Latest Odisha News

BREAKING NEWS

ନୂଆବର୍ଷର ସଂକଳ୍ପ: ଆଗକୁ ବଢୁ ସାମୂହିକତା…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ସମୟର ସ୍ୱର…

ନୂଆ ବର୍ଷ କେବଳ ଦୀର୍ଘ ସମୟକୁ ଭାଗ ଭାଗ କରିବାର ଏକ ବତୀ ଖୁଂଟ ନା ତା ଠାରୁ ବି ଅଧିକ କିଛି! ନୂଆ ବର୍ଷ କ’ଣ କେବଳ ପୁରୁଣା କ୍ୟାଲେଣ୍ଡର ଜାଗାରେ ନୂଆ କ୍ୟାଲେଣ୍ଡର! ନୂଆ ବର୍ଷରେ କ’ଣ ସତରେ କିଛି ନୂଆ ଥାଏ, ନାଁ କେବଳ ମାତ୍ର ଖାତା ପତ୍ରରେ ଲେଖା ଯାଉଥିବା ମସିହା ହିଁ ନୂଆ ହୋଇଥାଏ! ରାତି ପାହିବା ପରେ ଯେମିତି ଗୋଟେ ନୂଆ ସକାଳ ଆସିଥାଏ, ସେମିତି ତିନି ଶହ ପଂଚଷଠି ଦିନ ପରେ ଆସୁଥିବା ନୂଆ ଦିନଟିକୁ ଆମେ କହୁ ନୂଆବର୍ଷ । ଜାନୁୟାରୀ ୧ ତାରିଖର ଏହି ଦିନକୁ ଯଦିଓ ଇଂରାଜୀ ନବବର୍ଷ କୁହାଯାଏ, କିନ୍ତୁ ସଂପ୍ରତି ଆମ ଦେଶ ଭରି ଏହାକୁ ଉତ୍ସାହର ସହିତ ପାଳନ କରାଯାଉଛି । ପରଷ୍ପରଙ୍କୁ ନୂଆବର୍ଷର ଶୁଭେଚ୍ଛା ବାର୍ତା ଦେବା, ଗ୍ରୀଟିଙ୍ଗ୍ସ କାର୍ଡ଼ ପଠାଇବା, ସାଙ୍ଗ ସାଥୀମାନେ ମିଶି ଭୋଜି କରିବା, ବଡ଼ ବଡ଼ ସହରର କ୍ଲବ୍ ଓ ହୋଟେଲ୍ ମାନଙ୍କରେ ନୂଆବର୍ଷ ପାର୍ଟି କରିବା, ସଙ୍ଗୀତ ଓ ନାଚ ଗୀତର ଆସର ଆଦି ଆୟୋଜନ କରିବା ନୂଆ ବର୍ଷରେ ବହୁଳ ମାତ୍ରାରେ ଦେଖାଯାଉଛି । ଏହା ଆଉ କେବଳ ମାତ୍ର ଇଂରାଜୀ ନୂଆବର୍ଷ ହୋଇ ନାହିଁ । ସମସ୍ତେ ପ୍ରାୟତଃ ଏହାକୁ ଆପଣେଇ ସାରିଲେଣି । କାରଣ ଆମେ ଦୈନନ୍ଦିନ ଜୀବନରେ ଇଂରାଜୀ ମାସ ଆଦିକୁ ବ୍ୟବହାର କରିବାରେ ଅଧିକ ଅଭ୍ୟସ୍ତ ।

ସାଧାରଣତଃ ଦେଖାଯାଏ ଯେ, ନୂଆବର୍ଷରେ ଅଧିକାଂଶ ଲୋକ ନିଜ ପାଇଁ ବିଭିନ୍ନ ପ୍ରକାର ସଂକଳ୍ପ ନେଇଥାନ୍ତି । ଯେମିତିକି ପାନ ଛାଡ଼ିବା, ମଦ ଛାଡ଼ିବା, ସିଗାରେଟ୍ ଛାଡ଼ିବା, ଡାଇରୀ ଲେଖିବା, ନିୟମିତ ଭାବେ ବହି ପଢ଼ିବା, ପ୍ରତିଦିନ ଯୋଗ କରିବା ଇତ୍ୟାଦି । ଯାହା ହେଉ ଏମିତି କିଛି ସକରାତ୍ମକ ସଂକଳ୍ପ ନେବା ପାଇଁ ନୂଆବର୍ଷ ଏକ ସୁଯୋଗ ଆଣିଦେଇଥାଏ, ତାହା ବଡ଼ କଥା । କିନ୍ତୁ ଏହା ବାରମ୍ବାର ଦେଖାଯାଇଛି ଯେ, ସଂକଳ୍ପ ନିଆଯାଇଥିବା ଅନେକ କଥା ଜାନୁୟାରୀ ମାସ ଡେଇଁବା ବେଳକୁ ଯଥା ପୂର୍ବ ତଥା ପରଂ ହୋଇଯାଇଥାଏ । ଅର୍ଥାତ୍ ସେ ସଂକଳ୍ପ ଅତି କଷ୍ଟରେ ଗୋଟିଏ ଦୁଇଟି ମାସ ଭିତରେ ଭାଙ୍ଗିଯାଇଥାଏ । ପୁଣି ଥରେ ନୂଆ ବର୍ଷ ଆସିବା ବେଳକୁ ଆମର ସଂକଳ୍ପ ମନେ ପଡ଼େ । ଏଥର ବି ନୂଆବର୍ଷରେ ଲୋକମାନେ ନିଶ୍ଚୟ ଅନେକ କିଛି ସଂକଳ୍ପ ନେବେ ।

କିନ୍ତୁ ଆସନ୍ତୁ ଏଥର ନୂଆବର୍ଷରେ କେବଳ ବ୍ୟକ୍ତିଗତ ଲାଭ ହେବା ଭଳି ସଂକଳ୍ପ ନନେଇ କିଛିଟା ସାମୂହିକ ସ୍ୱାର୍ଥ ଦିଗରେ ବି ସଂକଳ୍ପ ନେବା । ଆମେ ଦେଖୁଛେ ଆଜିର ସମାଜରେ ସାମୂହିକତା ଅତ୍ୟନ୍ତ ଦ୍ରୁତ ଗତିରେ ମରି ମରି ଯାଉଛି । ସମସ୍ତେ ବ୍ୟକ୍ତି ସ୍ୱାର୍ଥରେ ଏତେ ମସ୍ଗୁଲ୍ ଯେ, ସାମୁହିକତା ବା ସମାଜ କଥା ସମସ୍ତେ ଭୂଲି ଗଲେଣି । ସାମୂହିକତାର କଥା ଉଠିଲେ ସମସ୍ତେ ପଛଘୁଂଚା ।

କିନ୍ତୁ ଆମେ ଭୂଲି ଯାଉଛେ ଯେ, ସାମୂହିକତା ତଥା ଗୋଷ୍ଠୀ ବଂଚି ନରହିଲେ ଆମ ବ୍ୟକ୍ତି ଜୀବନ କେବେ ବି ସମୃଦ୍ଧ ହୋଇପାରିବ ନାହିଁ । କାରଣ ମଣିଷ ପ୍ରଥମେ କେବଳ ଜଣେ ବ୍ୟକ୍ତି ଥିଲା । ପରେ ତାର ଆବଶ୍ୟକତା ପାଇଁ ଗୋଷ୍ଠୀ ତଥା ସମାଜ ତିଆରି ହେଲା । ଅର୍ଥାତ୍ ଗୋଷ୍ଠୀ ତଥା ସମାଜ ବିନା ମଣିଷ ଅପୂର୍ଣ୍ଣ । ତେଣୁ ସେହି ଗୋଷ୍ଠୀ ତଥା ସମାଜର ସମୃଦ୍ଧି ବିନା ବ୍ୟକ୍ତି କେବେ ବି ସମୃଦ୍ଧ ହୋଇପାରିବ ନାହିଁ । ତେଣୁ ଆସନ୍ତୁ ଏଥର ନୂଆ ବର୍ଷରେ କେବଳ ନିଜ ପାଇଁ ସଂକଳ୍ପ ନେବା ସହିତ ନିଜ ଚାରିପଟରେ ଥିବା ସମାଜ, ଗାଁ ଓ ପରିବେଶର ମଂଗଳ ନିମନ୍ତେ ବି ସଂକଳ୍ପ ନେବା ଓ ତାହାକୁ କାମରେ ଲଗାଇବା ପାଇଁ ଚେଷ୍ଟା କରିବା ।

ଏଥିପାଇଁ ବହୁତି କିଛି ମୂଲ୍ୟ ଦେବାକୁ ପଡ଼ିବ ନାହିଁ, କେବଳ ଟିକେ ନିଷ୍ଠାର ସହିତ ଚେଷ୍ଟା କଲେ ଆମେ ନିଶ୍ଚୟ କରିପାରିବା ।

  • ଆମେ ସମସ୍ତେ ଚାଷୀଙ୍କ ପରିଶ୍ରମର ଫଳ ଖାଇ ବଂଚିରହିଛେ । ଚାଷୀଙ୍କ ବିଷୟରେ ଓ ତାଙ୍କ ଦୁଃଖ ଦୁର୍ଦ୍ଦଶା ବିଷୟରେ ଅତି କମ୍ରେ ଆଲୋଚନା ଆରମ୍ଭ କରିବା । ଜନମତ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର । ଆମ ଆଲୋଚନା ଓ ଚର୍ଚ୍ଚା ହୁଏତ ବୃହତ ରୁପ ନେଇପାରେ । ଚାଷୀମାନଙ୍କ ସମସ୍ୟା ପ୍ରସଙ୍ଗରେ କେବେ ବି ଉଦାସୀନ ହେବାନାହିଁ ।
  • ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତାରେ ପଡ଼ିଥିବା ଲୋକଟିକୁ ସାହାଯ୍ୟ କରିବା ପାଇଁ ନିଜେ ବାହାରିବା ସହିତ ପାଖରେ ଥିବା ଅନ୍ୟମାନଙ୍କୁ ବି ଡାକିବା । ପ୍ରଥମେ ଆମେ ଡାକିଲେ ଧିରେ ଧିରେ ଅନ୍ୟମାନେ ବି ଯୋଗ ଦେବେ । ଲୋକଟି ତ ବଂଚିଯିବ ଓ ଗୋଟିଏ ସାମୂହିକତା ବି ଆରମ୍ଭ ହେବ । ମୂଖ୍ୟ କଥା ହେଉଛି କେବଳ ନିଜେ ସାହାଯ୍ୟ କଲେ ହେବନି, ଅନ୍ୟମାନଙ୍କୁ ବି ଡାକି ସାମିଲ୍ କରିବା ।
  • ନିଜ ପରିସର ଭିତରେ ଗୋଟିଏ ଗୋଷ୍ଠୀ ତିଆରି କରିବା ଓ ଖାଲି ପଡ଼ିଥିବା ସ୍ଥାନରେ ଗଛ ଲଗାଇବା । ମନେ ରଖିବା, ଏକା ଲଗାଇବା ନାହିଁ, ଆଉ ପାଂଚ ଜଣଙ୍କୁ ଆମ ସହିତ ଯୋଡ଼ିବା ପାଇଁ ନିଶ୍ଚୟ ପ୍ରୟାସ କରିବା ।
  • ମିଳିତ ଭାବେ ଯେକୌଣସି ଏକ ଅନୁଷ୍ଠାନ କରିବା ପାଇଁ ଚେଷ୍ଟା କରିବା । ଏପରିକି ଆଲୋଚନା ଚକ୍ରଟିଏ ବି ହୋଇପାରେ ।

ଆମ ଦେଶରେ ବା ରାଜ୍ୟରେ ହେଉଥିବା ଯେକୌଣସି ଏକ ଘଟଣାକୁ ନେଇ ତାର ଭଲ ମନ୍ଦ ବିଷୟରେ ଭିନ୍ନ ଭିନ୍ନ ସମୟରେ ଦଳଗତ ଆଲୋଚନା କରିବା ।ଏହିପରି ଆହୁରି ଅନେକ କିଛି ସାମୂହିକତାକୁ ବଢ଼େଇବା ପାଇଁ କରାଯାଇପାରେ । ଆମେ ବ୍ୟକ୍ତିଗତ ଭାବେ ଯେତେ ସଫଳ ହେଲେ ମଧ୍ୟ ଆମେ ଭୂଲିବା ଉଚିତ୍ ନୁହେଁ ଯେ, ଆମେ ହେଉଛୁ ଆମ ଚାରିପଟେ ଥିବା ମଣିଷ ମାନଙ୍କର ଏକ ହାରାହାରି । ତେଣୁ ସାମୂହିକତା ନବଢ଼ିଲେ ଆମେ ବି ଆଗକୁ ବଢ଼ିପାରିବା ନାହିଁ ।

ଭିରଙ୍ଗ, ତୀରଣ, ଜଗତ୍ସିଂହପୁର-୭୫୪୧୩୮

Leave A Reply

Your email address will not be published.