Latest Odisha News

BREAKING NEWS

ସମ୍ କୋଭିଡ ହସ୍ପିଟାଲ୍ ଡାକ୍ତରଙ୍କ ସଫଳତା: କରୋନା ଓ ଅନ୍ୟ ଦୁଃସାଧ୍ୟ ରୋଗରୁ ସୁସ୍ଥ ହେଲେ ମହିଳା

ଭୁବନେଶ୍ୱର: କରୋନା ମୁକ୍ତ ହେଲେ, ଦୁଃସାଧ୍ୟ ବ୍ୟାଧିରୁ ବି ସୁସ୍ଥ ହୋଇ ଘରକୁ ଫେରିଲେ । ସମ୍ କୋଭିଡ ହସ୍ପିଟାଲର ଡାକ୍ତରମାନଙ୍କ ନିରବଚ୍ଛିନ୍ନ ସେବା ଓ ଆପ୍ରାଣ ଉଦ୍ୟମ ଫଳରେ ନୂଆ ଜୀବନ ପାଇଛନ୍ତି କରୋନା ତଥା ଏକ ବିରଳ ରୋଗର ଶିକାର ହୋଇଥିବା ଜଣେ ମହିଳା ।

୪୦ ବର୍ଷିୟା ଏହି ମହିଳା ଜଣକ ସ୍ଥାନୀୟ ଅନ୍ୟ ଏକ ହସ୍ପିଟାଲରେ କରୋନା ସଂକ୍ରମଣ ନେଇ ଚିହ୍ନଟ ହେବାପରେ ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ । ହସ୍ପିଟାଲ୍‌କୁ ଆସିବା ସମୟରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ତାଙ୍କର ହୃତସ୍ପନ୍ଦନ ଦ୍ରୁତ, ଶ୍ୱାସପ୍ରକ୍ରିୟା ଉଚ୍ଚ ଓ ରକ୍ତ ଚାପ କମ ଥିଲା । ତାଙ୍କ ଶରୀରର ତାପମାତ୍ରା ମଧ୍ୟ ଅଧିକ ରହିଥିବାର ଦେଖିବାକୁ ମିଳିଥିଲା ବୋଲି କହିଛନ୍ତି ସମ୍ କୋଭିଡ ହସ୍ପିଟାଲସ୍‌ର ଚିଫ ନୋଡାଲ ଅଫିସର ଡାକ୍ତର ରାଜେଶ ଲେଙ୍କା ।

ତେବେ ହସ୍ପିଟାଲର ଅଭିଜ୍ଞ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟକର୍ମଚାରୀ ମାନେ ଆପ୍ରାଣ ଚେଷ୍ଟା କରି ମହିଳା ଜଣଙ୍କର ସ୍ୱାସ୍ଥ୍ୟବସ୍ଥାକୁ ପ୍ରଥମେ ଆଇ.ସି.ୟୁରେ ସ୍ଥିର କରିବାକୁ ଚେଷ୍ଟା କରିଥିଲେ ବୋଲି ଡାକ୍ତର ଲେଙ୍କା କହିଛନ୍ତି ।

ପ୍ରାଥମିକ ପର୍ଯ୍ୟାୟରେ ସମ୍ପୃକ୍ତ ମହିଳା ଜଣଙ୍କର କରୋନା ଚିକିତ୍ସା ଆରମ୍ଭ କରାଯାଇଥିଲା । ଚିକିତ୍ସା ଦ୍ୱାରା ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେବାରେ ଲାଗିଥିଲେ । ତେବେ କରୋନା ନେଇ ଚିକିତ୍ସା ସମୟରେ ସେ ସିଷ୍ଟମିକ ଲୁପସ ଏରିଥେମାଟୋସସ ବା ଲୁପସ ଭଳି ଗୁରୁତର ରୋଗରେ ପୀଡିତ ଥିବା ଜଣାପଡ଼ିଥିଲା ବୋଲି କହିଛନ୍ତି ସମ୍ କୋଭିଡ ହସ୍ପିଟାଲର କ୍ଲିନିକାଲ ମୁଖ୍ୟ ଡାକ୍ତର ସମୀର ସାହୁ ।

ମହିଳା ଜଣଙ୍କ ୩ ବର୍ଷ ଧରି ଲୁପସ ଭଳି ଗୁରୁତର ରୋଗରେ ପୀଡିତ ଥାଇ ଅନେକ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥିଲେ । ମାତ୍ର ଏହି ରୋଗ ଚିହ୍ନଟ ହୋଇପାରିନଥିଲା । ତେବେ ସେ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିବା ସମୟରେ ହିଁ ଡାକ୍ତରମାନେ ଏହି ରୋଗ ଚିହ୍ନଟ କରିଥିଲେ । ଏହି ରୋଗୀଙ୍କର ଚିକିତ୍ସା କରିବା ଏକ ଚ୍ୟାଲେଞ୍ଜ ଥିଲା ବୋଲି ଡାକ୍ତର ସାହୁ କହିଛନ୍ତି ।

ଏହି ମହିଳାଙ୍କ ଠାରେ ହାଇପୋଥାଇରଏଡ ସମସ୍ୟା ରହିଥିବା ବେଳେ ସେ ଦୀର୍ଘ ୩ ମାସ ଧରି ଜ୍ୱରରେ ପୀଡିତ ଥିଲେ । ତାଙ୍କର ଗଣ୍ଠି ବ୍ୟଥା ଓ ମୁହଁରେ ନାଲି ଦାଗ ରହିଥିଲା ତଥା ମୁଣ୍ଡର ଚୁଟି ଉପୁଡି ଯାଉଥିଲା ବୋଲି ସମ୍ ହସ୍ପିଟାଲର ର‌୍ୟୁମାଟୋଲୋଜିଷ୍ଟ ଓ କ୍ଲିନିକାଲ ଇମ୍ୟୁନୋଲୋଜିଷ୍ଟ ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ର କହିଛନ୍ତି । ରୋଗୀ ଜଣକ ଆଇସିୟୁ ରେ ଥିବାବେଳେ ଉଭୟ ଲୁପସ ଏବଂ କରୋନାର ଚିକିତ୍ସା କରିବା ବେଶ୍ କଷ୍ଟସାଧ୍ୟ ଥିଲା । ଏହି କ୍ଷେତ୍ରରେ ଲୁପସ ଭଳି ରୋଗର ଚିକିତ୍ସା ଲାଗି ଆବଶ୍ୟକୀୟ ଷ୍ଟେରଏଡ ଓ ଇମ୍ୟୁନୋ ସପ୍ରେସାଂଟ ପ୍ରୟୋଗ କରିବା ସହଜସାଧ୍ୟ ନଥିଲା । କାରଣ ଷ୍ଟେରଏଡ ଦେବା ଦ୍ୱାରା କରୋନା ଅଧିକ ବଢ଼ିଯିବାର ଆଶଙ୍କା ରହିଥିଲା ।

ଲୁପସ ଏକ ରୋଗ ଯାହାକି ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ଅତ୍ୟନ୍ତ କ୍ରିୟାଶୀଳ କରିଦିଏ ଫଳରେ ତାହା ଶରୀରର ସୁସ୍ଥ ଟିସୁ ଗୁଡିକୁ ଆକ୍ରମଣ କରିଥାଏ । ତେବେ ଦୁଇଟି ରୋଗର ଚିକିତ୍ସା ଅତି ଯତ୍ନ ଓ ସାବଧାନତାର ସହ ସମାନ୍ତରାଳ ଭାବେ ଆମେ କରିଥିଲୁ ବୋଲି ଡାକ୍ତର ପାତ୍ର କହିଛନ୍ତି ।

ଦୀର୍ଘ ୧୨ ଦିନର ଚିକିତ୍ସା ପରେ ମହିଳା ଜଣକ କରୋନାରୁ ସୁସ୍ଥ ହେବା ସହ ତାଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା । ସେହିପରି ତାଙ୍କ ପ୍ଲେଟଲେଟ ସ୍ତର ମଧ୍ୟ ୪୦ ହଜାରରୁ ବୃଦ୍ଧି ପାଇ ଏକ ଲକ୍ଷ କୋଡିଏ ହଜାରରେ ପହଂଚିଥିଲା ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।

ସମ୍ କୋଭିଡ ହସ୍ପିଟାଲର ଉପଦେଷ୍ଟା ତଥା ରେଡଓଲୋଜି ବିଭାଗର ମୁଖ୍ୟ ଡାକ୍ତର ଏସ. ଏସ. ମହାପାତ୍ର, କ୍ରିଟିକାଲ କେୟାର ବିଶେଷଜ୍ଞ ଡାକ୍ତର ଈଶ୍ୱର ଚନ୍ଦ୍ର ବେହେରା ଓ ପଲମୋନାରୀ ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ବନାନୀ ଜେନା ମଧ୍ୟ ତାଙ୍କର ଚିକିତ୍ସା କରିଥିଲେ ।

ସମ୍ କୋଭିଡ ହସ୍ପିଟାଲର ଡାକ୍ତରୀ ଟିମ ତାଙ୍କ ପ୍ରଚେଷ୍ଟା ବଳରେ ନିକଟରେ ଜଣେ ୮୫ ବର୍ଷିୟା ବୃଦ୍ଧା ଏବଂ ୬୦ ବର୍ଷିୟ ଡାଇବେଟିସ ରୋଗୀଙ୍କୁ କରୋନା ସଂକ୍ରମଣରୁ ସୁସ୍ଥ କରିଛନ୍ତି । ଗତ ମେ ୧୩ ତାରିଖରେ ସେମାନେ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଏବଂ ସମ ହସ୍ପିଟାଲ ପକ୍ଷରୁ ଭୁବନେଶ୍ୱର ସମେତ କେନ୍ଦ୍ରାପଡା ଓ ତାଳଚେର ରେ ୩ଟି କୋଭିଡ ହସ୍ପିଟାଲ ସ୍ଥାପନ କରାଯାଇଛି । ୫୨୫ ଶଯ୍ୟା ବିଶିଷ୍ଟ ଭୁବନେଶ୍ୱରସ୍ଥିତ କୋଭିଡ ହସ୍ପିଟାଲ ଦେଶର ଦ୍ୱିତୀୟ ଓ ଓଡ଼ିଶାର ବୃହତମ କୋଭିଡ ହସ୍ପିଟାଲ ଅଟେ । ସେହିପରି କେନ୍ଦ୍ରାପଡାରେ ୧୧୦ ଶଯ୍ୟା ଓ ତାଳଚେରରେ ୧୫୬ ଶଯ୍ୟା ବିଶିଷ୍ଟ ସମ୍ କୋଭିଡ ହସ୍ପିଟାଲ ସ୍ଥାପନ କରାଯାଇଛି ।

Leave A Reply

Your email address will not be published.