Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏମଏସଏମଇ ଓ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ଜାରି କରିଥିବା ଲକଡାଉନ ଦ୍ୱାରା ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗୁଡ଼ିକ ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି । ଗତ ଦେଢ଼ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏମଏସଏମଇ ୟୁନିଟଗୁଡ଼ିକ ବନ୍ଦ ରହିଥିବା ଯୋଗୁ ସେମାନେ ଆର୍ଥିକ କ୍ଷତି ସହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଏମଏସଏମଇ ସମେତ ବିଭିନ୍ନ ବ୍ୟବସାୟିକ ସଂସ୍ଥାଗୁଡ଼ିକ ପାଇଁ ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ – ଅଣାୟତ୍ତ କରୋନା: ସଂକ୍ରମଣରେ ଚୀନକୁ ଟପିଲା ଭାରତ

ଏହାଛଡ଼ା ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୁଡ଼ିକର ଔପଚାରିକରଣ ନିମନ୍ତେ ଗତକାଲି କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଏହା ଜରିଆରେ ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରରେ ପହଂଚାଇବା ପାଇଁ ଯୋଜନାର ଶୁଭାରମ୍ଭ କରାଯିବ । ଦୁଇ ଲକ୍ଷ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ଏଫଏସଏସଆଇ ଖାଦ୍ୟ ମାନକ ହାସଲ ପାଇଁ ବୈଷୟିକ ସହଯୋଗ ଏବଂ ବିପଣନ ସୁବିଧା ଯୋଗାଇ ଦିଆଯିବ । ବିଶେଷ କରି ସୂକ୍ଷ୍ମ ଖାଦ୍ୟ ଉଦ୍ୟୋଗ, କୃଷି ଉତ୍ପାଦକ ସଂଗଠନ, ସ୍ୱୟଂସହାୟକ ଗୋଷ୍ଠୀ, ସମବାୟ ସଂସ୍ଥାଗୁଡ଼ିକୁ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଏହି ସହାୟତା ପଦକ୍ଷେପକୁ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀ ମହଲରେ ସ୍ୱାଗତ କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ରୁଗ୍‌ଣ ଅବସ୍ଥାରେ ଥିବା ଉଦ୍ୟୋଗଗୁଡ଼ିକ ପାଇଁ ଆଶା ସଂଚାର ହୋଇଛି ବୋଲି ସେମାନେ କହିଛନ୍ତି । ମକା ଚାଷ ପାଇଁ ପ୍ରସିଦ୍ଧ ନବରଙ୍ଗପୁର ଜିଲ୍ଲାରେ ବାର୍ଷିକ ୩୦ ଲକ୍ଷ ଟନ ମକା ଉତ୍ପାଦନ ହୋଇଥାଏ । ଏହାକୁ କେନ୍ଦ୍ର କରି ଜିଲ୍ଲାରେ ଗଢ଼ି ଉଠିଥିବା ମକା ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକ କେନ୍ଦ୍ର ସରକାରଙ୍କ ଏହି ଘୋଷଣାକୁ ବିଶେଷ ଭାବେ ସ୍ୱାଗତ କରିଛନ୍ତି । ଜିଲ୍ଲାର ଯୁବ ଉଦ୍ୟୋଗୀ ଜ୍ୟୋତିରଞ୍ଜନ କଂସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ୨୦୧୬ରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ ଯୋଜନାରେ ଋଣ ନେଇ ମକା ପ୍ରକ୍ରିୟାକରଣ ଶିଳ୍ପ ଆରମ୍ଭ କରିଥିଲେ ।

କିନ୍ତୁ କରୋନା ମହାମାରୀ ପାଇଁ ଜାରି ଲକଡାଉନ ଫଳରେ ତାଙ୍କର ଉଦ୍ୟୋଗରେ କାରବାର ଏକପ୍ରକାର ଠପ ହୋଇଯାଇଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଆର୍ଥିକ ପ୍ୟାକେଜ ତାଙ୍କ ଭଳି ଉଦ୍ୟୋଗୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ଶ୍ରୀ କଂସ କହିଛନ୍ତି । ଏହାଦ୍ୱାରା ସେ ପୁଣିଥରେ ନିଜର ବ୍ୟବସାୟ ଆରମ୍ଭ କରିପାରିବେ ଓ ଏଠାରେ କାମ କରୁଥିବା ଲୋକମାନେ ମଧ୍ୟରେ କାମଧନ୍ଦା ପାଇ ସ୍ୱାଭାବିକ ଜୀବନଯାତ୍ରାକୁ ଫେରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଲକଡାଉନ ଯୋଗୁ କ୍ଷତିଗ୍ରସ୍ତ ଉଦ୍ୟୋଗଗୁଡ଼ିକ ଏହି ପ୍ୟାକେଜ ଦ୍ୱାରା ପୁନଃକାର୍ଯ୍ୟକ୍ଷମ ହୋଇପାରିବ ବୋଲି ଶ୍ରୀ କଂସ କହିବା ସହିତ ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.