Latest Odisha News

BREAKING NEWS

ମୋ’ ସରକାର ଅଧୀନରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲାଗଲା ‘କଲ୍ ସେଣ୍ଟର’  

ସୁନ୍ଦରଗଡ଼: ମୋ’ ସରକାର ଏବଂ ୫ଟି ଯୋଜନା ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସରେ ଗୁରୁବାର ଏକ ‘କଲ୍‌ ସେଣ୍ଟର’ ଲୋକାର୍ପିତ ହୋଇଯାଇଛି। ଏହାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଲୋକାର୍ପଣ କରିଥିଲେ। ଏହି କଲ୍‌ ସେଣ୍ଟର ଜରିଆରେ ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ ରଖିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଥିବା କୁହାଯାଇଛି।

ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ ଏବଂ ଲୋକେ ଏହାକୁ କେମିତି ଗ୍ରହଣ କରୁଛନ୍ତି ଏହି କଲ୍ ସେଣ୍ଟର ଜରିଆରେ ସମସ୍ତ ତଥ୍ୟ ରଖିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାସହ ଲୋକମାନଙ୍କୁ ଜରୁରୀ ସେବା ପ୍ରଦାନରେ ମଧ୍ୟ ଏହା ସହାୟକ ହୋଇପାରିବ।

ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀମାନେ ଏହି କଲ୍‌ ସେଣ୍ଟରକୁ ମାଗଣାରେ କଲ୍‌ କରିପାରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୋଲ ଫ୍ରି ନମ୍ବର ନମ୍ବରର ବ୍ୟବସ୍ଥା କରାଯାଇଛି। ଟୋଲ ଫ୍ରି ନମ୍ବର ୯୧୧୧୪୧୧୮୨୧୩୮ରେ ଲୋକମାନେ କଲ୍‌ କରିପାରିବେ। ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି କଲ୍‌ ସେଣ୍ଟର କାର୍ଯ୍ୟକ୍ଷମ ରହିବ। ଖୁବ୍‌ଶୀଘ୍ର ଏହି କଲ୍‌ ସେଣ୍ଟର ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ହ୍ରବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

‘‘ପ୍ରଶାସନିକ ସ୍ତରରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୁନ୍ଦରଗଡ଼ବାସୀଙ୍କ କଥା ଶୁଣିବା ପାଇଁ ଯେଉଁ କଲ୍‌ ସେଣ୍ଟର ବ୍ୟବସ୍ଥା କରାଯାଇଛି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନକୁ ଲୋକାଭିମୁଖି ହେବା ପାଇଁ ଅଧିକ ପ୍ରେରଣା ଯୋଗାଇବ। ଲୋକମାନଙ୍କର ଯାହା ବି ସମସ୍ୟା ଅଛି ତାହା ଏହି ମାଧ୍ୟମରେ ପ୍ରଶାସନ ପାଖରେ ପହଞ୍ଚିବ। ପ୍ରଶାସନିକ ଅଧିକାରୀମାନେ ସମସ୍ୟାର ସମାଧାନ କରିବେ। ଏହାସହ ହିତାଧିକାରୀମାନଙ୍କୁ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯିବ’’, ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

Leave A Reply

Your email address will not be published.