ମହାପ୍ରଭୁ ଶ୍ରୀଜଗନ୍ନାଥ ହେଲେ ଜଗତର ନାଥ, ସେ ଭକ୍ତ ବତ୍ସଳ, ସେ ଭାବଗ୍ରାହୀ, ସେ ଅନ୍ତର୍ଯ୍ୟାମୀ । ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ରଥାରୂଢ ହୋଇ ତାଙ୍କର ଅଗଣିତ ପ୍ରିୟ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ରତ୍ନସିଂହାସନରୁ ଓହ୍ଲାଇ ବାଇସିପାହାଚରେ ମନୁଆ ହୋଇ ଚାଲି ଚାଲି ଆସନ୍ତି । ଧାଡ଼ିପହଣ୍ଡିରେ ବିଜେ ହୋଇ ମହାପ୍ରଭୁ ବାଇସି ପାହାଚରେ ନାଚି ନାଚି ଆସନ୍ତି । ରଥଆଡ଼କୁ ତିନିଠାକୁର ଯେପରି ଝପଟି ଆସନ୍ତି ସମଗ୍ର ବିଶ୍ୱର ଅଗଣିତ ଭକ୍ତବୃନ୍ଦଙ୍କ ହୃଦୟ ସ୍ପନ୍ଦନ ତାଙ୍କରି ପବିତ୍ର ଦର୍ଶନରେ ଏକାକାର ହୋଇଯାଇଥାଏ । ଆତ୍ମା-ପରମାତ୍ମାଙ୍କ ପବିତ୍ର ମିଳନର ପର୍ବ ରଥଯାତ୍ରା ।
ବର୍ଷକୁ ଥରେ ଏହି ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁ ବୁଲିବାକୁ ବାହାରିଥାନ୍ତି । ଟାହିଆ ହଲେଇ ମହାପ୍ରଭୁଙ୍କୁ ସେବାୟତମାନେ ଏକପ୍ରକାର କୋଳେଇ କାଖେଇ ରଥ ଆଡ଼କୁ ଟାଣି ଆଣନ୍ତି । ଅସଂଖ୍ୟ ଭକ୍ତ ଓ ସେବାୟତଙ୍କ ଗହଣରେ ରଥ ଅଭିମୁଖେ ହେଉଥିବା ପହଣ୍ଡିବିଜେରେ ମହାପ୍ରଭୁଙ୍କ ବଡ଼ ବଡ଼ କଳା ଡ଼ୋଳାର ଆଖି ହିଁ ଦୃଶ୍ୟମାନ ହେଉଥାଏ । ଲାଗେ ସତେକି ମହାପ୍ରଭୁ ବର୍ଷଯାକ ରତ୍ନସିଂହାସନରେ ବସି ଅସଂଖ୍ୟ ଭକ୍ତମାନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝି ଏବେ ସେହି ଭକ୍ତମାନଙ୍କୁ ସେହି ଚର୍ମଚକ୍ଷୁରେ ଟିକେ ଦର୍ଶନ ଦର୍ଶନ କରିବେ ।
ବଡ଼ଦାଣ୍ଡର ରଥଖଳାରେ ତିନିରଥ ସଜ୍ଜିତ ହୋଇ ରହିଥାଏ । ରଙ୍ଗୀନ ରଥ ଗୁଡ଼ିକ ନିଜ ନିଜକୁ ସଜ୍ଜିତ କରି ତିନିଠାକୁରଙ୍କୁ ଯେପରି ଅପେକ୍ଷା କରିଥାନ୍ତି ପାଛୋଟି ନେବାକୁ । ପୁରୀର ଜଗତ୍ଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ପ୍ରଥମେ ତିନିରଥକୁ ଆସି ଦିଅଁମାନଙ୍କୁ ଦର୍ଶନ କରନ୍ତି । ତା’ପରେ ଗଜପତି ରାଜା ଗୋଟି ଗୋଟି କରି ତିନି ରଥରେ ଛେରାପହଁରା କରି ତାଙ୍କର ପବିତ୍ର କାର୍ଯ୍ୟ ସମ୍ପାଦନ କରିଥାନ୍ତି ।
ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ
ଶ୍ରୀଜଗନ୍ନାଥଙ୍କର ଅଗଣିତ ଭକ୍ତମାନେ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରି ଅପାର କରୁଣା ଲାଭ କରିଥାନ୍ତି । କିନ୍ତୁ ରଥ ଉପରେ ମହାପ୍ରଭୁଙ୍କର ସୁନାବେଶ ଦର୍ଶନ କରି ଶ୍ରଦ୍ଧାଳୁମାନେ ମୋକ୍ଷପ୍ରାପ୍ତି ହେବାର ଶୁଣାଯାଏ । ଶାସ୍ତ୍ରରେ ବର୍ଣ୍ଣିତ ରହିଛି ଯେ, ରଥାରୁଢ ଶ୍ରୀଜଗନ୍ନାଥଙ୍କର ଦର୍ଶନ ପ୍ରାପ୍ତି ହେବାମାତ୍ରେ ହିଁ ଜୀବର ସମସ୍ତ ପାପ/ତାପ ଧ୍ୱଂସ ହୋଇଥାଏ, ତଥା ମନୁଷ୍ୟର ସ୍ୱର୍ଗ ପ୍ରାପ୍ତି ହୋଇଥାଏ ।
ଶ୍ରୀମନ୍ଦିର ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ଭକ୍ତମାନଙ୍କୁ ଆକୃଷ୍ଟ କରିଥାଏ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଭିନ୍ନ ପର୍ବ ପର୍ବାଣୀରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଅବଶ୍ୟ ମନ୍ଦିର ମଧ୍ୟରେ ମହାପ୍ରଭୁ ୪ଥର ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ସେହି ତିଥିଗୁଡ଼ିକ ହେଲା, ଦଶହରା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳପୂର୍ଣ୍ଣିମା । ମାତ୍ର ରଥ ଉପରେ ସୁନାବେଶ ହୋଇଥାନ୍ତି ମହାପ୍ରଭୁ ବର୍ଷକରେ ଥରେ ମାତ୍ର । ଆଷାଢ ଶୁକ୍ଳ ଏକାଦଶୀ ରାତିରେ କେବଳ । ରଥଯାତ୍ରାର ନଅଦିନ ଯିବା ପରେ ତିନିଦିଅଁ ସିଂହଦ୍ୱାର ସାମ୍ନାରେ ଦକ୍ଷିଣ ମୁହାଁ ହୋଇ ରହିଥିବା ରଥ ତ୍ରୟ ଉପରେ ବସି ରହିଥାନ୍ତି । ସତେ ଯେମିତିକି ପ୍ରଚୁର ସୁନା ପିନ୍ଧିବାର ମୋହା ଦେବତାମାନଙ୍କୁ ମଧ୍ୟ ମୋହଗ୍ରସ୍ତ କରିଦେଇଥାଏ । କାରଣ ମହାପ୍ରଭୁ ମାନବୀୟ ଲୀଳା କରିଥାନ୍ତି ତମାମ ବର୍ଷଯାକ ।
ଶ୍ରୀମନ୍ଦିର ଓ ରଥଉପରେ ମହାପ୍ରଭୁଙ୍କର ଏହି ସୁନାବେଶ କେବେ ଓ କାହିଁକି ଆରମ୍ଭ ହୋଇଥିଲା ତାହା କେଉଁଠି ସ୍ପଷ୍ଟ ଉଲ୍ଲେଖ ହୋଇନଥିଲେ ମଧ୍ୟ ମହାନ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସଦାଶିବ ରଥଶର୍ମା ଲେଖିଛନ୍ତି, ‘୧୪୬୦ ଖ୍ରୀଷ୍ଟାବ୍ଦରେ କପିଳେନ୍ଦ୍ର ଦେବଙ୍କ ଦାକ୍ଷିଣାତ୍ୟ ବିଜୟ ପରେ ୧୬ ଗୋଯି ହାତୀରେ ବିପୁଳ ଧନରତ୍ନ ଆଣି….ପଭୂଙ୍କର ୧୩୮ଗୋଟି ରତ୍ନାଳଙ୍କାର ଗଢାଇଥିଲେ । ସେ ରତ୍ନ ଭଣ୍ଡାରରୁ ସ୍ୱର୍ଣ୍ଣ ମୁକୁଟ, ସ୍ୱର୍ଣ୍ଣ ଶ୍ରୀପୟର, ବଡ଼ ତଡ଼ଉ ନାମକ କଣ୍ଠମାଳା, କୁଣ୍ଡଳ, ଓଢିଆଣି, ପଦକମାଳା ଅଣାଇ ଏହି ବେଶ କରାଇଲେ ।
ପବିତ୍ର ରଥଯାତ୍ରା ସମୟରେ ରଥଉପରେ ଅନୁଷ୍ଠିତ ହେଉଥିବା ସୁନାବେଶରେ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ମୂରତି ବେଶ୍ ସୁନ୍ଦର ଦିଶନ୍ତି । ବଡ଼ଠାକୁର ବଡ଼ଭାଇ ଶ୍ରୀବଳଭଦ୍ର ସୁନାର ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ଅଳକା, ଝୋବାକଣ୍ଠି, ହଳମୂଷଳ, କଦମ୍ବମାଳି, ସେବତୀ ମାଳି, ତ୍ରିଖଣ୍ଡିକା, କମରପଟି ଲାଗି ହୁଅନ୍ତି ।
ସେହିପରି ସାନ ଗେହ୍ଲୀ ଭଉଣୀ ଦେବୀ ସୁଭଦ୍ରା କିରୀଟ, ଓଡ଼ିଆଣୀ, କାନ, ସୂର୍ଯ୍ୟଚନ୍ଦ୍ର, ଘାଗଡ଼ା ମାଳି, କଦମ୍ବ ମାଳି, ତଡ଼ଗି ୨ଟି ଓ ସେବତୀ ମାଳି ଲାଗି ହୁଅନ୍ତି ।
ମହାପ୍ରଭୁ ଶ୍ରୀଜଗନ୍ନାଥ କିରୀଟ, ଶ୍ରୀପୟର, ଶ୍ରୀଭୂଜ, ଓଡ଼ିଆଣୀ, କୁଣ୍ଡଳ ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଅଳକା, ଝୋବାକଣ୍ଠି, କାନ, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ବ ମାଳି, ବାଘନଖି ମାଳି, ସେବତୀ ମାଳି, ସ୍ୱର୍ଣ୍ଣଚନ୍ଦ୍ର, ଆଡ଼କାନି, ଚନ୍ଦ୍ରିକା ଓ ରୂପାର ଶଙ୍ଖ ଧାରଣ କରିଥାନ୍ତି ।
ବିଭିନ୍ନ କାରଣରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ରଥଯାତ୍ରାରେ ବାହାରିଥାନ୍ତି । ପ୍ରଥମତଃ ଏହା ତାଙ୍କର ଉଦାରତା । ମହାପ୍ରଭୁ ଜାଣନ୍ତି ଯେ ସାରା ଜଗତର ଆଗନ୍ତୁକମାନେ ତାଙ୍କର ଦର୍ଶନ କରିପାରନ୍ତିନି । ତେଣୁ ଅସଂଖ୍ୟ ଭକ୍ତମାନଙ୍କୁ ଟିକେ ଦର୍ଶନ ଦେବାକୁ ଏହି ରଥଯାତ୍ରାର ଲୀଳା କରିଥାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ।
ରୋଗଶଯ୍ୟାରେ ଦୀର୍ଘ ୧୫ ଦିନ ରହି ଚିକିତ୍ସା ହେବା ପରେ ଦେବବୈଦ୍ୟଙ୍କ ଜଡ଼ିବୁଟି ଚିକିତ୍ସାରେ ମହାପ୍ରଭୁଙ୍କର ଜ୍ୱର ଭଲହୁଏ । ଏହି ରୋଗଶଯ୍ୟାରେ ରହିବା ପରେ ବାୟୁ ଚଳାଚଳ ବାୟୁ ପରିବତ୍ତନ ଲାଗି ମହାପ୍ରଭୁ ଟିକେ ବାହାରକୁ ବାହାରନ୍ତି । ରାଣୀ ଗୁଣ୍ଡିଚାଙ୍କର ଆତିଥେୟତାକୁ ସ୍ୱୀକାର କରି ସେ ରଥରେ ଯାତ୍ରା କରି ଶ୍ରୀଗୁଣ୍ଡିଚା ମନ୍ଦିର ଯାଆନ୍ତି । ତିନି ରଥ ଗଡ଼ିଚାଲେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼କୁ । ତେଣୁ ଏହି ରଥଯାତ୍ରା ମଧ୍ୟ ଶ୍ରୀଗୁଣ୍ଡିଚା ଯାତ୍ରା ନାମରେ ପ୍ରସିଦ୍ଦି ଲାଭ କରିପାରିଛି ।