Latest Odisha News

ଖେଳରୁ ପ୍ରେମ ଓ ପ୍ରେମରୁ ବିବାହ: ସାଇନା ବାହା ହେବେ ପାରୁପଲ୍ଲୀ କଶ୍ୟପଙ୍କୁ

ନୂଆଦିଲ୍ଲୀ: ଭାରତର ଦୁଇ ବ୍ୟାଡ଼ମିଣ୍ଟନ ତାରକା ସାଇନା ନେହୱାଲ ଓ ପାରୁପଲ୍ଲୀ କଶ୍ୟପ ଖୁବ୍ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏକ ଗଣମାଧ୍ୟମ ସୂଚନାରୁ ଜଣାପଡ଼ିଛି ଏହି ଦୁଇ ପ୍ରେମୀ ଆସନ୍ତା ଡ଼ିସେମ୍ବର ୧୬ ତାରିଖରେ ପାରମ୍ପରିକ ରୀତିରେ ବିଧିବଦ୍ଧ ଭାବେ ବିବାହ କରିବାକୁ ଯାଉଛନ୍ତି ।

ଗତ ୨୦୦୫ ମସିହାରୁ ଏହି ଦୁଇ ଭାରତୀୟ ବ୍ୟାଡ଼ମିଣ୍ଟ ତାରକା ଏକାଠି କୋଚ୍ ଗୋପୀଚାନ୍ଦଙ୍କଠୁ ବ୍ୟାଡ଼ମିଣ୍ଟନ ତାଲିମ ନେଉଥିଲେ । ଗୋପୀଚାନ୍ଦଙ୍କ ତାଲିମ କେନ୍ଦ୍ରରେ ଦୁହେଁ ଦୁହିଁଙ୍କୁ ଭଲଭାବେ ଚିହ୍ନିବାକୁ ଚେଷ୍ଟା କରିଥିଲେ । ଧିରେ ଧିରେ ସେମାନଙ୍କ ମଧ୍ୟରେ ପ୍ରେମ ସୃଷ୍ଠି ହେଲା । ଦୁହେଁ ବିଗତ ୧୦ ବର୍ଷ ଧରି ଡ଼େଟିଂ କରୁଥିଲେ ।

ଟାଇମ୍ସ ଅଫ ଇଣ୍ଡିଆ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି ଯେ, ଦୁହିଁଙ୍କ ପରିବାର ଏହି ବିବାହରେ ସମ୍ମତ ହୋଇ ବିବାହ ତାରିଖ ଘୋଷଣା କରିଛନ୍ତି ।

ଏହିବର୍ଷ ଆରମ୍ଭରେ ବ୍ୟାଡ଼ମିଣ୍ଟନ ସେନସେସନ୍ ସାଇନା ନେହେୱାଲ ଗଣମାଧ୍ୟମ ଆଗରେ ସ୍ପଷ୍ଟ ଭାବେ କହିଥିଲେ ଯେ, ମୋତେ ପାରୁପଲ୍ଲୀ କଶ୍ୟପ ସବୁ ମ୍ୟାଚରେ ଜିତିବାକୁ ବେଶ୍ ପ୍ରେରଣା ଦେଇଥାଆନ୍ତି, ତାଙ୍କ ଲାଗି ମୁଁ ଅନେକ ଗୋଲ୍ଡ ମେଡ଼ାଲ ଜିତି ପାରିଛି ।

ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡ଼ାଲ ସହିତ ବିଶ୍ୱ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପରେ ରୌପ୍ୟ ପଦକ ହାସଲ କରିଛନ୍ତି ସାଇନା । ଏହାଛଡ଼ା ୨୦ଟି ସମ୍ମାନଜନକ ଆନ୍ତର୍ଜାତିକ ପ୍ରତିଯୋଗିତାରେ ମଧ୍ୟ ଚାମ୍ପିୟନ ହୋଇପାରିଛନ୍ତି ୨୮ ବର୍ଷୀୟା ଏହି ସୁନ୍ଦରୀ ଭାରତୀୟ ବ୍ୟାଡ଼ମିଣ୍ଟନ ତାରକା ସାଇନା ନେହୱାଲ ।

ସେହିପରି ସାଇନାଙ୍କ ପ୍ରେମିକ ତଥା ଭାରତୀୟ ବ୍ୟାଡ଼ମିଣ୍ଟନ ତାରକା ପାରୁପଲ୍ଲୀ କଶ୍ୟପ ୨ଥର ବିଶ୍ୱସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଜିତି ପାରିଛନ୍ତି । ଏହି ୩୨ ବର୍ଷୀୟ ତାରକା ଖେଳାଳିଙ୍କ ଜନ୍ମ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ।

କଶ୍ୟପଙ୍କ ବିଶ୍ୱ ର‌୍ୟାକିଂ ଏବେ ୪୪ ରେ ଥିବା ବେଳେ ୨୦୧୩ ମସିହାରେ ସେ ୬ ନଂ ବିଶ୍ୱ ର‌୍ୟାକିଂ ହାସଲ କରିପାରିଥିଲେ ।

Leave A Reply

Your email address will not be published.