ଅନୁଭୂତିରେ ଶ୍ରୀଜଗନ୍ନାଥ: ଗୋଟେ ଅଭୁଲା ପ୍ରସାଦର ଗପ…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ

ଗଲା  ଜୁଲାଇ ମାସର କଥା । କଳାହାଣ୍ଡିର ବିଶ୍ୱନାଥପୁର ରହଣିର ସେଦିନ ଶେଷ ଦିନ ଥାଏ । ସଂଜକୁ ଭୁବନେଶ୍ୱର ଫେରିବାର ଥାଏ । ପୁଣି ବସ୍ ଯୋଗେ । ବସ୍ ସଂଜ ଛଅକୁ ଛାଡ଼େ । ଆଉ ବାପୁନ ଓ ମତେ ବୁଲିବାକୁ ଯିବାର ଥାଏ ତା ପୂର୍ବରୁ କେଉଁ ଏକ ଅଜଣା ଇଲାକା ଆଡ଼େ ।

ଘରୁ ସ୍କୁଟି ଧରି ବାହାରୁ ବାହାରୁ ୧୧ଟା ବାଜିଗଲା । ପରେ ଜଲିଦେଈ ଘରକୁ ଗଲୁ ଦେଖା କରିବାକୁ । ଜଲିଦେଈ ଘରୁ ବାହାରିଲା ବେଳକୁ ୧୨ଟା ଟପିଲାଣି । ବାପୁନ କହିଲା- ଭାଇ ଆମେ କଲ୍ୟାଣସିଂହପୁର ଯିବା ।

– ସେଟା ପରା ରାୟଗଡ଼ା ଜିଲ୍ଲାରେ?
– ହଁ ଭାଇ । ବାପୁନ କହିଲା ।
– ଯିବା କେମିତି ? ପଚାରିଲି ମୁଁ ।
– ଏପଟେ ଜଙ୍ଗଲ ଭିତର ଦେଇ ଗୋଟେ ରାସ୍ତା ଅଛି । ସେ ରାସ୍ତାରେ ଗଲେ ପାଖ ପଡ଼ିବ । ଉତ୍ତର ଦେଲା ସେ।
ଆଗକୁ ପଛକୁ କିଛି ନ ଭାବି ଆମେ ତା’ ଧଳା ସ୍କୁଟିରେ ବାହାରି ପଡ଼ିଲୁ । ସ୍କୁଟି ଭଲକି ଚାଲୁ ନଥାଏ । ଅଳ୍ପ ବାଟ ଯାଇଛୁ ବର୍ଷା ହେଲା । ଗୋଟେ ଅଧା ତିଆରି ଘର ଭିତରେ ରହିଲୁ କିଛି ସମୟ । ପୁଣି ବାହାରିଲୁ ।

ଏଥର ଆଖି ସାମ୍ନାରେ ପ୍ରତିଟି ମୁହୂର୍ତ୍ତରେ ନୂଆ ଦୁନିଆଟେ ଖୋଲି ଖୋଲି ଯାଉଥାଏ। ଅଚାନକ ବିରାଟ ଝୋଲାଟେ ସାମ୍ନାକୁ ଆସିଲା । ତା’ କଡ଼ରେ ପାହାଡ଼ି ପତଳି ଝରଣା । ବର୍ଷା ଟୋପା ଟୋପା ହୋଇ ପଡ଼ୁଥାଏ । ଘନ ସାବଜା ଜଙ୍ଗଲ ଅଳପ ଓଦା । ସ୍କୁଟିରେ କଥାରେ କଥା ଯୋଡ଼ି ଆମେ ଚାଲିଲୁ । କେତେ ବାଟ ଯିବୁ, କେମିତି ରାସ୍ତା ଆମେ ଦି ଜଣ କିଛି ଜାଣିନୁ । ଯାହା ଜାଣିଛୁ- ସେପଟେ କଲ୍ୟାଣସିଂହପୁରକୁ ରାସ୍ତାଟେ ଅଛି ।

ଋାସ୍ତା ବିତୁଥାଏ । ଜଙ୍ଗଲ ଆହୁରି ଘଞ୍ଚ ହେଉଥାଏ । ମଝିରେ ମଝିରେ ଆକାଶ ଦିଶୁ ନଥାଏ । ଜୁଆନ ଟୋକା ପରି ଡେଙ୍ଗା ଶାଳ ଗଛ ଯେମିତି ଦି ପାଖରେ ଆମକୁ ଜଗି ଛିଡ଼ା ହୋଇଛନ୍ତି । ହାତରେ ହାତ ଛନ୍ଦି ଶାଳ ଗଛ । ପ୍ରକୃତିର ଗୀତରେ ନିଜ ପ୍ରବାହରେ ନାଚିବା ପାଇଁ । ଗୋଟେ ଗୋଟେ ଜାଗାରେ ଲମ୍ବା ଖାଇ । ବାଟରେ ଉଠାଣି ଉଠାଣି- ଲମ୍ବା ଦୀର୍ଘ ଉଠାଣି । ପୁଣି କୋଉଠି ଏମିତି ଗଡ଼ାଣି ଯେମିତି ଲାଗିବ ସ୍କୁଟି ବକଟକ ତଳକୁ ପାରାଚୁଟରେ ଖସିଲା ପରି ଖସି ପଡ଼ିବ । ଛାତିରୁ ଅତଡ଼ା ଖସାଇ ଦେବା ପରି ଉଠାଣି । ପୁଣି ଛାତିରୁ ପବନର ଖିଅ ବାହାର କରିଦେବା ପରି ଗଡ଼ାଣି । ଚାରି ପାଖ ଅଗ୍ନାଅଗ୍ନି ବନସ୍ତ । କୋଉଠୁ ଜଙ୍ଗଲ ଛାତିରେ ମଳାଏ କିଏ ପୋଡ଼ି ଦେଇଛି- ଚାଷ କରିବ । କଳା କଳା ରଂଗ । କୋଉଠି ଜଙ୍ଗଲୀ ଝରଣା ଅଚାନକ ପାଣି ସୁଅରେ ମାଟି କଡ଼ ଗଛର ମୂଳ ଖାଇ ଯାଇଛି । ନଇଁ ପଡ଼ିଛି ଗଛ । କିନ୍ତୁ ଆତ୍ମସମର୍ପଣ କରିନି ସେ ଡେଙ୍ଗା ଗଛ ।

ଋାସ୍ତାରେ ମଣିଷଟେ ବି ନାହିଁ । କାହାକୁ ଦେଖିଲେ ସିନା ପଚାରିବ କ୍ୟାଣସିଂହପୁର ଆଉ କେତେ ବାଟ ଯେ! କଲ୍ୟାଣସିଂହୁପର ବଜାର ବୁଲିବୁ ଓ ସେଠି ପାଖରେ ଥିବା ଶିବପୀଠ ଦେବଗିରି ଯିବୁ । ପାହାଡ଼ ଉପରେ ଦେବଗିରି । ସେଇ ଅନୁସାରେ ସମୟ ବି ଦରକାର । କିନ୍ତୁ ରାସ୍ତା ଏଡ଼େ ସୁନ୍ଦର ଥିଲା ଓ ପ୍ରକୃତି ତା’ ପଣତରେ ଏମିତି ବାନ୍ଧି ଦେଇଥିଲା, ଆମର ସମୟ ସେ ରାସ୍ତା ଦେଖିବାରେ ପଳେଇଲା ।

ସ୍କୁଟି ଚଳାଉଛି ମୁଁ, ପଛରେ ବସିଛି ବାପୁନ । କଡ଼ରେ, ସାମ୍ନାରେ, ଚାରିଆଡ଼େ ଛାଇ ଆଲୁଅର ଛପିଛପିକା ରାସ୍ତା । ପତ୍ର ଗହଳି ଭିତରେ ସୂର୍ଯ୍ୟର ଆତ୍ମପ୍ରକାଶ ।

ଏମିତି ବହୁତ ସମୟ ପ୍ରକୃତି ଦେଖୁ ଦେଖୁ ବିତିଗଲା । କ୍ରମଶଃ ରାସ୍ତା ଲମ୍ବି ଚାଲିଲା। ତେଣୁ କ୍ରମଶଃ ଟିକେ ବିରକ୍ତ ଲାଗିଲା । ଏ ରାସ୍ତା ସରିବନି କି ଆଉ । କେତେବାଟ ମଣିଷ ଏମିତି ପାହାଡ଼ ଦେଇ ଯିବ! ଜଙ୍ଗଲ ରାସ୍ତା ସରିବ ଟି? ବାପୁନ ଉପରେ ମୁଁ ବିରକ୍ତ ହେବାକୁ ଆରମ୍ଭ କଲି ।
– କେତେ ବାଟ ଏ ରାସ୍ତା ରହିଲା ଆଉ ? ସରିବାର ନାଁ ତ ନେଉନି । ଦିନ ଦୁଇଟା ବାଜିବ । କେତେବେଳେ ଆମେ କଲ୍ୟାଣସିଂହପୁରରେ ପହଞ୍ଚିବା ? କେତେବେଳେ ବୁଲିବା ଆଉ ଫେରିବା ? ଏ ରାସ୍ତାରେ ତ ଗୋଟେ ମଣିଷ ବି ନାହିଁ। ବାଟରେ ସ୍କୁଟି ଖରାପ ହେଲେ, ବର୍ଷା ହେଲେ ଫେରିବା ଅସମ୍ଭବ । ପୁଣି ସଂଜ ଛଅକୁ ଭୁବନେଶ୍ୱରକୁ ବସ୍ । ପହଞ୍ଚି ପାରିବା କି ନାହିଁ ଆମେ ? କଲ୍ୟାଣସିଂହପୁର ଯାଇ ପାରିବ କି ନାହିଁରେ ? ନା ଏଇ ଜଙ୍ଗଲ ଭିତରେ ବୁଲି ପଳେଇବା ?

– ଭାଇ, ଆଉ ଅଳ୍ପ ବାଟ ଥିବ । କିଛି ଅସୁବିଧା ହେବନି ।
– ଦେଖିଚୁ କି ନାହିଁ ଏ ରାସ୍ତା ? ଖାଲି ବୁଲିବାକୁ ଚାଲି ଆସିଲୁ? ଏ ଜଙ୍ଗଲ ଭୟାନକ । ଗୋଟେ ବି ମଣିଷ ଦେଖିନି ମୁଁ ଦି’ ଘଣ୍ଟା ହେଲାଣି । ସ୍କୁଟିକୁ ନେଇ ମତେ ଭାରି ଡର । ରାସ୍ତା ବି ଆଗକୁ ଆଗକୁ ଖରାପ ହୋଇ ଯାଉଛି । ଏମିତି କହି ବିରକ୍ତ ହେଲି ମୁଁ ।

ବାପୁନ ସେଇଠି କଥା ବଦଳାଇବାକୁ ଚେଷ୍ଟା କଲା । କଲ୍ୟାଣସିଂହପୁରରେ ନାଗାବଳୀ ନଦୀରେ ୨୦୧୭ରେ ଅଚାନକ ବନ୍ୟା ଆସିଥିଲା । ସମୁଦାୟ ସହର ଡୁବେଇ ଦେଇଥିଲା । ପାଖାପାଖି ଅଞ୍ଚଳରେ ବ୍ୟାପକ କ୍ଷତି କରିଥିଲା ବୋଲି ବର୍ଣ୍ଣନା କରୁଥିଲା ବାପୁନ ।

ତଥାପି ମୋ ବିରକ୍ତି କମୁ ନଥାଏ । ଏଥର ସେ କହିଲା- ଭାଇ, ଆଗରେ ବିଜେପୁର ଆସିବ । ସେଇଠି ସିଆରପିଏଫ କ୍ୟାମ୍ପ ଅଛି । ବିଜେପୁରରୁ ପାଖ କଲ୍ୟାଣସିଂହପୁର ।

ଏମିତିରେ ବିଜେପୁର ଆସିଗଲା । ରାସ୍ତା ସେଇଠି ଦି’ଭାଗ ହୋଇଛି । ବାଁ ଓ ଡାହାଣ ପାଖକୁ ଯାଇଛି ରାସ୍ତା । ଗୋଟେ ଯୋଡ଼େ ଦୋକାନ ବି ପଡ଼ିଲା । ପଚାରିଲାରୁ ଜଣା ପଡ଼ିଲା – କଲ୍ୟାଣସିହପୁର ଆଉରି ୧୬ କିଲୋମିଟର।

ପୁଣି ବିରକ୍ତ ହେଲି ମୁଁ ମନେମନେ । – ଆରେ ଖାଇବା କଣ? ଦୁଇଟା ବାଜିଲାଣି । ଏ ଭଙ୍ଗା ରାସ୍ତାରେ ଯାଉ ଯାଉ ଆଉରି ଘଣ୍ଟାଏ ଲାଗିବ । ସେଠି କିଛି ଖାଇବାକୁ ମିଳିବଟି? କୁଆଡ଼େ ମଣିଷ ଆଇଲା କେଜାଣି ।

– ମିଳିବ ମିଳିବ ଭାଇ । ବଡ଼ ବଜାରଟେ ଅଛି । କହିଲା ବାପୁନ ।
– ଦେଖିଛୁ ନା ଖାଲି କହି ଦେଉଛୁ?

ନାଗାବଳୀ କଡ଼ ଦେଇ, ତା ବନ୍ୟାର ପ୍ରକୋପ ଦେଖି ଆମେ ଶେଷକୁ କଲ୍ୟାଣସିଂହପୁରରେ ପହଞ୍ଚିଲୁ । ବେଶି କିଛି ବଡ଼ ଜାଗା ନୁହେଁ । ଆଦିବାସୀ ବହୁଳ ସେ ବ୍ଲକ ମହକୁମାରେ ଯେ ଖାଇବାକୁ ମିଳିବ, ତାକୁ ଦେଖି ମୋର ସନ୍ଦେହ ହେଲା। ସକାଳୁ ଦିନ ବେଳ ବୁଡ଼ିବା ପରି ଅବସ୍ଥା । ଖାଇବାକୁ ନାହିଁ । ଏ ଜଙ୍ଗଲ, ଏ ଉଠାଣି, ଏ ଅନିଶ୍ଚିତ ଯାତ୍ରା ଦେଇ ଏତେ ବାଟ ଆସିବା ପରେ ଖାଇବାକୁ ନାହିଁ! ମୁଁ ପୁଣି ପରୋକ୍ଷରେ ବିରକ୍ତ ହେବାକୁ ଆରମ୍ଭ କଲି । ତାକୁ କହିଲି- ମତେ ଲାଗୁଛି ଏଠି ଖାଇବାକୁ ମିଳିବ ନାହିଁ । ମଣିଷ ଆଜି ଖାଇବାକୁ ପାଇବ ନାହିଁ । ଆଉ ସେ କଲ୍ୟାଣସିଂହୁପର ଆସିବା ପାଇଁ ଦାୟୀ ବୋଲି ଯଦିଓ ନ କହିଲି, ସେମିତି କହିବାକୁ ହିଁ ଚାହିଁଲି ।

ବାପୁନ କିନ୍ତୁ ଚୁପ ଥିଲା । ସେ ସବୁ ଶୁଣୁଥିଲା । ବୁଝୁଥିଲା ବୋଧେ । କିନ୍ତୁ ତା’ ପାଖକୁ ଯାଇଥିବା ଭାଇକୁ ସେ ଯେତିକି ସମ୍ଭବ ବୁଝାଉ ଥିଲା ।

ଠିକ କଲ୍ୟାଣସିଂହପୁର ମଝିରେ ବାପୁନ ଦେଖିଲା ଉଚ୍ଚ ମନ୍ଦିରଟେ । ଗଠନ ଶୈଳୀରୁ ଲାଗୁଥିଲା- ଜଗନ୍ନାଥ ମନ୍ଦିର ହୋଇଥିବ ବୋଧେ । ତା’ ଭିତରକୁ ପଶିଗଲା । କହିଲା- ଭାଇ ଏଇଠି ଥାଆ । ମୁଁ ଭିତରେ ବୁଝୁଛି ।

ମତେ ଆହୁରି ବିରକ୍ତ ଲାଗିଲା । ମଣିଷ ଏତେ ବାଟ ଏମିତି ଏତେ ଉଠପଡ଼ରେ ଆସିଲା । ଆଉ ଏ ଟୋକା କହୁଛି- ମନ୍ଦିର ପ୍ରସାଦ ଖାଇବାକୁ । ବାପୁନ କିନ୍ତୁ ମନ୍ଦିର ଭିତରକୁ ଗଲା । ମୁଁ ବାହାରକୁ ଗଲି । ପରେ ଆସିଲା ବେଳକୁ ସେ ମନ୍ଦିର ଦ୍ୱାର ପାଖରେ ମତେ ଡାକୁଛି- ଭାଇ ଆ । ହଁ ମିଳିବ । ପ୍ରସାଦ ମିଳିବ ।

କିଛି କହିଲି ନାହିଁ ମୁଁ । ମନ୍ଦିର ଭିତରକୁ ଗଲି । ଦେଖିଲା ବେଳକୁ ପହୁଡ଼ ପଡ଼ିଛି । ଠାକୁରଙ୍କୁ ଦେଖି ହେବନି । ଭାବିଲି- ବୋଧେ ଏଥର ବାହାରକୁ ଯିବାକୁ ସୁବିଧା ହେବ । ସେ କିନ୍ତୁ ଯାଇ ସେ ନନା/ରାନ୍ଧୁଣିଆ ସହ କଥା ହେଲା । କହିଲା- ଭାଇ, ଆଉ ୧୦ ମିନିଟ । ଅନ୍ନ ବସିଛି । ଅପେକ୍ଷା କରିବା, ଏଇଠି ଖାଇବା । ବସ ଭାଇ । କହି ମତେ ବାଇଶି ପାହାଚ ଉପରେ ବସେଇ ଦେଲା ।

ପାହାଚ ଉପରେ ୧୦ ମିନିଟ ମୁଁ ବସିଲି । ଫଟୋ ଉଠେଇଲୁ ଆମେ । ତା’ପରେ ବି ପ୍ରସାଦ ଆସିଲା ନାହିଁ । ମୁଁ କହିଲି- ଦେଖ ମିଳିବ କି ନାହିଁ । ଏଠି ମିଳିବ ନାହିଁ ମ । ଆମେ ଅପେକ୍ଷା କରି ବସିଥିବା, ଆଉ ବାହାରେ ସବୁ ସରି ଯାଇଥିବ ।’ ମୋଟ ଉପରେ ସେଠାରୁ ବାହାରିବା ପାଇଁ ଯେମିତି ମୁଁ ବାପୁନକୁ କହୁଥିଲି।

ପୁଣି ଥରେ ସେ ରୋଷେଇ ଘରକୁ ଗଲା । ଶୀଘ୍ର ବି ଫେରିଲା ନାହିଁ । ମୁଁ ଦେଖିଲି ଆଉ ଟିକେ ଆଗରେ ଲୋକମାନେ ଖାଉଛନ୍ତି । ଭାବିଲି- ସେମାନେ ତ ଖାଉଛନ୍ତି, ଆମକୁ କାହିଁ ଦେଉନି ।

ପରେ ବାପୁନ ଫେରିଲା ଯୋଡ଼େ ଥାଳିରେ ପ୍ରସାଦ ଧରି । ସରୁ ଅନ୍ନ, ଡାଲି, କାଙ୍କଡ଼ ଭଜା, ମହୁର ଓ ଶାଗ । ତାକୁ ଦେଖି ତଥାପି ମତେ ବିରକ୍ତ ଲାଗୁଥାଏ । କିନ୍ତୁ ପ୍ରକାଶ କରୁ ନଥାଏ ମୁଁ । ଖାଇବାକୁ ଆରମ୍ଭ କରିଛି ତ ଲାଗିଲା- କି ଅପୂର୍ବ ସୁଆଦ ସେ ପ୍ରସାଦର । କି ବାସ୍ନା । ହାତରେ, ଦିହରେ, ମନରେ, ଆତ୍ମାରେ ସେ ମହକ ଗୋଳି ହୋଇଗଲା ଯେମିତି । ବାପୁନକୁ ଆଉ କିଛି କହି ପାରିଲି ନାହିଁ । କେତେ ବିରକ୍ତ ହୋଇଛି ମୁଁ । ରାସ୍ତାର ଯାତ୍ରାର ଶିହରଣକୁ ମୋ ବିରକ୍ତି ବି ଅନେକ ସମୟରେ କମେଇ ଦେଇଛି । ଚୁପ ରହିଛି ସେ ଟୋକା । ଖାଇ ସାରିବା ପରେ ନାଗାବଳୀ ଦେଖିବା ପାଇଁ ପୁଣି ଥରେ ଗଲୁ । ତା ପୋଲ ଉପରେ ବୁଲିଲୁ । ଆଉ ଫେରିଲୁ । କାଳେ ଡେରି ହେବ, ଏ ନିହାତି ନିକାଞ୍ଚ, ଜଙ୍ଗଲୀ ରାସ୍ତାରେ କିଛି ଅଘଟଣ ଘଟିବ ଭାବି ବାପୁନ ଅନ୍ୟମାନଙ୍କୁ ବିଶ୍ୱନାଥପୁର ଫେରିବା ପାଇଁ ଅଲଗା ରାସ୍ତା ପଚାରୁ ଥାଏ।

ଏଥର ବାପୁନ ଚଳେଇଲା ସେ ସ୍କୁଟି । ଯେତେ ଡେରି ଭାବିଥିଲି ଓ ଯାହା ଯାହା ଆଶଙ୍କା କରିଥିଲି, ସେମିତି କିଛି ହେଲାନି । ଆମେ ଆସି ଲାଞ୍ଜିଗଡ଼ରେ ପହଞ୍ଚି ଗଲୁ । ବାଟରେ ଆସିଲା ବେଳେ ତା ସ୍କୁଲ ପିଲା, ତା ପ୍ରତି ତା ସ୍କୁଲ ପିଲାଙ୍କ ମମତା ଦେଖି ଯେତିକି ବିଭୋର ହେଲି ମୁଁ, ସେତିକି ଜଗାର କରୁଣା ଅନୁଭବ କରୁଥିଲି।

ସଂଜକୁ ବିଶ୍ୱନାଥପୁର ଦେଇ ଭୁବନେଶ୍ୱର ଆମେ ଦୁହେଁ ଆସିଲୁ।

ଦୁଇ ଦିନ ପରେ ମୁଁ ଢେଙ୍କାନାଳ ଫେରୁଥାଏ । ବାପୁନ ମତେ ଖବରକାଗଜ କ୍ଲିପିଂଟେ ପଠାଇଲା । ଲେଖିଲା- ଭାଇ ଦେଖିଲୁ, ଆମେ ସେଇଠିକୁ ଯାଇଥିଲେ । ‘ସମାଜ’ ଖବରକାଗଜର କ୍ଲିପିଂ ଥିଲା- ଠିକାଦାରଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ଜାଗାଟି- ବିଜେପୁର । ସେଇ ରାସ୍ତା ଦେଇ ଆମେ ଯାଇଛୁ । ପୃଥିବୀ ପିଠିରେ ନିର୍ଭୟରେ ବୁଲିଛୁ । ଫେରିଛୁ । ଆଉ ଏବେ ?

କେତେ ବାଟ ଆମେ ଗଲୁ । କେତେ ଅସମ୍ଭବ ଓ ଭୟାନକ ରାସ୍ତା । ଆଉ ଯାଇ ମିଳିଲା କଣ?

ଜଗାର ପ୍ରସାଦ । ମହାପ୍ରସାଦ । ସେତକ ଦେବା ପାଇଁ ବୋଧେ ଜଗା ଆମ ଦୁହିଁଙ୍କୁ ଏତେ ବାଟ ଡାକିଥିଲା । ନେଇଥିଲା ଆଉ ସୁରକ୍ଷିତ ଫେରେଇ ଆଣିଥିଲା ବି ।

ଇମେଲ୍‌: [email protected]

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।