Latest Odisha News

BREAKING NEWS

ପବିତ୍ର ସ୍ନାନପୂର୍ଣ୍ଣିମା: ଲକ୍ଷାଧିକ ଭକ୍ତଙ୍କ ସମାଗମରେ ମହାପ୍ରଭୁଙ୍କ ଜନ୍ମତିଥି ଓ ସ୍ନାନବିଧି ପାଳନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ରତ୍ନବେଦୀରୁ ପହଣ୍ଡି ବିଜେକରି ରତ୍ନବେଦୀରେ ସ୍ନାନ କରିଛନ୍ତି । ସ୍ନାନପୂର୍ଣ୍ଣିମାରେ ପୁରୀ ବଡ଼ଦାଣ୍ଡ ଗୁରୁବାର ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଉଛୁଳି ପଡୁଛି । ଆଜି ପାରମ୍ପରିକ ଭାବେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ବିଜେ ହେବା ପରେ ରତ୍ନବେଦୀରେ ବସିଲେ ଶ୍ରୀଜୀଉମାନେ । ମଦନମୋହନଙ୍କୁ ସ୍ନାନମଣ୍ଡପରେ ବିଜେ କଲା ପରେ ଆରମ୍ଭ ହୋଇଛି ବିଧିମୁତାବକ ମହାପ୍ରଭୁଙ୍କ ସ୍ନାନକାର୍ଯ୍ୟ । ଆଜିର ଏହି ପବିତ୍ର ତିଥିକୁ ଶ୍ରୀଜୀଉମାନଙ୍କର ଜନ୍ମତିଥିଭାବେ ପାଳିତ ହୋଇଥାଏ ।

ଦେବସ୍ନାନ ପୂର୍ଣ୍ଣିମାରରେ ରତ୍ନବେଦୀରୁ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ପହଣ୍ଡିବିଜେ ସକାଳ ୮:୪୦ ସୁଦ୍ଧା ସମାପ୍ତ ହୋଇଛି । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ସେବାୟତଙ୍କ ଦ୍ୱାରା ମଙ୍ଗଳ ଆରତି, ମଇଲମ ଲାଗି, ତଡ଼ପ ଲାଗି, ଅଧରପୋଛା, ଅବକାଶ ନୀତି, ରୋଷହୋମ, ସୂର୍ଯ୍ୟ ପୂଜା ସହିତ ଦ୍ୱାରପାଳ ପୂଜା ସମାପନ ପରେ ଶ୍ରୀଜୀଉମାନଙ୍କର ସ୍ନାନକାର୍ଯ୍ୟ ସମ୍ପନ୍ନ ହେବ ।

ଶ୍ରୀମନ୍ଦିରସ୍ଥ ଉତ୍ତରଦ୍ୱାରରେ ରହିଥିବା ଶୀତଳା ମନ୍ଦିର ପରିସରର ସୁନାକୂଅରୁ ୧୦୮ ଗରା ପାଣିରେ ସ୍ନାନ କରିବାର ରୀତି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ୩୫ ଗରା ଜଳରେ ସ୍ନାନ କରୁଥିବା ବେଳେ, ବଡ଼ଠାକୁର ଶ୍ରୀବଳଭଦ୍ର ୩୩ ଗରା ଜଳ ଏବଂ ଦେବୀ ସୁଭଦ୍ରା ମାଆ ୨୨ ଗରା ଜଳରେ ସ୍ନାନ କରିବା ବିଧି ରହିଛି । ସେହିପରି ଚକ୍ରରାଜ ସୁଦର୍ଶନ ଦେବଙ୍କୁ ୧୮ ଗରା ଜଳରେ ସ୍ନାନ କରାଇବାର ବିଧି ରହିଛି ।

ସ୍ନାନମଣ୍ଡପରେ ସ୍ନାନକାର୍ଯ୍ୟ ସମାପ୍ତ ହେବା ପରେ ସେବାୟତ ମାନେ ମଇଲମ ଲାଗି କରିଥାନ୍ତି, ତେବେ ନୂଆଲାଗି ବେଶ ସମ୍ପନ୍ନ ହୋଇଥାଏ ।

ଗଜପତି ମହାରାଜାଙ୍କ ଛେରା ପହଁରାପରେ ଅନୁଷ୍ଠିତ ହୋଇଥାଏ ସ୍ନାନମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପାରମ୍ପରିକ ଗଜାନନ ବେଶ । ସନ୍ଧ୍ୟା ୭:୩୦ରୁ ରାତି ୯:୩୦ ପର୍ଯ୍ୟନ୍ତ ସାହାଣମେଲା ସମୟ ଧାର୍ଯ୍ୟ ରହିଥିବା ବେଳେ ପୁଷ୍ପାଞ୍ଜଳି ଏବଂ ଡ଼ୋରଲାଗି ନୀତି ରାତ୍ର ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ ।

ସେହିପରି ବାହୁଡ଼ା ପହଣ୍ଡି ରାତ୍ର ୧୦:୩୦ରେ ଆରମ୍ଭ ହେବାର ସ୍ଥିର ହୋଇଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ପ୍ରଶାସନ ତରଫରୁ ୨୫୦ ଜଣ ପୋଲିସ ଅଧିକାରୀଙ୍କ ସହିତ ୪୨ ପ୍ଲାଟୁନ ଫୋର୍ସ ସ୍ନାନଯାତ୍ରାରେ ନିୟୋଜିତ ହୋଇଛନ୍ତି ।

ଗୁରୁବାର ଦିନ ଦେବସ୍ନାନ ପୂର୍ଣ୍ଣିମାରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ସାହାଣମେଲା ଦର୍ଶନବେଳେ ଭକ୍ତମାନେ ସିଂହଦ୍ୱାର ଦେଇ ଠାକୁରମାନଙ୍କୁ ସ୍ନାନମଣ୍ଡପରେ ଦର୍ଶନ କରିବେ ।

Leave A Reply

Your email address will not be published.