରାଯାଇଛି ।

ସେହିପରି ପୁରୀ ଷ୍ଟେସନରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ସରବରାହ ରହିବ । ପୁରୀ ସମେତ ଅନ୍ୟ ଷ୍ଟେସନ ଗୁଡ଼ିକରେ ସ୍ୱତନ୍ତ୍ର ମେଡ଼ିକାଲ ଟିମ ଖାଦ୍ୟ ପଦାର୍ଥକୁ ଯାଞ୍ଚ କରିବେ । ପୁରୀ ଷ୍ଟେସନରେ ଚା, ଜଳଖିଆ, ପାଣି, ତଥା ପାଣିବୋତଲ ବିକ୍ରିି ସହିତ ୧୫ ଟଙ୍କିଆ ମିଲ୍ ବ୍ୟବସ୍ଥା କରାଯିବ ।

ଓଡ଼ିଶା ତଥା ଓଡ଼ିଶା ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି ‘ଟୁରିଷ୍ଟ କମ୍ପେ୍ଲକ୍ସ’ର ବ୍ୟବସ୍ଥା କରାଯିବ । ଏହି ‘ଟୁରିଷ୍ଟ କମ୍ପେ୍ଲକ୍ସ’ରେ ଏକକାଳୀନ ୫୦୦୦ ଭକ୍ତ ବିଶ୍ରାମ ନେଇ ପାରିବେ । ଏଥିରେ ଯାତ୍ରୀମାନେ ବିଶ୍ରାମ ନେବା ସହିତ ଗାଧୁଆଘର ତଥା ଶୌଚାଳୟର ସୁବ୍ୟବସ୍ଥା ରହିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ ।

 

Leave A Reply

Your email address will not be published.