Latest Odisha News

BREAKING NEWS

ବିବର୍ଣ୍ଣ ପୃଥିବୀ: ସୁବର୍ଣ୍ଣ ସକାଳ

ବିବର୍ଣ୍ଣ ପୃଥିବୀ: ସୁବର୍ଣ୍ଣ ସକାଳ

ମନୋଜ ଭଳ

ତାରୁଣ୍ୟର ତରଙ୍ଗ ପରି
ବସନ୍ତର ମଧୁର ପରଶ
ଆଉ ବିଭୋର କରୁନି ମନକୁ
ଆଗ ଭଳି,
ଅନୁରାଗରେ ବନ୍ଧା ପଡିଥିବା ଜୀବନ
ଅସ୍ଥିର ହେଉନି ଏବେ
ବିଶ୍ୱାସର ଫରୁଆରେ ସାଇତି ରଖିବାକୁ
ମମତାର ଫୁଲ ଅନ୍ୟଲାଗି ।
ସବୁଏଠି ଅଦଳ ବଦଳ
ବିବର୍ଣ୍ଣ ପୃଥିବୀ ରୁ ଉଭେଇ ଯାଉଛି
ସୁବର୍ଣ୍ଣ ସକାଳ ।

ଏଣିକି ଫୁଲର ପାଲିଙ୍କିରେ ଝିଲିବାକୁ
ରାଜି ହେଉନାହିଁ ଭଅଁର
ଛୁଇଁ ଦେଲେ ମଉଳି ଯାଉଥିବା
ଲାଜକୁଳି ଲତା ଭଳି
କଁଅଳ ଶିଶୁ ବି ସହି ଯାଉଛି ନିର୍ବିବାଦରେ
କରୋନା ର ଦୁର୍ବାର ଅତ୍ୟାଚାର
ଯଦିଓ ସେ ମମତା କାଙ୍ଗାଳ ଚିରକାଳ
ସବୁ ଏଠି ଅଦଳ ବଦଳ ।

ସ୍ବପ୍ନ ମାନେ ରଙ୍ଗ ହୀନ
ଯୌବନ ହାଟରେ ଜରାର କୀର୍ତ୍ତନ
କାକପୋଇ ଭୁଲିଲାଣି
ଗାଇବାକୁ ମଧୁର ସଙ୍ଗୀତ
ଛୁଟୁ ନାହିଁ ବାସ ଆଉ ଆମ୍ବ ବଉଳର
ସବୁ ଏଠି ଅଦଳ ବଦଳ ।

ଲୋଟାଣି ପାରାର ଡେଣାରେ
କଳଙ୍କି ଲାଗିବାର ଭୟ
ଦିବାଲୋକରେ ବି ଘୋଟିଆସୁଛି
ଛାଇ ଛାଇ ଅନ୍ଧାର
ଢୋଲରେ ପଶୁଛି ମୂଷା
ଅମୃତ ଭାଣ୍ଡରେ ପୁଣି ବିଷାକ୍ତ ଗରଳ
ସବୁଏଠି ଅଦଳ ବଦଳ ।

ସଙ୍ଗାତରେ ……
କେମିତି ଜୀଇଁବା କହ ?
ହାତ ପାପୁଲିରେ ଜହ୍ନ ଥାଇବି
ଚାରିଆଡେ ଅମାବାସ୍ୟାର
ବହଳ ଅନ୍ଧାର
ସବୁ ଏଠି ଅଦଳ ବଦଳ
ବିବର୍ଣ୍ଣ ପୃଥିବୀରୁ ଉଭେଇ ଯାଉଛି
ସୁବର୍ଣ୍ଣ ସକାଳ ।।
୦ ୦ ୦ ୦ ୦

ମୋ- ୯୯୩୭୪୯୮୬୯୩

Leave A Reply

Your email address will not be published.