Latest Odisha News

BREAKING NEWS

ଅୟୁତ ଆଶା…

ଅୟୁତ ଆଶା…

ସୁସ୍ମିତା ମହାପାତ୍ର

ପ୍ରତ୍ୟେକଟି ନା ଦେହରେ ଲୁଚି ରହିଥାଏ
ଗୋଟେ ଛଳଛଳ ହଁ,
ଘନ ଅନ୍ଧାର ଭିତରୁ ଉଇଁ ଆସୁଥିବା ପରି
ଗୋଟେ ସଜଫୁଟା ଝଳଝଳ ମୁହଁ ।
କିଛି ଭିନ୍ନ ଏଠି ନିୟତିର ନିର୍ଦେଶ,
ଶକ୍ତ କଠିନ ଆବରଣ ତଳୁ
ସୂକ୍ଷ୍ମ କୋମଳ ଅଙ୍କୁରର ଉଦ୍‌ଗମନ ପରି
ଜଡ଼ ଅଚେତନ ମଧ୍ୟରେ ମିଳିଥିଲା ଦିନେ
ଗୂଢ଼ ଚେତନାର ଆଭାସ ।
ସନ୍ତାନର ସ୍ମୃତି ଓ ପ୍ରିୟତମାର ପ୍ରୀତିକୁ
ଆହୁତି ଦେଇ ଦେହର ଦାହରେ,
ବକ୍ଷକୁ ବଜ୍ର କରି ପେଟ ପାଟଣାର ଦାୟରେ,
ମା’ ମାଟିଠୁ ମେଲାଣି ନେଇ
ଦାଦନ ଯିବାର ଦୁଃଖ,
ଆଉ ପରଦେଶରେ
ଦାନବର ଦୁଃସହ ଦୌରାତ୍ମ୍ୟ ସାଙ୍ଗକୁ
ଅଦୃଶ୍ୟ ଆତତାୟୀର ଶାଣିତ ଶସ୍ତ୍ରରେ ବିଦ୍ଧ
ଯୁଆନ ଶ୍ରମିକର ଭାଗ୍ୟ
ଯୁପକାଠରେ ଝୁଲୁଥିବା ବେଳେ,
ମାନବର ଅସୀମ ଔଦାର୍ଯ୍ୟ,
ଆପଣା ଭିଟାମାଟିର ଆହ୍ୱାନ,
ଇଟାଭାଟି ଛାଡ଼ି ଘର ବାହୁଡ଼ା ହେବାକୁ
ଯୋଗାଏ ସତ୍ୱର ସାମର୍ଥ୍ୟ ।
ଊର୍ଦ୍ଧ୍ୱବାହୁ ହୁଏ ସେ ଆଶ୍ୱାସ ପାଇ,
ପରମଙ୍କ ଉଦ୍ଦେଶ୍ୟରେ ନୁହେଁ ବରଂ

ମରମକୁ ବୁଝି ମଲମ ଲଗାଇଥିବା
ସ୍ୱଦେଶ ଶାସକ ବନାମ ମହାନାୟକଙ୍କ
ଉଦାର ନୀତିରେ ଉଦ୍‌ବୁଦ୍ଧ ହେଇ ।
ଭଲଲାଗେ ନିଜଘର ଶାଗ ଭାତ
ପରଘର ପଲାଉ ପାୟସ୍ ଅପେକ୍ଷା,
ଦୁଃସମୟ ଦିଏ ଆପଣାର ଅନୁଭବ
ସ୍ୱଳ୍ପରେ ସନ୍ତୁଷ୍ଟ ହେବାର ସୁଶିକ୍ଷା ।
କାଗଜ କଲମର ଆଠ ଘଣ୍ଟିଆ ନୀତି
ଯେଉଁଠି ପାଲଟି ଥିଲା ତା’ପାଇଁ
ଅଠର ଘଣ୍ଟିଆ ଗୋତି,
ସମୟ ସୁଅରେ ଭରିଯାଏ କ୍ଷତ ସିନା
ଭୁଲିହୁଏନି ସେ ଦୁର୍ଦଶା, ଦୁଃସ୍ଥିତି ।
ଯାହାର ଉଜାଣି ପ୍ରବାହ ଈଶାରାରେ କହିଯାଏ
ଦୁଃଖ ପରେ ସୁଖ ଆଉ
ଅନ୍ଧାର ପରେ ଆଲୋକର ନିରବଧି ଗତି ପରି
ନୀରନ୍ଧ୍ର ନିରାଶାର ନିବୁଜ କକ୍ଷରେ ଅବରୁଦ୍ଧ
ଅୟୁତ ଆଶାର ଅବଗୁଣ୍ଠିତ ବତୀ ।

—————————–
ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର-୧୬
ରାଉରକେଲା-୭୬୯୦୦୩
ଫୋ.ନଂ.-୯୪୩୭୫୦୩୧୩୮ ଇମେଲ୍ – susmita6674@gmail.com

 

Leave A Reply

Your email address will not be published.