Latest Odisha News

BREAKING NEWS

ଗୋପୀନାଥ ମହାନ୍ତିଙ୍କ ସାହିତ୍ୟକୃତିର ଡିଜିଟାଲ ସଂକଳନ ଉନ୍ମୋଚିତ

ଭୁବନେଶ୍ୱର: ରାଜ୍ୟର ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ହେଉ କି ପ୍ରଥମ ଜ୍ଞାନପୀଠ ପୁରସ୍କାର ହେଉ ଏନେଇ ପ୍ରସଙ୍ଗ ଉଠିଲେ ସାମ୍ନାକୁ ଆସିଥାଏ ବିଶିଷ୍ଟ ସାରସ୍ୱତ ସାଧକ ଗୋପୀନାଥ ମହାନ୍ତିଙ୍କ ଚିତ୍ର। ଅମୃତ ସନ୍ତାନ, ମାଟିମଟାଳ, ହରିଜନ ଆଦି ପୁସ୍ତକକୁ ନେଇ ସବୁ ବେଳେ ଚର୍ଚ୍ଚା ହୋଇଥାଏ। ବର୍ତ୍ତମାନ ଏହି ବିଶିଷ୍ଟ କଥାଶିଳ୍ପୀଙ୍କ ଅଧିକାଂଶ ସାହିତ୍ୟକୃତିକୁ ଏକାଠି ସଂଗ୍ରହ କରିବା ସହ ଡିଜିଟାଲ ରୂପରେ ଉପସ୍ଥାପିତ କରାଯାଇଛି।

ଗୋପୀନାଥ ମହାନ୍ତିଙ୍କ ଜନ୍ମଦିନ ଅବସରରେ ଏହି ଡିଜିଟାଲ ସଂକଳନ ଲୋକାର୍ପିତ ହୋଇଛି। ସୃଜନିକା ଦ୍ୱାରା ଏହାକୁ ଡିଜିଟାଇଜ୍ କରାଯାଇ ଓଡ଼ିଆ ବିଭବ ୱେବସାଇଟ୍‌ରେ ରଖାଯାଇଛି। ଏଥିପାଇଁ ଗୋପୀନାଥ ମହାନ୍ତିଙ୍କ ପରିବାର ଅକୁଣ୍ଠ ଚିତ୍ତରେ ସହଯୋଗ କରିଥିବା ସୃଜନିକା ପକ୍ଷରୁ କୁହାଯାଇଛି। ଏହି ଡିଜିଟାଲ ସଂକଳନରେ ଗୋପୀନାଥ ମହାନ୍ତିଙ୍କର ପ୍ରକାଶିତ ପୁସ୍ତକକୁ ଉପନ୍ୟାସ, ଗଳ୍ପ ସଂକଳନ, ଆତ୍ମଜୀବନୀ ଓ ଜୀବନୀ, ଅନୁବାଦ, ଆଦିବାସୀ ଭାଷା ଓ ସାହିତ୍ୟ ଏବଂ ଅନ୍ୟାନ୍ୟ ବିଭାଗରେ ରଖା ଯାଇଛି।

ଏଗୁଡିକୁ ଓଡ଼ିଆ ବିଭବ (https://odiabibhaba.in) ୱେବସାଇଟ୍‌ରୁ ଯେକୌଣସି ବ୍ୟକ୍ତି ମାଗଣାରେ ଡାଉନ୍‌ଲୋଡ୍ କରି ରଖିପାରିବେ। ଏହି ଡିଜିଟାଲ ସଂକଳନରେ ୨୧ଟି ଉପନ୍ୟାସ, ୧୦ଟି ଗଳ୍ପ ସଂକଳନ, ୩ ଖଣ୍ଡରେ ଥିବା ତାଙ୍କ ଆତ୍ମ ଜୀବନୀ, ୪ଟି ଜୀବନୀ, ୭ ଖଣ୍ଡ ଅନୁବାଦ ପୁସ୍ତକ,ଆଦିବାସୀ ଭାଷା ଓ ସଂସ୍କୃତି ଉପରେ ଲିଖିତ ୫ ଖଣ୍ଡ ପୁସ୍ତକ ଏବଂ ତାଙ୍କ ଲିଖିତ ଅନ୍ୟ କାବ୍ୟ, ପ୍ରବନ୍ଧ, ନାଟକ ଆଦି ରହିଛି ।

ତଥାପି ମିଳି ପାରି ନଥିବା ବହିଗୁଡ଼ିକୁ କେହି ଯୋଗାଇଦେଲେ ସେଗୁଡ଼ିକ ପରବର୍ତ୍ତୀ ସମୟରେ ଏଥିରେ ଯୋଡ଼ାଯାଇ ପାରିବ। ଏଥିପାଇଁ ଉଭୟ ସୃଜନିକା ଓ ଗୋପୀନାଥ ମହାନ୍ତିଙ୍କ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । ଫଳରେ ଏହି ବିଶିଷ୍ଟ ସ୍ରଷ୍ଟାଙ୍କ ଡିଜିଟାଲ ସଂକଳନ ସଂପୂର୍ଣ୍ଣ ହୋଇପାରିବ ବୋଲି କୁହାଯାଇଛି।

ଓଡ଼ିଆ ଭାଷା, ସାହିତ୍ୟ ତଥା ସଂସ୍କୃତିକୁ ବିଶ୍ୱସ୍ତରରେ ଲୋକଙ୍କ ହାତପାଆନ୍ତାରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଗତ୨୦୧୭ରୁ ଏହି ଓଡ଼ିଆ ବିଭବ ୱେବସାଇଟ୍ ଉଦ୍ୟମ କରିଆସୁଛି । ଏହି ୱେବସାଇଟ୍‌ରେ ବହୁ ବିରଳ ପତ୍ରିକା, ଖବର କାଗଜ ଓ ବହି ରହିଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୬ହଜାରରୁ ଅଧିକ ବହି, ୯୪ଟି ପତ୍ରିକା ସହ ୧୯୫୦ ପୂର୍ବରୁ ପ୍ରକାଶିତ ୨୧ଟି ବିରଳ ଖବରକାଗଜ ମଧ୍ୟ ଓଡ଼ିଆ ବିଭବରେ ରହିଛି । ଏହା ସହ ୧୬ଟି ବିଷୟ, ଅନୁଷ୍ଠାନ ଓ ବ୍ୟକ୍ତି ଭିତ୍ତିକ ସଂକଳନ ମଧ୍ୟ ଏଥିରେ ସ୍ଥାନ ପାଇଛି ।

ବିଭିନ୍ନ ସ୍ରଷ୍ଟା ଏବଂ ତାଙ୍କ ପରିବାର ଏଭଳି ଡିଜିଟାଲ ସଂକଳନ ପାଇଁ ଆଗ୍ରହ ପ୍ରକାଶ କରି ଆଗେଇ ଆସିଲେ ଭବିଷ୍ୟତ ପାଇଁ ବହୁ ବିରଳ ଓଡ଼ିଆ ବହି, ପତ୍ରିକା ସଂରକ୍ଷିତ ହୋଇ ରହିପାରିବ ବୋଲି ଓଡ଼ିଆ ବିଭବ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.