Latest Odisha News

BREAKING NEWS

ଶ୍ରୀମତୀ

ଶ୍ରୀମତୀ

ଶ୍ରୀଯୁକ୍ତ ସତ୍ୟାନାଶ

ଭାଗବାନଙ୍କ ସୃଷ୍ଟିରେ
ପତିପତ୍ନୀଙ୍କର ଯୋଡ଼ି ଅତୀବ ସୁନ୍ଦର,
ଠିକ୍ ଯେମିତି ଯୋଡ଼ି
ବିରିିଆନୀ ସାଙ୍ଗେ କଚମ୍ବର ।

ପତ୍ନୀଙ୍କୁ ମୁଁ କଚମ୍ବର କହୁଚି ଭାବି
ପତ୍ନୀ କେହି କରନ୍ତୁ ନାହିଁ ରାଗ,
କାରଣ…ବୁଝିବାରେ ଅସୁବିଧା ନାଇଁ
ବିରିଆନୀଟା ‘ଈ’କାର ସ୍ତ୍ରୀଲିଙ୍ଗ
ଆଉ.. କଚମ୍ବର ‘ଅ’କାର ପୁଲିଙ୍ଗ ।

ସବୁ ଶ୍ରୀମତୀ; ବିରିଆନୀ ପରି;
ଖାସି ମାଂସ ବାସୁମତୀ
କିସମିସ୍ କେଶର ଇତ୍ୟାଦି
ମହଙ୍ଗା ମହଙ୍ଗା ଜିନିଷରେ ତିଆରି ।
ଆଉ, ଶ୍ରୀମାନ୍ ସ୍ୱାମୀମାନେ କଚମ୍ବର;
ଖାଲି… କାକୁଡ଼ିକି ଦହିପାଣିରେ ଚମତ୍କାର !

ଆମ୍ଭର ଶ୍ରୀମତୀ;
କବିବର ରାଧାନାଥଙ୍କ କବିତାରୁ ପଦେ
ମନେ ରଖିଛନ୍ତି ।
ମୋ ଆଡ଼କୁ ଚାହିଁ ବେଳେବେଳେ
ସେ ପଦକୁ ଆବୃତ୍ତି କରନ୍ତି –
ସୁନ୍ଦରେ ତୃପ୍ତିର ଅବସାଦ ନାହିଁ;
ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।
କବିତାର ମର୍ମ ହେଲା
ତାଙ୍କ ପରି ଚିରସୁନ୍ଦରୀ ସ୍ତ୍ରୀ ଘରେ ଥାଇ,
ଆଉ କୋଉ ସୁନ୍ଦରୀକି ଚାହିଁବାର ଦରକାର ନାହିଁ ।

ଏମିତି ବି ପତ୍ନୀ ସାମନାରେ
ସାହସ ନଥାଏ କୋଉ ମର୍ଦ୍ଦପୁଅର,
ଅନ୍ୟ କୋଉ ସୁନ୍ଦରୀକି
ଶହେ ଅଶୀ ଡିଗ୍ରୀରେ ଅନେଇଦେବାର ।
ଖାସ୍ ସେଥିପାଇଁ,
କଳା ଚଷମା ଉଦ୍ଭାବନ ହୋଇଛି ପୁରୁଷଙ୍କ ପାଇଁ ।

ସବୁଥର ଘରୁ ମୁଁ ବାଇକ୍ କାଢ଼ିବା ମାତ୍ରେ
ଶ୍ରୀମତୀ କହନ୍ତି – ଦେଖ
ଆଜିକାଲି ବେଳ ଭଲ ନାଇଁ,
କୋଉଝିଅ ଲିଫ୍ଟ୍ ମାଗିଲେ
ବାଇକ୍ ପଛରେ ତାକୁ ବସେଇବ ନାଇଁ ।
ବାଟରେ ସେ ଗାଡ଼ି ଅଟକେଇବ;
ତମଠାରୁ ଗାଡି ଟଙ୍କା ପୈସା ସବୁ ଛଡେଇନବ ।

ମୋଠାରୁ ଯେମିତି
କିଏ କିଛି ନନଉ ଛଡେଇ;
ଖାସ୍ ସେଥିପାଇଁ …
ଅଧିକାଂଶ ସମୟ ସେ ମୋ ବାଇକ୍ ର
ପଛ ସିଟ୍ ରେ ବିଜେହୁଅନ୍ତି ,
ଗୋଟେ ପାଖେ ଦୁଇ ଗୋଡକୁ ଲମ୍ବେଇ
ସିଂହ ଉପରେ ମା ଦୁର୍ଗା ପରି ଦେଖାଯାଆନ୍ତି ।

ସୁନ୍ଦରୀଟେ ଯଦି କିଏ ପାସ୍ କଲା ବାଟରେ;
ଶ୍ରୀମତୀ ଚାହାନ୍ତି…
ମୋ ଆଡ଼କୁ ଥରେ ଆଉ ତା ଆଡକୁ ଥରେ ।
ଟିକେ ପରେ… ମତେ ପଚାରନ୍ତି – ହେଇଟି ,
ଯୋଉ ଝିଅଟା ଗଲା… ଦେଖିଲ ଟି?
ମୁଁ ଚୁପ୍ ରହିଲେ ପୁଣି ହଲେଇଦେଇ କହନ୍ତି-
ହଇହେ, ଦେଖିଲକି ନାଇଁ କହ ।
ମୁଁ ନ ଜାଣିଲା ପରି କହେ –
ନା ନା… ଦେଖିନି… ଦେଖିନି, କୋଉଝିଅ ?
ହେଇଟି ମ…
ଏଇ ଯୋଉ ଝିଅଟା ଯାଉଚି…
ଅଧା ନଙ୍ଗୁଳିଆ ହେଇ ସିଏ ଯୋଉ ଡ୍ରେସଟା ପିନ୍ଧିଚି
କହିଲ କହିଲ… କଅଣ ଦିଶୁଚି !
ମୁଁ ଆଉ ନ କହିକି କିଛି ..
ଘରଣୀଙ୍କୁ ଖୁସି କରିବାକୁ ଖାଲି କହେ-
ଏକଦମ୍ ବାଜେ… ଛି ଛି ଛି ।

କିନ୍ତୁ ମୁଁ ମନେ ମନେ କରୁଥାଏ ଚିନ୍ତା,
ଆଉ କଣ ଅଧିକ ଦିଶନ୍ତା !
ଯେତିକି ଦିଶୁଚି ସେତିକି ହିଁ ଯଥେଷ୍ଟ,
ୟାଠୁ ଅଧିକ ଆଶାକଲେ ମନକଷ୍ଟ ।

ମୋ ପତ୍ନୀଙ୍କ ପରି ପ୍ରତ୍ୟେକ ଶ୍ରୀମତୀ,
ଉପଦେଶର ଗୋଟେ ଗୋଟେ
ଅସରନ୍ତି ଭଣ୍ଡାର ଅଟନ୍ତି ।
ଉପଦେଶ ସବୁ ଅର୍ଡର ପରି
ପାଳନ କରିବା କମ୍ପଲସରି ।
ଯିଏ ଅବାଧ୍ୟ ହେଇ ପାଳନ ନ କରିଛି,
ତାପରେ କଣ ହୁଏ ସେ ଏକା ଜାଣିଚି ।

କେବଳ ମୋ ପତ୍ନୀ ନୁହଁ
ସବୁ ପତ୍ନୀଙ୍କର ଗୋଟେ ବିଶ୍ୱାସ ରହିଛି ,
ସେ ଅଛନ୍ତି ବୋଲି ଘରସଂସାରଟା ଅଛି ।
ସେ ନଥିଲେ ଭୁଷୁଡି ପଡନ୍ତାଣି ଘରର ଚାରିକାନ୍ଥ ,
ପିଲାଙ୍କ ମୁହଁକୁ ଚାହିଁ ସେ ଖାଲି ପଡି ରହିଛନ୍ତି
ନହେଲେ ପିତୃଗୃହରେ କେବେଠାରୁ ଖାଉଥାନ୍ତେ ଭାତ ।

ଦିନେ ଶ୍ରୀମତୀ କହିଲେ –
ମତେ ବାହା ହେଇ ନଥିଲେ…
କଣ ଯେ ହେଇଥାନ୍ତା ଅବସ୍ଥା ତୁମର ?
ମୁଁ କହିଲି – ହଁ… ମୁଁ ବି ଭାବୁଚି
ମୋଦି ଆଉ ନବୀନଙ୍କ ପରି
ମୁଁ ଏବେ ବୁଲୁଥାନ୍ତି ଦୁଆର ଦୁଆର ।

Leave A Reply

Your email address will not be published.