Latest Odisha News

BREAKING NEWS

ନିଜ ଶିଶୁକୁ ନେବାଲାଗି ଭୁଲିଗଲେ ମହିଳା, ଜରୁରୀ ଅବତରଣ କଲା ‘ସାଉଦୀ ଏୟାରଲାଇନ୍ସ’ ବିମାନ

ଜେଦାହ: ଏୟାରପୋର୍ଟ ଲାଉଞ୍ଚରେ ଯାତ୍ରୀମାନେ ସାଧାରଣତଃ ଅନ୍ୟମନସ୍କ ଭାବେ ନିଜର ମନିପର୍ସ, ୱାଲେଟ, ମୋବାଇଲ୍ ଫୋନ ଏପରିକି ଜରୁରୀ ଡ଼କ୍ୟୁମେ ଛାଡ଼ିଦେବାର ନଜିର୍ ରହିଛି, ମାତ୍ର ପୃଥିବୀରେ ଏମିତି ମଧ୍ୟ ଅଦ୍ଭୁତ କିସମର ମାଆ ରହିଛନ୍ତି ଯିଏକି ନିଜ ଛୁଆକୁ ଅନ୍ୟମନସ୍କତା ଭାବେ ଏୟାରପୋର୍ଟ ଲାଉଞ୍ଚରେ ଛାଡ଼ିଦେଇ ବିମାନରେ ବସିଯାଇଛନ୍ତି । କିଛିବାଟ ଉଡ଼ି ଗଲାପରେ ମାଆଟିର ବିମାନରେ ମନେପଡ଼େ ସେ ତା’ର ଛୁଆକୁ ବିମାନବନ୍ଦରରେ ଛାଡ଼ିଦେଇ ଆସିଛି । ଏହି କଥା ବିମାନ ପରିଚାରିକାଙ୍କୁ କହିବା ପରେ ବିମାନ ଜରୁରୀ ଅବତରଣ କରିବାକୁ ପଡ଼ିଛି ।

ଏହିପରି ଏକ ଘଟଣା ଘଟିଛି ସାଉଦି ଆରବର ଜେଦାହର କିଙ୍ଗ୍ ଅବଦୁଲ ଅଜିଜ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରେ, ଏହା ସମଗ୍ର ବିଶ୍ୱବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଜେଦାହ ବିମାନ ବନ୍ଦରରୁ ଏକ ସାଉଦି ଏୟାରଲାଇନ୍ସ ବିମାନ ମାଲେସିଆର କୁଆଲା ଲୁମ୍ପୁର ଅଭିମୁଖେ ଯାତ୍ରା କରୁଥିଲେ ମଧ୍ୟ ବିମାନଟି ଟେକଅଫ୍ କରିବାର ଗୋଟିଏ ମିନିଟ ପରେ ଜରୁରୀ ଅବତରଣ କରିଥିଲା, ଯାହାକି ଏବେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି ।

ଅନ୍ୟମନସ୍କ ଭାବେ ମହିଳା ଜଣକ ନିଜର ଛୁଆଟିକୁ ବିମାନବନ୍ଦରରେ ଛାଡ଼ିଦେଇ ବିମାନରେ ଯାଇ ଆରାମରେ ଚିନ୍ତାମୁକ୍ତ ଭାବେ ବସି ରହିଥିଲେ, ମାତ୍ର କିଛି ସମୟ ପରେ ସେ ନିଜ ଛୁଆଟିକୁ ଛାଡ଼ିଦେଇଥିବାର ମନେପଡ଼ିବାରୁ ପାଗଳପ୍ରାୟ ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ ସେ କାନ୍ଦ କାନ୍ଦ ହୋଇ ବିମାନରେ ଥିବା ଏୟାରହୋଷ୍ଟେସଙ୍କୁ ଏହି କଥା ଜଣାଇଥିଲେ । କାଳବିଳମ୍ବ ନ’କରି ବିମାନଟି ସେହି ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା ।

ସାଧାରଣତଃ ଏହି ସବୁ କାରଣ ଯୋଗୁୃଁ ବିମାନ କେବେବି ଜରୁରୀ ଅବତରଣ କରିନଥାଏ । ଏୟାରପୋର୍ଟରେ ଜରୁରୀ ଅବତରଣ ହେଉଥିବା ଜାଣି ଉପସ୍ଥିତ ଥିବା ସୁରକ୍ଷାକର୍ମୀଙ୍କ ସମେତ ସମସ୍ତ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ । ସମସ୍ତେ ନିଶ୍ଚିତ ହୋଇଯାଇଥିଲେ ଯେ, ବୋଧହୁଏ ବିମାନଟି ଅପହରଣ ହୋଇଯାଇଛି । କାରଣ ପ୍ଲେନ୍ ହାଇଜ୍ୟାକ୍ ବେଳେ ବିମାନ ଜରୁରୀ ଅବତରଣ କରିଥିବାର ପୂର୍ବରୁ ଅନେକ ଦୃଷ୍ଟାନ୍ତ ରହିଛି ।

ପାଇଲଟ୍ ଜଣକ ଜରୁରୀ ଅବତରଣ କରିବାକୁ ଅପରେଟରଙ୍କୁ ସିଗନାଲ୍ ଲାଗି ଅନେକ ଅନୁରୋଧ କରିବା ପରେ ବିମାନ ପଥ ସୁବିଧା କରାଯାଇଥିଲା ।

ଗଲ୍ଫ ନ୍ୟୁଜର ରିପୋର୍ଟ ଅନୁଯାୟୀ, ମାଆ ଜଣକ ପୁନର୍ବାର ନିଜ ଶିଶୁ ସନ୍ତାନକୁ ପାଇ ବିମାନରେ ବସାଇଥିଲେ । ଏବେ ବିମାନ ତା’ର ଗନ୍ତବ୍ୟସ୍ଥଳ କୁଆଲା ଲୁମ୍ପୁର ଅଭିମୁଖେ ପୁନର୍ବାର ଉଡ଼ାଣ କରିଥିଲା ।

ତେବେ ଯାହାବି ହେଉ, ଅସହାୟ ଶିଶୁଟି ତା’ର ମାଆର କୋଳରେ ପହଞ୍ଚିପାରିଥିଲେ ମଧ୍ୟ ଏୟାପୋର୍ଟ କର୍ତ୍ତୃପକ୍ଷ ମହିଳାଙ୍କୁ କେଉଁ ପ୍ରକାର ଭତ୍ସନା ଦେଇଛନ୍ତି ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ ।

Leave A Reply

Your email address will not be published.