Latest Odisha News

BREAKING NEWS

ମହାପ୍ରଭୁଙ୍କ ସ୍ନାନଯାତ୍ରା: ସେନାପଟା ଲାଗି ନୀତି ପରେ ଗଜବେଶ ଲାଗି ଚଳଚଞ୍ଚଳ ଶ୍ରୀମନ୍ଦିର

ପୁରୀ: ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନକରିବେ । ଜଗତର ନାଥ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନ ମଣ୍ଡପରେ ୧୦୮ ଗରାରେ ସ୍ନାନ କରିବେ । ସ୍ନାନପୂର୍ଣ୍ଣିମାର ଅବ୍ୟବହିତ ପୂର୍ବରୁ ଥିବା ସେନାପଟା ଲାଗି ନୀତି ଶେଷ ହୋଇଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ପ୍ରଥମ ପର୍ବ ସ୍ନାନଯାତ୍ରା ଲାଗି ଏବେ ଶ୍ରୀମନ୍ଦିର ବେଶ୍ ଉତ୍ସବ ମୁଖର ତଥା ଚଳଚଞ୍ଚଳ ।

ସ୍ନାନମଣ୍ଡପରେ ବିରାଜମାନ ହେବା ପୂର୍ବରୁ ଶ୍ରୀଜୀଉମାନଙ୍କର ବିଶେଷ ନୀତି ସେନାପଟା ଲାଗି ନୀତି ଶ୍ରୀମନ୍ଦିରର ସେବାୟତମାନଙ୍କ ଦ୍ୱାରା ସୂଚାରୁରୂପେ ସମ୍ପନ୍ନ ହୋଇଛି । ୪ ଘଟିକାରୁ ୫ ଘଟିକା ମଧ୍ୟରେ ସମ୍ପନ୍ନ ହୋଇଥିବା ଏହି ଗୁପ୍ତନୀତିରେ ଶ୍ରୀମନ୍ଦିର ଭିତରେ ସାଧାରଣ ଭକ୍ତଙ୍କର ପ୍ରବେଶ ବନ୍ଦ ରହିଥିଲା । ପ୍ରାୟ ଦେଢଘଣ୍ଟାର ପାରମ୍ପରିକ ନୀତି ସମାପ୍ତ ହେଲା ପରେ ଏବେ ଗୁରୁବାର ଦିନ ଭକ୍ତମାନେ ତାଙ୍କର ଆଦରର ଠାକୁର ଶ୍ରୀଜଗନ୍ନାଥଙ୍କୁ ସ୍ନାନମଣ୍ଡପରେ ଦେଖିବାକୁ ଅପେକ୍ଷା କରିଛନ୍ତି ।

ଜ୍ୟେଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣର୍ିମା ଲାଗି ଶ୍ରୀମନ୍ଦିରରେ ସେବାୟତମାନଙ୍କ ମଧ୍ୟରେ ବେଶ୍ ତତ୍ପରତା ପରିଲକ୍ଷିତ ହୋଇଥିବା ବେଳେ ଏପଟେ ରାଘବ ଦାସ ମଠ ଏବଂ ଗୋପାଳତୀର୍ଥ ମଠ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ।

ପରମ୍ପରା ଅନୁସାରେ ସ୍ନାନବେଦୀକୁ ଆସିବା ପୂର୍ବରୁ ଚଦୁର୍ଦ୍ଧା ମୂର୍ତ୍ତି ଟାହିଆ ହଲେଇ ପହଣ୍ଡି କରି ରତ୍ନବେଦୀରୁ ଆସିବେ । ଏହି ପହଣ୍ଡି ସମୟରେ ଶ୍ରୀଜଗନ୍ନାଥ ଓ ମାଆ ସୁଭଦ୍ରାଙ୍କର ଯେଉଁ ଅପୂର୍ବ ଟାହିଆ ମୁଣ୍ଡରେ ପିନ୍ଧିବେ ସେହି ଟାହିଆକୁ ପ୍ରସ୍ତତ ହୋଇଥାଏ ରାଘବ ଦାସ ମଠରେ । ସେହିପରି ଗୋପାଳତୀର୍ଥ ମଠରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କର ଟାହିଆ ପ୍ରସ୍ତୁତି ହୋଇଥାଏ ।

ସ୍ନାନବେଦୀ ଉପରେ ୧୦୮ ଗରାରେ ଶ୍ରୀଜଗନ୍ନାଥ ମହାପ୍ରଭୁ, ବଡ଼ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ମାଆ ଏବଂ ଚକ୍ରରାଜ ଶ୍ରୀସୁଦର୍ଶନ ସ୍ନାନ କରିବେ । ଭକ୍ତମାନେ ବହୁସଂଖ୍ୟାରେ ମହାପ୍ରଭୁଙ୍କର ସ୍ନାନ ଦର୍ଶନ କରିବା ସହିତ ଗଜବେଶ ଧାରଣ କରିଥିବା ଶ୍ରୀଜୀଉମାନଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥାନ୍ତି ।


୧୦୮ ଗରାରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ୱରରେ ଆକ୍ରାନ୍ତ ହୁଅନ୍ତି । ତା’ପରେ ଅଣସର ପିଣ୍ଡିରେ ତାଙ୍କର ଜଡ଼ିବୁଟିରେ ଚିକିତ୍ସା କରିଥାନ୍ତି ରାଜବୈଦ୍ୟ । ଏହି ସମୟରେ ବ୍ରହ୍ମଗିରୀରେ ଥିବା ଅଲାରନାଥଙ୍କୁ ଦର୍ଶନ କରି ମହାପ୍ରଭୁଙ୍କର ଆଶୀର୍ବାଦ ଭିକ୍ଷା କରିଥାନ୍ତି ଅସଂଖ୍ୟ ଭକ୍ତବୃନ୍ଦ । ତା’ପରେ ଆଷାଢ ଶୁକ୍ଳ ଦିତୀୟାରେ ମହାପ୍ରଭୁ ବଡ଼ଭାଇ ଓ ଭଉଣୀଙ୍କ ସହିତ ମାଉସୀ ଘରକୁ ରଥରେ ଯାତ୍ରା କରିବେ । ଏହି ରଥଯାତ୍ରା ଦେଖିବାକୁ ସାରା ବିଶ୍ୱର ଅଗଣିତ ଭକ୍ତମାନେ ଉକ୍ରଣ୍ଠାର ସହିତ ଅପେକ୍ଷା କରିଥାନ୍ତି ।

Leave A Reply

Your email address will not be published.