Latest Odisha News

BREAKING NEWS

ସାମାଜିକ ଭୂତ

 କଥାଟିଏ କହୁଁ 1 

ସାମାଜିକ ଭୂତ
ପରଂବ୍ରହ୍ମ ତ୍ରିପାଠୀ

ଛୋଟ ବେଳେ ଆଇମା କାହାଣୀରୁ ଭୂତ ବିଷୟରେ ଶୁଣି ଶୁଣି ମୋର ଛୋଟବେଳେ ଗୋଟେ ଧାରଣା ହେଇ ଯାଇଥିଲା ଯେ ଭୂତର ପାଦ ନଥାଏ। ବଡ଼ ହେଲି, ଧୀରେ ଧୀରେ ଭୂତ ଓ ସେମାନଙ୍କ କାହାଣୀ ମୋ ପାଖରେ ନିଜ ପ୍ରାସଙ୍ଗିକତା ହରେଇ ଚାଲିଲେ। ହେଲେ ୨୦୧୬-୧୭ ବେଳକୁ ଭେଟିଲି ଆଉ ଏକ ପ୍ରକାର ଭୂତ, ହାତ ଗୋଡ଼ ପାଟି ଥିବା ଭୂତ, ବିଲକୁଲ ମଣିଷ ପରି ହେଲେ ବି ଭୂତ। ସମ୍ପୂର୍ଣ ସାମାଜିକ, ତଥାପି ଭୂତ। ବୁଝି ହେଲାନି? ଏଇ ସାମାଜିକ ଭୂତ ମାନଙ୍କ ବିଷୟରେ କହିବା ପୂର୍ବରୁ ଅଙ୍ଗେନିଭା ଘଟଣାଟିଏ ଅବତାରଣା କରୁଛି। ବୁଝିବାକୁ ସହଜ ହେବ।

କଥା ୨୦୧୭ର, ଉତ୍ତରପ୍ରଦେଶରେ ହେଉଥାଏ ବିଧାନସଭା ନିର୍ବାଚନ। ଯଦିଓ ସାମାଜିକ ଗଣମାଧ୍ୟମରେ ନିଜର ବ୍ୟକ୍ତିଗତ ରାଜନୈତିକ ମତ ରଖିବାରେ ମୁଁ ସେତେ ଆଗଭର ନୁହେଁ, ତଥାପି ଏହି ନିର୍ବାଚନ ଉପରେ ଗୋଟିଏ ଦୁଇଟି ଛୋଟ ପୋଷ୍ଟ କରିଥିଲି। ଫେସବୁକରେ ସେ ସମୟରେ ମୋର ବନ୍ଧୁ ପାଖାପାଖି ଆଠ ଶହ ଓ ସେମାନଙ୍କ ମଧ୍ୟରୁ ପାଖାପାଖି ଦୁଇ ଶହ ମୋ ଫେସବୁକ ଲେଖା ଉପରେ ନିୟମିତ ମତାମତ ଦିଅନ୍ତି। କେବେ କୌଣସି ଅଶାଳୀନ ବ୍ୟବହାର ମୁଁ ମୋ ଫେସବୁକ ବନ୍ଧୁମାନଙ୍କ ଠାରୁ ପାଇନଥିଲି। ହେଲେ ଏ ନିର୍ବାଚନ ସଂକ୍ରାନ୍ତୀୟ ଲେଖା ଲେଖିଲା ପରେ ଦିନେ ଦେଖିଲା ବେଳକୁ ଦୁଇ ଜଣ ମୋ ଲେଖା ଉପରେ କିଛି ରୁଚିହୀନ ମନ୍ତବ୍ୟ ଦେଇଛନ୍ତି। ଆଶ୍ଚର୍ଯ୍ୟ ଲାଗିଲା, କିଏ ଏ ଦୁଇ ଜଣ? ସେମାନଙ୍କ ପ୍ରୋଫାଇଲକୁ ଗଲି, ସେମାନେ ଗତ ତିନିବର୍ଷ ଧରି ମୋ ବନ୍ଧୁ ତାଲିକାରେ ଅଛନ୍ତି ହେଲେ କେବେ ବି ମୋର କୌଣସି ଲେଖା କିମ୍ବା ଫଟୋ ଉପରେ କୌଣସି ମତ ମନ୍ତବ୍ୟ ଦେଇନାହାନ୍ତି। ନା ମୁଁ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଚିହ୍ନିଛି ମଧ୍ୟ। ଆଜି କଣ ହେଲା?

ମନ୍ତବ୍ୟ ଦେଇଥିବା ବ୍ୟକ୍ତି ମାନେ ମୋ ସହ ଯୁକ୍ତି କରିବାକୁ ଇଚ୍ଛୁକ ଅଛନ୍ତି ବୋଲି ଭାବି ମୋ ପୋଷ୍ଟରେ ମୁଁ ଲେଖିଥିବା ବିଷୟରେ ନିଜ ପକ୍ଷ ରଖିବା ଆରମ୍ଭ କଲି। ହେଲେ, ସେ ଦୁଇଜଣ ଯାକ ଏହାପରେ ଅଶ୍ଳୀଳ ଭାଷା ଓ ବ୍ୟକ୍ତିଗତ ଆଲୋଚନା ଆରମ୍ଭ କଲେ। କିଛି ସମୟ ପରେ ମୁଁ ବାଧ୍ୟ ହୋଇ ଚୁପ ରହିଲି ଓ ସେ ପୋଷ୍ଟଟିକୁ ମୋ ପ୍ରୋଫାଇଲରୁ ବାଦ ଦେଲି।

ଏ କଥାର ସପ୍ତାହେ କି ଦି ସପ୍ତାହ ପରର କଥା। ଘରକୁ ଆସିଥାଏ ବନ୍ଧୁ ରମେଶ। କଲେଜ ଦିନର ସାଙ୍ଗ, ଏବେ ଉଭୟେ ରହୁଛୁ ଦିଲ୍ଲୀରେ। ରମେଶ ପାଇଁ ମୁଁ କିଛି ଖାଇବା ତିଆରି ପାଇଁ ରୋଷେଇ ଘରେ ବ୍ୟସ୍ତ ଥାଏ ଆଉ ରମେଶ ଶୋଇବା ଘରେ ନିଜ ଲ୍ୟାପଟପରେ ବ୍ୟସ୍ତ ଥାଏ। ରୋଷେଇ ଘରୁ ମୁଁ ଫେରିଲା ବେଳକୁ ରମେଶ ବାଥରୁମ ଯାଇଛି। ଖୋଲା ଅଛି ତା ଲ୍ୟାପଟପ, ଆଉ ସେଥିରେ ଜଳଜଳ ଦିଶୁଛି କିଛି ଦିନ ତଳେ ମୋ ରାଜନୈତିକ ପୋଷ୍ଟରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ବ୍ୟକ୍ତି ଜଣଙ୍କର ପ୍ରୋଫାଇଲ। ବୁଝିବାକୁ ଡେରି ହେଲାନି ମୋ ପୋଷ୍ଟରେ କୁରୁଚି ସମ୍ପନ୍ନ ମନ୍ତବ୍ୟ ଦେଉଥିବା ସାମାଜିକ ଭୂତଟି କିଏ।

ରମେଶ ଓ ମୋର ବନ୍ଧୁତ୍ୱ ପାଖାପାଖି ପନ୍ଦର ବର୍ଷର। ହୁଏତ ସେ ମୁହଁରେ କହି ପାରିନଥାନ୍ତା ପୋଷ୍ଟ ବିଷୟରେ। ସେଥିପାଇଁ ସେ ସାହାରା ନେଲା ନିଜ ସାମାଜିକ ଭୂତର। ଏମିତି କିଛି ନିଜକୁ ବୁଝାଇ ମୁଁ ଆମ ବନ୍ଧୁତାକୁ ବଂଚାଇବାରେ ସଫଳ ହେଇଥାଇ ପାରେ, ମାତ୍ର ଏହା ଯେ ବର୍ତ୍ତମାନ ବ୍ୟାପି ଚାଲିଥିବା ସାମାଜିକ ଭୂତ ସମସ୍ୟାକୁ ରୋକିବାରେ ସମର୍ଥ ତାହା କାହିଁ ମୁଁ ଭାବି ପାରୁନି। ଏହି ସାମାଜିକ ଭୂତମାନଙ୍କ ପାଇଁ ଇଂରାଜୀରେ ଶବ୍ଦଟିଏ ଅଛି ଟ୍ରଲ। ସରଳ ଭାଷାରେ କହିଲେ କୁଶବ୍ଦ, କୂତର୍କ ଓ ଅନ୍ୟାନ୍ୟ ରୁଚିହୀନ ଉପାୟ ବ୍ୟବହାର କରି ସାମାଜିକ ଗଣମାଧ୍ୟମରେ ଅନ୍ୟମାନଙ୍କ କଣ୍ଠରୋଧ କରିବା, ଅନ୍ୟମାନଙ୍କୁ ଚୁପ କରେଇଦେବାର ପ୍ରୟାସ କରିବା, ଏକ ଗଠନମୂଳକ ଆଲୋଚନାର ଦିଗ ବଦଳେଇବା ଆଦି ପ୍ରୟାସ କରୁଥିବା ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନଙ୍କୁ ଟ୍ରଲ ବା ସାମାଜିକ ଭୂତ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇ ପାରେ। ଫେସବୁକ, ଟୁଇଟର , ଇନ୍ସଟାଗ୍ରାମ ଆଦି ସାମାଜିକ ଗଣମାଧ୍ୟମ ଏବେ ପାଲଟିଛି ଏପରି ସାମାଜିକ ଭୂତମାନଙ୍କ ଚରାଭୂଇଁ। ସାଧାରଣ ମଣିଷଠାରୁ ଆରମ୍ଭ କରି ରାଜନେତା, ବ୍ୟବସାୟୀଙ୍କ ଠାରୁ ନେଇ ସେଲେବ୍ରିଟି, କାହାକୁ ନିସ୍ତାର ନାହିଁ ଏମାନଙ୍କ ଦାଉରୁ। ତାହାଲେ ଉପାୟ କଣ?

ଏହି ସାମାଜିକ ଭୂତମାନଙ୍କର ଏକମାତ୍ର ଲକ୍ଷ୍ୟ ହେଲା ଯେନତେନ ପ୍ରକାରେଣ ଆପଣଙ୍କୁ ନିଜ ମତ ବା ମନ୍ତବ୍ୟ ରଖିବାରୁ ବିରତ ରଖିବା। କାହିଁକି? ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। ବରଂ ଏହା ପଛରେ, ଇର୍ଷା, ଭିନ୍ନମତ, ଦ୍ୱେଷ, କିମ୍ବା ବେଳେ ବେଳେ ଗୋଷ୍ଠୀଗତ ଆଲୋଚନା ସମୟରେ ସମ୍ପୂର୍ଣ ଅଯୌକ୍ତିକ ହେଲେ ବି ଭିନ୍ନ କିଛି ଗୋଟେ କହି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ ଭଳି ଅନେକ କାରକ କାମ କରିଥାଏ। ଅନେକ ସମୟରେ ବ୍ୟକ୍ତିଗତ ଜୀବନରେ ନିରାଶ, ଦୁଃଖୀ ଓ ହତାଶାବୋଧ ଦେଇ ଗତି କରୁଥିବା ମୋ ବନ୍ଧୁ ରମେଶ ଭଳି ଅନେକ ଲୋକ ଭିନ୍ନ ନାଁ, ଭିନ୍ନ ଠିକଣାର ଆଶ୍ରୟ ନେଇ ଗାଳି ବା ସାମାଜିକ ପିଶାଚପଣ ଦେଖାଇ ନିଜ ଅଭାବବୋଧକୁ କ୍ଷଣିକ ପାଇଁ ଭୁଲିଯିବାର ଅପପ୍ରୟାସ ମଧ୍ୟ କରନ୍ତି। ସେମାନେ ଚାହାନ୍ତି ଯେ ଆପଣ ଉତ୍ତେଜିତ ହୁଅନ୍ତୁ, ଆପଣ ତାଙ୍କ କଥାରେ ପ୍ରତିକ୍ରିୟା ପ୍ରକାଶ କରନ୍ତୁ। ଆପଣଙ୍କ ଉତ୍ତେଜନା ଓ ପ୍ରତିକ୍ରିୟା ହିଁ ସେମାନଙ୍କ ଜିତ। ଆଉ ଆପଣଙ୍କ ଅଣଦେଖା, ପ୍ରତିକ୍ରିୟାଶୁନ୍ୟତା ହିଁ ସେମାନଙ୍କ ହାର। ସେମାନଙ୍କ ଖରାପ ବ୍ୟବହାର ଯଦି ଆପଣଙ୍କ ବ୍ୟବହାରକୁ ବଦଳେଇ ଦେବାରେ ସକ୍ଷମ ହେଲା ତାହାଲେ ଆପଣ ଓ ସେମାନଙ୍କ ଭିତରେ ଫରକ ରହିଲା କେଉଁଠି? ନା ଆପଣଙ୍କ ସମୟ, ନା ଆପଣଙ୍କ ମନ୍ତବ୍ୟ- ଏ ଭିତରୁ କୌଣସି ଗୋଟିଏ ଜିନିଷ ପାଇଁ ସେମାନେ ଯୋଗ୍ୟ ନୁହନ୍ତି।

ହଁ, ଏ ସାମାଜିକ ଭୂତମାନଙ୍କୁ ଆପଣ ଗୋଟିଏ ଜିନିଷ ଦେଖାଇ ପାରନ୍ତି। ସେଇଟା ହେଲା ସହାନୁଭୂତି। ବ୍ୟକ୍ତିଗତ ଜୀବନରେ ଭାରି ଦୁଃଖରେ ଥିବା ଲୋକଟାକୁ ସହାନୁଭୂତି ଟିକେ ଦେଖେଇଲେ ଅସୁବିଧା କଣ?

………………..

ନାଉଗାଁହାଟ, ଜଗତସିଂହପୁର
9717302205

Leave A Reply

Your email address will not be published.