କିଛି କଥା ବାକି ଥାଉ…

କିଛି କଥା ବାକି ଥାଉ…

ଶ୍ୱେତା ରାଉତ

ଶତାବ୍ଦୀ ଆରମ୍ଭରୁ
ଝୁଣ୍ଟି ପଡି ଚାଲୁଥିଲି ଏକା ଏକା
ଠିକଣା ଜାଣିନଥିବା ଗନ୍ତବ୍ୟର ଅନ୍ୱେଷଣରେ
କାଇଁ କେହି ତ କହିନଥିଲେ
ମୋ ପାଇଁ ପାଲଟିଯିବାକୁ ଆଲୋକବର୍ତ୍ତିକା !
କେହି ତ ଦେଖି ପାରୁନଥିଲେ ପଥର ମୂର୍ତ୍ତିର ଲୁହ!
କେହି ତ ପାଣି ଛାଟି ଉଠାଇ ନଥିଲେ
ଯୁଗ ଯୁଗ ଧରି ଅଚେତ୍ ପଡିଥିବା
ନିଃଶ୍ବ ହୃଦୟକୁ !
କେହି ତ ପଚାରି ନଥିଲେ
ମୁଁ କୁଆଡେ ଯାଉଛି ଆପଣା ଦୁଃଖ କୁ କାନ୍ଧେଇ !
କେହି ତ ଯାଚି ନଥିଲେ ବିଷ କି ଅମୃତ
ଦୁର୍ଭାଗ୍ୟ ଦଶାରେ ତଣ୍ଟି ଶୁଖିଗଲା ବେଳେ!
କେହି ତ ଦେଇ ନଥିଲେ ପାଣିମନ୍ଦେ
ସମୟର ଝାଞ୍ଜିରେ ଅହରହ ଜଳୁଥିବା ବେଳେ!
ସହାନୁଭୂତିର ଶସ୍ତା ଆଦରଟିଏ ଥାପିଦେଇ

ବରଂ ମାଗିନେଉଥିଲେ ଆୟୁଷ।

ତୁମେ କାହିଁକି ଅନ୍ଧାର ଆକାଶରେ
ମୋତେ ଜହ୍ନ ଭାବିନେଲ
ଅନୁରାଗର ଅସରାଏ ବର୍ଷାରେ କାହିଁକି ଭିଜେଇ ଦେଲ ?
ତୁମେ ବି ତ ଦ୍ୱିଧାର ଦ୍ୱାରବନ୍ଧରେ ଦଣ୍ଡାୟମାନ
ନିର୍ବାକ ସ୍ତମ୍ଭଟିଏ
ଛଦ୍ମ ଆନନ୍ଦର ଆରପାଖେ ହଜିଯାଉଥିବା ଛାଇଟିଏ
ସମୟର ତାଡନାରେ ପ୍ରତିହତ ଯୋଦ୍ଧାଟିଏ
ନିଜକୁ ବୁଝି ପାରୁନଥିବା ଦରଦି ଅବବୋଧଟିଏ।
ଛାଡିଦିଅ ଆଲୁଅ ଅନ୍ଧାରର ଲୁଚକାଳି ଖେଳ
ଭୁଲିଯାଅ ତୁମ ଆମ ଗହୀର ଦୁଃଖର ସମୁଦ୍ର
ଆଖିରୁ ନିଗାଡି ଦିଅ ଅସୁମାରି ସ୍ୱପ୍ନ
ଛାତିରୁ ପାଶୋରି ଦିଅ ମାନ ଅଭିମାନ
ବିପରୀତ ଗନ୍ତବ୍ୟରେ ଆମେ ଦୁହେଁ ହତାଶ ପଥିକ
ଆହୁଲା ନଥିବା ମଝି ନଈର ନାବିକ
ଚାଲ ଫେରିଯିବା !!
ନିଜ ନିଜ ମାୟା ସାମ୍ରାଜ୍ୟକୁ
କିଛି କଥା ବାକି ଥାଉ ଆର ଜନମକୁ।।
ରାଉତ୍ କମ୍ପ୍ଲେକ୍ସ, କଟକ ରୋଡ୍, ଭୂବନେଶ୍ବର

 

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.