Latest Odisha News

BREAKING NEWS

ଏକକ ନିର୍ବାଚନ ପ୍ରସଙ୍ଗ: ବିଜେଡ଼ି ଜୁଲାଇ ୧୦ ଲ’କମିଶନ ବୈଠକରେ ଉପସ୍ଥାପନ କରିବ ଦଳର ମତ

ଭୁବନେଶ୍ୱର : ଭାରତରେ ଏକକ ନିର୍ବାଚନକୁ ନେଇ ଜୁଲାଇ ୧୦ରେ ଭାରତୀୟ ଲ’ କମିଶନ ଦେଶର ସମସ୍ତ ରାଜନୈତିକ ଦଳମାନଙ୍କର ଏକ ବୈଠକ ଡ଼କାଇଛନ୍ତି । ଏହି ବୈଠକରେ ଗୋଟିଏ ଥରରେ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ କରିବା ନେଇ ସମସ୍ତ ଦଳର ମତ ଲୋଡ଼ିଛନ୍ତି କମିଶନ ।

ତେବେ ବୈଠକ ପୂର୍ବରୁ ହିଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକକ ନିର୍ବାଚନକୁ ‘ହଁ’ ମାରିଛନ୍ତି । ତେବେ ବିଜେଡ଼ି ପକ୍ଷରୁ ଲ’କମିଶନଙ୍କ ବୈଠକରେ ମତ ଉପସ୍ଥାପନ କରାଯିବ । ବିଜେଡ଼ି ପକ୍ଷରୁ ଏହି ବୈଠକରେ ପୁରୀ ସାଂସଦ ପିନାକୀ ମିଶ୍ର ପ୍ରତିନିଧିତ୍ୱ କରୁଛନ୍ତି ।

“ଜୁଲାଇ ୧୦ ତାରିଖ ଦିନ ୩ଟା ବେଳେ ଲ’ କମିଶନ ଆମକୁ ଉପସ୍ଥିତ ରହିବାକୁ କହିଛନ୍ତି, ମୋ ଦଳର ମତକୁ ଲିଖିତ ଆକାରରେ କମିଶନଙ୍କ ସାମ୍ନାରେ ଉପସ୍ଥାପନ କରିବି”, ବୋଲି କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ତଥା ପୁରୀ ସାଂସଦ ପିନାକୀ ମିଶ୍ର ।

ବରିଷ୍ଠ ବିଜେଡ଼ି ନେତା ପିନାକୀ ମିଶ୍ର କହିଛନ୍ତି, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ଏକକ ନିର୍ବାଚନର ପ୍ରବକ୍ତା । ବିଧାନସଭାକୁ ବର୍ଷକ ପୂର୍ବରୁ ଭଙ୍ଗ କରି ଏକକ ନିର୍ବାଚନ ଲାଗି ସୁଯୋଗ ସୃଷ୍ଟି କରିଥିଲେ । ଏଭଳି କାର୍ଯ୍ୟ କରିବାକୁ ସାରା ଭାରତରେ କେହି ସାହସ କରିନାହାନ୍ତି । ଲ’କମିଶନଙ୍କ ଆଗରେ ଆମେ ଦଳ ପକ୍ଷରୁ ଏକ ଲିଖିତ ପ୍ରସ୍ତାବ ଦେବୁ । ଏଥିରେ ମଧ୍ୟ ଆମ ଦଳର ଆଭିମୁଖ୍ୟ ଉଲ୍ଲେଖ ରହିଛି ।

ଆମ ଦଳର ଆଭିମୁଖ୍ୟ ହେଲା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକକ ନିର୍ବାଚନର ମୂଳ ପ୍ରବର୍ତ୍ତକ । ଏହାକୁ ସେ ୨୦୦୪ ମସିହାରେ କାର୍ଯ୍ୟକାରୀ କରି ଦେଖାଇଛନ୍ତି । ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ବରିଷ୍ଠ ବିଜେଡ଼ି ନେତା ପିନାକୀ ମିଶ୍ର ।

ସୂଚନାଯୋଗ୍ୟ ଭାରତୀୟ ଲ’କମିଶନର ଅଧ୍ୟକ୍ଷ ବିଏସ ଚୌହାନ ଗତ ଜୁନ ୨୬ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏକକ ନିର୍ବାଚନ ପ୍ରକ୍ରିୟା ସଂକ୍ରାନ୍ତୀୟ ଏକ ପତ୍ର ପଠାଇଥିଲେ । ଏକକ ନିର୍ବାଚନ ପରିପ୍ରେକ୍ଷୀରେ ଦଳର ମତ ଉପସ୍ଥାପନ କରିବାକୁ ଏହି ଚିଠିରେ ଉଲ୍ଲେଖ ରହିଥିଲା । ତେବେ ପତ୍ର ପାଉ ପାଉ ହିଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକକ ନିର୍ବାଚନ ଲାଗି ତାଙ୍କ ଦଳ ରାଜି ବୋଲି ‘ହଁ’ ମାରିଥିଲେ ।

Leave A Reply

Your email address will not be published.