Latest Odisha News

BREAKING NEWS

ଦୁଇ ଦୁଇ ଥର ହାର ପରେ ପୁଣି ଥରେ ଖଣ୍ଡପଡା ମୁହାଁ ସୌମ୍ୟରଞ୍ଜନ

ଭୁବନେଶ୍ୱର: ଲଗାତାର ଦୁଇ ଦୁଇ ଥର ଖଣ୍ଡପଡା ନିର୍ବାଚନ ମଣ୍ଡଳୀରୁ ହାରିଥିବା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ପୁଣି ଥରେ ସେହିଠାରୁ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଲେଣି । ରାଜ୍ୟସଭା ଆସନ ଛାଡ଼ି ବିଧାନସଭା ଲଢି଼ବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ସୌମ୍ୟବାବୁ । ସେ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି । ବିଜେଡି ସୁପ୍ରିମୋ ଅନୁମତି ଦେଲେ ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି । ଖାସ୍ ସେଥିପାଇଁ ନବୀନନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ନିଜ ଇଚ୍ଛା ଜଣାଇଛନ୍ତି ସୌମ୍ୟବାବୁ । କାରଣ ସୌମ୍ୟବାବୁ ଭାବି ନେଇଛନ୍ତି ଯେ ଏଥର ନିର୍ବାଚନ ଜିତିଲେ ସେ ସିଧାସଳଖ ମନ୍ତ୍ରୀ ହୋଇପାରିବେ ।

୨୦୦୯ରେ କଂଗ୍ରେସ ନିକଟରେ ଏବଂ ୨୦୧୪ରେ ନିଜେ ଗଢ଼ିଥିବା ଦଳ ‘ଆମ ଓଡ଼ିଶା’ରୁ ଖଣ୍ଡପଡ଼ାରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ସୌମ୍ୟବାବୁ । ଏଥର ସେ ବିଜେଡିରେ ଯୋଗ ଦେଇ ସିଧାସଳଖ ରାଜ୍ୟସଭାକୁ ଯାଇଛନ୍ତି । କିନ୍ତୁ ମନ ଅଟକିଛି ସେଇ ଖଣ୍ଡପଡ଼ାରେ । ଆଶା ବାନ୍ଧିଛନ୍ତି ଏଥର ବିଜେଡି ଟିକେଟରେ ସେ ନିଶ୍ଚୟ ବାଜି ମାରିନେବେ । ଖାସ୍ ସେଥିପାଇଁ ସେ ଆରମ୍ଭ କରିଦେଇଛନ୍ତି ଲବି । ସେପଟେ ଖଣ୍ଡପଡାରେ ତାଙ୍କୁ ପ୍ରବଳ ବିରୋଧର ବି ସମ୍ମୁଖୀନ ହେବାକୁ ପଡୁଛି । କାରଣ ଖଣ୍ଡପଡା ବିଜେଡି ଏବେ ୩ ଗୋଷ୍ଠୀରେ ବିଭକ୍ତ । ଗୋଟିଏ ଗୋଷ୍ଠୀ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଭାପୁର ବ୍ଲକ୍ର ଉପାଧ୍ୟକ୍ଷ ଗୟାଧର ପରିଡାଙ୍କୁ ସମର୍ଥନ କରୁଛନ୍ତି । ସୌମ୍ୟବାବୁଙ୍କ ପରି ଅନୁଭବ ଓ ଗୟାଧର ବି ଟିକେଟ ରେସ୍ରେ ଅଛନ୍ତି । ଖଣ୍ଡପଡା ବିଜେଡିରେ ଟିକେଟ ଯୁଦ୍ଧ ଚାଲିଛି ଏହି ୩ ଗୋଷ୍ଠୀ ମଧ୍ୟରେ । ସେପଟେ ସୌମ୍ୟବାବୁଙ୍କ ଦଳ ଆମ ଓଡ଼ିଶା ଏବେ ବି ସମାନ୍ତରାଳ ସଂଗଠନ ଚଳାଇଛି । ସୌମ୍ୟବାବୁ ବିଜେଡିରେ ମିଶିଥିଲେ ମଧ୍ୟ ଆମ ଓଡ଼ିଶା ବିଜେଡିରେ ବିଲିନ ହୋଇନାହିଁ ।ସେପଟେ ଯଦି ସୌମ୍ୟବାବୁ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ତେବେ ଖଣ୍ଡପଡାରେ ସେ ସିଧାସଳଖ ସାମ୍ନା କରିବେ ବିଜେପିକୁ । ବିଜେପିର ଯୁବନେତା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂଙ୍କ ସହ ମୁକାବିଲା ହେବ ସୌମ୍ୟବାବୁଙ୍କର । ତେବେ ସୌମ୍ୟ ଓ ସିଦ୍ଧାର୍ଥଙ୍କର ନିର୍ବାଚନୀ ମୁକାବିଲା କିଛି ନୂଆ ନୁହେଁ । ୨୦୦୯ ମସିହାରେ ସୌମ୍ୟଙ୍କୁ ପ୍ରାୟ ୧୭,୦୦୦ ଭୋଟରେ ପରାଜିତ କରିଥିଲେ ସିଦ୍ଧାର୍ଥ । ସେତେବେଳେ ସିଦ୍ଧାର୍ଥ ବିଜେଡିି ଟିକେଟ ଓ ସୌମ୍ୟବାବୁ କଂଗ୍ରେସ୍ରୁ ନିର୍ବାଚନ ଲଢିଥିଲେ । ସେହିପରି ୨୦୧୪ରେ ବି ବିଜେଡି ପ୍ରାର୍ଥୀ ଅନୁଭବ ପଟ୍ଟନାୟଙ୍କଠାରୁ ଆମ ଓଡ଼ିଶା ନେତା ସୌମ୍ୟବାବୁ ୬୦୦ ଭୋଟ୍ ରେ ପରାଜିତ ହୋଇଥିଲେ ।

ଏଥର ତୃତୀୟ ବାର ପୁଣି ସେହି ଖଣ୍ଡପଡାରୁ ନିର୍ବାଚନ ଲଢ଼ିବାକୁ ଅଂଟା ଭିଡିଛନ୍ତି ସୌମ୍ୟବାବୁ । ବିଜେଡି ସୁପ୍ରିମୋଙ୍କ ନିକଟରେ ନବୀନନିବାସ ଯାଇ ଲବି ଆରମ୍ଭ କରିଦେଲେଣି ସୌମ୍ୟ । ରାଜ୍ୟସଭା ସଦସ୍ୟ ନୁହେଁ, ଇଚ୍ଛା ମନ୍ତ୍ରୀପଦ ହାତେଇବାକୁ । ଗଣମାଧ୍ୟମକୁ ସୂଚନା ଦେଇ ସୌମ୍ୟବାବୁ କହିଛନ୍ତି ନିର୍ବାଚନ ଲଢ଼ିବାକୁ ଇଚ୍ଛା ଅଛି, ତେବେ ନିଷ୍ପତି ମୁଖିଆଙ୍କ ହାତରେ ।

ସେପଟେ ତିନି ବର୍ଷ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଖଣ୍ଡପଡାର ଯୁବରାଜ ସିଦ୍ଧାର୍ଥ ଶେଖର ସିଂଙ୍କର ବିଜେପିରେ ବେଶ ଭଲ ସଂପର୍କ ରହିଛି । ଦଳ ତାଙ୍କୁ ପ୍ରାଧାନ୍ୟ ଦେଉଛି, ଟିକେଟ ଦୌଡ଼ରେ ସେ ଏକ ମାତ୍ର ଦାବିଦାର ଅଛନ୍ତି । ସିଦ୍ଧାର୍ଥଙ୍କର ଲୋକ ସମ୍ପର୍କ ବି ବେଶ ଭଲ ରହିଛି । ଖଣ୍ଡପଡାରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିବା ପାଇଁ ଏକ ପ୍ରକାର ସ୍ଥିର କରିଥିବା ସୂଚନା ମିଳିଛି ।
ସେହିପରି ବର୍ତମାନର ଖଣ୍ଡପଡ଼ାର ବିଧାୟକ ଅନୁଭବ ପଟ୍ଟନାୟକ ଏବଂ ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡା ମଧ୍ୟ ସୌମ୍ୟ ପଟ୍ଟନାୟକଙ୍କ ଭଳି ବିଜେଡି ଟିକେଟ ହାତେଇବା ପାଇଁ ଚେଷ୍ଟା ଚଳାଇଛନ୍ତି ।

ଏଭଳି ପରିସ୍ଥିତିରେ ଖଣ୍ଡପଡାରେ ୩ ବିଜେଡି ଆଶାୟୀଙ୍କ ମଧ୍ୟରୁ କାହାର ବାଜିମାତ ହେବ ଏବଂ ଖଣ୍ଡପଡା ଆସନ ବିଜେପି ନା ବିଜେଡି ହାତକୁ ଯିବ, ତା’ରି ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.