ପୁରୀର ସାତ ଲହଡ଼ି ମଠ କଥା…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ

ଅତିବଡୀ ଜଗନ୍ନାଥ ଦାସଙ୍କର ତିରୋଭାବ ପୀଠ ଭାବେ ସାତ ଲହଡି ମଠ ଶ୍ରୀକ୍ଷେତ୍ର ତଥା ସମଗ୍ର ଓଡିଶାରେ ସୁପରିଚିତ । ଉତ୍କଳର ଗଜପତି ପ୍ରତାପରୁଦ୍ର ଦେବ ଅତିବଡୀଙ୍କୁ ବହୁତ ସମ୍ମାନ ପ୍ରଦର୍ଶନ କରୁଥିଲେ । ନିଜର ପାଟରାଣୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ଏକ ପ୍ରାସାଦରେ ତାଙ୍କୁ ରହିବା ପାଇଁ ଅନୁରୋଧ କରିବାରୁ ଜଗନ୍ନାଥ ଦାସ କିଛି ଦିନ ସକାଶେ ସେଠାରେ ଅବସ୍ଥାନ କରିଥିଲେ । ସେହି ସ୍ଥାନରେ ବର୍ତ୍ତମାନର ଓଡିଆ ମଠ ବିଦ୍ୟମାନ । ତତ୍କାଳୀନ ସମୟରେ ଏହି ସ୍ଥାନ ଜନାକୀର୍ଣ୍ଣ ହେବାରୁ ଜଗନ୍ନାଥ ଦାସ ସମୁଦ୍ର କୂଳରେ ଏକ କୁଡିଆ ନିର୍ମାଣ କରି ନିଜର ଶେଷ ଜୀବନ ଭଗବତ ଧ୍ୟାନରେ ନିମଗ୍ନ ରହି ସେଠାରେ କଟାଇଥିଲେ ।

ଅପରପକ୍ଷରେ ମଠ ଶ୍ରୀନାରାୟଣ ସାହୁଙ୍କ ଦ୍ୱାରା ରଚିତ ଅତିବଡି ଜଗନ୍ନାଥ ଦାସ ରଚିତ କିମ୍ବଦନ୍ତୀ ଓ ଶ୍ରୀଜଗନ୍ନାଥ ପୁସ୍ତକରେ ଉଲ୍ଲେଖ ହୋଇଛି ଯେ ଶ୍ରୀମନ୍ଦିରସ୍ଥ ବଟ୍ଟ ଗଣେଶ ନିକଟରେ ଶ୍ରୀ ଜଗନ୍ନାଥ ଦାସେ ଭାଗବତ ବ୍ୟାଖ୍ୟା (୧୦ ସ୍କନ୍ଧ , ବ୍ରହ୍ମ ବ୍ୟାଖ୍ୟା) କରୁଥିବା ସମୟରେ ଶ୍ରୀଚୈତନ୍ୟ ମୁଗ୍ଧ ହୋଇ ତାଙ୍କୁ ଅତିବଡି ଉପାଧିରେ ଭୂଷିତ କରିଥିଲେ ।

“ତୋର ଭକତ ରକ୍ଷା ଅର୍ଥେ। ତୋ ଅବତାର ଏ ଜଗତେ।
ନିଜ ବଚନ ସତ୍ୟ କରି। ତୁ ମୋର ଗୃହେ ଅବତରି।
ସ୍ଵଭାବେ ସର୍ବଭୂତେ ଥାଉ। ଭକତଜନେ ବଶ ହେଉ।
ଭକତ ହିତେ ନାନା ଯୋନି। ଉପୁଜୁ ନିଜ ତେଜ ଘେନି।“
( ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ତୃତୀୟ ସ୍କନ୍ଧ ଚତୁର୍ବିଂଶ ଅଧ୍ୟାୟ)

ଭଗବାନ କପିଳଙ୍କ ଉଦ୍ଦେଶ୍ୟରେ କର୍ଦ୍ଦମଙ୍କ ଉକ୍ତି
ଅର୍ଥ – “ବେଦବର ବ୍ରହ୍ମାଙ୍କ ଠାରୁ ଭଗବାନ କପିଳଙ୍କ ବିଷୟରେ ସବୁ ଜାଣି ସାରିଲା ପରେ ମହାମୁନି କର୍ଦ୍ଦମ ଏକାନ୍ତରେ ପୁତ୍ର ନିକଟକୁ ଯାଇ କହିଲେ, ହେ ପ୍ରଭୂ । ଆପଣ ଆପଣଙ୍କର ଭକ୍ତ ମାନଙ୍କୁ ରକ୍ଷା କରିବା ପାଇଁ ଏହି ସଂସାରରେ ବିଭିନ୍ନ ଅବତାର ଗ୍ରହଣ କରିଥାନ୍ତି। ନିଜର ସତ୍ୟ ରକ୍ଷା କରି ମୋ ଘରେ ଆପଣ ମୋର ପୁତ୍ର କପିଳ ରୂପରେ ଅବତାର ଗ୍ରହଣ କରିଛନ୍ତି। ସକଳ ଘଟରେ ଆତ୍ମା ରୂପରେ ବିଦ୍ୟମାନ ଥିଲେ ମଧ୍ୟ ଆପଣ କେବଳ ଭକ୍ତର ଭକ୍ତି ଭାବରେ ହିଁ ବଶୀଭୂତ ହୁଅନ୍ତି। ଭକ୍ତର ହିତ ନିମନ୍ତେ ଆପଣ ନିଜର ଯୋଗମାୟା ବଳରେ ବିଭିନ୍ନ ରୂପରେ ଅବତାର ଗ୍ରହଣ କରିଥାନ୍ତି। “

ଏହି ଉପାଧି ପ୍ରଦାନରେ ତତ୍କାଳୀନ ଅନେକ ବଙ୍ଗୀୟ ଗୌଡିୟ ବୈଷ୍ଣବ କ୍ଷୁବ୍ଦ ତଥା ହିଂସାପରାୟଣ ହୋଇ ଜଗନ୍ନାଥ ଦାସଙ୍କ ବିରୋଧରେ ଗଜପତିଙ୍କ କାନରେ ଯାଇ ଅନେକ ଗୁଜବ କଥା ଶୁଣାଇଥିଲେ । ସେତେବେଳେ ଜଗନ୍ନାଥ ଦାସ ଗଜପତିଙ୍କ ନହରକୁ ଯାଇ ପାଟ ମହିଷୀକୁ ଦୈନିକ ଭାଗବତ ଶୁଣାଉଥିଲେ । ପାଟ ମହିଷୀଙ୍କ ସହ ଦାସଙ୍କର ଗୁପ୍ତ ପ୍ରଣୟ ସମ୍ପର୍କ ଥିବା ପ୍ରଚାର କରାଗଲା ।

ଅଧିକ ପଢନ୍ତୁ: ବନ୍ଧୁ ମହାନ୍ତିଙ୍କ ପାଇଁ ଶ୍ରୀଜଗନ୍ନାଥ କଲେ ଅନଶନ

ଏହାର ପ୍ରକୃତ ପରୀକ୍ଷା ଦେଲେ ଦାସେ ନିଜକୁ ନାରୀ ଭାବରେ ରୂପାନ୍ତରିତ କରି । ବେଳକୁ ବେଳ ଅପପ୍ରଚାର ଏତେ ବଡ ରୂପ ଧାରଣ କଲା ଯେ ବଡ ଓଡିଆ ମଠ ନବ ନିର୍ମିତ ସାମୟିକ ରାଣୀ ନହର ଛାଡି ଚାଲିଯିବାକୁ ଶ୍ରୀଚୈତନ୍ୟ ଅତିବଡିଙ୍କୁ ଉପଦେଶ ଦେଲେ । ଏଣୁ ଅତିବଡି ଗଜପତିଙ୍କ ପ୍ରଦତ୍ତ ରାଣୀ ଉଆସ ବା ଏବେର ବଡ ଓଡିଆ ମଠ ପରିତ୍ୟାଗ କରି ଓ ଗଜପତିଙ୍କ ରାଜ୍ୟରେ ବାସ ନକରିବାକୁ ଶପଥ ନେଲେ ।

ସମୁଦ୍ର କୂଳକୁ ଆସି ମହୋଦଧି ରାଜାଙ୍କୁ ସାତଟି ଲହଡି ପଛକୁ ଘୁଞ୍ଚି ଯିବାକୁ ପ୍ରାର୍ଥନା କଲେ । ଅତିବଡୀଙ୍କ ପ୍ରାର୍ଥନା ଶୁଣି ସମୁଦ୍ରର ଲହଡି ୭ଟି ପଛକୁ ଘୁଞ୍ଚିଥିଲା । ଅତିବଡି ସେଠାରେ ମାହାର୍ଦ୍ଦ କୁଡୁଆରେ ଏକ ଆଶ୍ରମ ତିଆରି କରି ସାଧନାରେ ନିମଗ୍ନ ରହିଲେ । ପରବର୍ତ୍ତୀ ସମୟରେ ସେହି ସ୍ଥାନ ସାତ ଲହଡି ମଠ ନାମରେ ପରିଚିତ ହେଲା । ସେହି ସମୟର ମାହାର୍ଦ୍ଦ କୁଡୁଆରେ ନିର୍ମିତ ତାଙ୍କର ସାଧନା ପୀଠ ଗତ କିଛି ବର୍ଷ ପୂର୍ବେ ଅର୍ଥାତ୍ ୧୯୬୦ ମସିହା ପୂର୍ବରୁ ସମ୍ପୁର୍ଣ୍ଣ ରୂପେ ଧ୍ୱଂସ ପାଇଯାଇଛି ।

ଅଧିକ ପଢନ୍ତୁ: ଭାବର ଠାକୁର ମହାବାହୁ…

ଅତିବଡୀ ସାତ ଲହଡି ମଠରେ ଅନ୍ତିମ ଜୀବନ ଯାପନ କରିବାର କେତେ ବର୍ଷ ପରେ ୧୫୪୭ ମସିହାରେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରେ ତାଙ୍କର ଶରୀର ଲୀନ ହେଲା ।

“ତୁ ଯେ ମୋହର ପ୍ରିୟତମ। କେହି ନୁହନ୍ତି ତୋର ସମ।“

ସେଥିପାଇଁ ଭଗବାନଙ୍କ କରୁଣା ଲାଭ କରିବା ପାଇଁ ଭକ୍ତି ହିଁ ସର୍ବୋତ୍ତମ ପନ୍ଥା। । ଜୟ ଜଗନ୍ନାଥ ।

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.